ପର୍ଯ୍ୟଟନ ଋତୁରେ ସିଦ୍ଧସାଧକଙ୍କ ପୀଠ ଖାଁ ଖାଁ, ସ୍ଥଳୀର ବିକାଶ ଲାଗି ପର୍ଯ୍ୟଟନ ବିଭାଗର ଦୃଷ୍ଟି ପଡ଼ୁ ନାହିଁ

ବାଲିପାଟଣା : ବାଲିପାଟଣା ଅଞ୍ଚଳର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ବିକାଶ ଲାଗି ପର୍ଯ୍ୟଟନ ବିଭାଗର ଆନ୍ତରିକତା ନାହିଁ। ଫଳରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ବାରା ୩୦୦ତମ ପର୍ଯ୍ୟଟନସ୍ଥଳୀର ମାନ୍ୟତା ହାସଲ କରିଥିବା ସିଦ୍ଧସାଧକ ଶିଶୁ ଅନନ୍ତଙ୍କ ଆଧ୍ୟାତ୍ମକ ପୀଠ ଅବହେଳିତ ହୋଇ ପଡ଼ିରହିଛି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ପୀଠଟି ଖାଁ ଖାଁ ଲାଗୁଛି। ଅନେକ ମୌଳିକ ସମସ୍ୟା ଦେଇ ପୀଠ ଏବେ ଗତି କରୁଛି।

ବାଲିପାଟଣା ବ୍ଲକ ଶିଶୁମଠ ଗ୍ରାମର ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ଅଣାକାର ଯନ୍ତ୍ରର ସିଦ୍ଧସାଧକ ଶିଶୁଅନନ୍ତଙ୍କ ପୁଣ୍ୟସ୍ଥଳୀ ଭାବରେ ଓଡ଼ିଶାରେ ଏହା ପରିଚିତ। ୧୪୮୬ ମସିହାରେ କୁଶଭଦ୍ରା ନଦୀ ତଟ ଗ୍ରାମରେ ଏହି ସିଦ୍ଧସାଧକ ଜନ୍ମଗ୍ରହଣ କରିଥିଲେ। ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସିଦ୍ଧସାଧକଙ୍କ ଏହି ପୀଠ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏଯାଏ ମରାମତି ହୋଇପାରି ନାହିଁ। ବହୁଦିନ ହେବ ଅବହେଳିତ ହୋଇ ପଡ଼ିଥିବା ଏହି ପୀଠର ଉନ୍ନତି ଲାଗି ପର୍ଯ୍ୟଟନ ବିଭାଗ ଦାୟିତ୍ବ ନେଇଛି। ମହାପ୍ରଭୁଙ୍କର ସମାଧି ପୀଠରେ କିଞ୍ଚତ ଅର୍ଥ ବ୍ୟୟରେ ବିଭାଗ ଲୋକ ଦେଖାଣିଆ କାର୍ଯ୍ୟ କରିଛି। ଅପରପକ୍ଷରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା କାର୍ଯ୍ୟ ହୋଇଥିଲେ ବି ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଫନିରେ ମଣ୍ତପର ଟିଣ ଛପର ନଷ୍ଟହୋଇ ଯାଇଥିବା ବେଳେ ମଣ୍ତପରେ ଝୁଲୁଥିବା ଫ୍ୟାନ ଗୁଡ଼ିକ ଏବେବି ବିପଦସଂକୁଳ ଅବସ୍ଥାରେ ରହିଛି। ସାମାଧି ପୀଠପାଇଁ ଅନେକ କାର୍ଯ୍ୟ ବାକି ଥିଲେବି ବିଭାଗୀୟ ଅର୍ଥ ଖର୍ଚ୍ଚ କରିବାରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହେଉଛି। ପୀଠକୁ ଯିବାପାଇଁ ଭଲ ରାସ୍ତାଟିଏ ନାହିଁ। ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଯାତାୟାତରେ ସମସ୍ୟା ଉପୁଜୁଛି। ପୀଠରେ ସଂଗ୍ରାହଳୟର ଆବଶ୍ୟକତା ରହିଛି। ସୌନ୍ଦର୍ଯ୍ୟୀକରଣ ପାଇଁ ପାର୍କ ବ୍ୟବସ୍ଥା କରାଗଲେ ପର୍ଯ୍ୟଟଙ୍କୁ ଆକର୍ଷଣ କରିପାରନ୍ତା ବୋଲି ମତପ୍ରକାଶ ପାଉଛି।

ଭୁବନେଶ୍ବରରୁ ୨୨ କିଲୋମିଟର ଦୂର ଏବଂ ଧଉଳି ଓ ଚଉଷଠୀ ଯୋଗିନୀ ପୀଠଠାରୁ ଅଳ୍ପ କିଛି ଦୂରରେ ଏହି ପର୍ଯ୍ୟଟନ ସ୍ଥଳୀଟି ରହିଛି। ପୁରୀ, ଚନ୍ଦ୍ରଭାଗା, କୋଣାର୍କ ବୁଲି ନିମାପଡ଼ାରୁ ବାଲିପାଟଣା ଦେଇ ଉତ୍ତରା ଯିବା ବାଟରେ ଏହି ସିଦ୍ଧସାଧକଙ୍କ ପୀଠ ପଡ଼ିଥାଏ। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାର ପର୍ଯ୍ୟଟକ ଉକ୍ତ ରାସ୍ତା ଦେଇ ଯାତାୟାତ କରିଥାନ୍ତି। କିନ୍ତୁ ମହାପୁରୁଷଙ୍କ ପୀଠକୁ ଜାଣିବା ପାଇଁ ସେପରି କିଛି ଆଖିଦୃଶିଆ ଫଳକ କିମ୍ବା ତୋରଣ ନାହିଁ। ଫଳରେ ଏହା ପର୍ଯ୍ୟଟକଙ୍କ ନଜର ଆଢୁଆଳରେ ରହିଯାଉଛି। ଶିଶୁଅନନ୍ତ ଟ୍ରଷ୍ଟର ସମ୍ପାଦିକା ତନୟା ଦାଶ ଶିଶୁ ଗୋସ୍ବାମୀଙ୍କ ସୂଚନା ଅନୁଯାୟୀ ଜୟଦେବ ନିର୍ବାଚନ ମଣ୍ତଳୀରେ ଥିବା ପର୍ଯ୍ୟଟନ ସ୍ଥଳୀଗୁଡିକ ଉନ୍ନତି ପାଇଁ ପର୍ଯ୍ୟଟନ ବିଭାଗ ପାଖରେ ପଡ଼ି ରହିଥିବା ଲକ୍ଷାଧିକ ଟଙ୍କାରୁ ଉକ୍ତ ଆଧ୍ୟାତ୍ମିକ ପୀଠକୁ ଅର୍ଥ ମିଳିଲେ ପୀଠର ଉନ୍ନତି ହେବା ସହିତ ପର୍ଯ୍ୟଟକଙ୍କର ଦୃଷ୍ଟି ଆକର୍ଷଣ ହୋଇ ପାରନ୍ତା।

ଅପରପକ୍ଷରେ ଶିଶୁ ଅନନ୍ତଙ୍କ ସାଧନାପୀଠରେ ମଦନମୋହନଙ୍କ ବିଜେସ୍ଥଳୀ ରହିଛି। ଶିଶୁମଠ ଗ୍ରାମର ଆରାଧ୍ୟ ଦେବତା ମଦନମୋହନଙ୍କ ଚଳନ୍ତି ବିଗ୍ରହ ଏଠାରେ ପ୍ରାୟ ୫ଶହ ବର୍ଷ ପୂର୍ବରୁ ପୂଜା ପାଉଥିବା କିମ୍ବଦନ୍ତୀରୁ ସୂଚନା ମିଳେ। ଉକ୍ତ ମନ୍ଦିରର ପୂର୍ଣ୍ଣାଙ୍ଗ ଉଦ୍ଧାର, ଚତୁଃପାର୍ଶ୍ବ ପାଚେରି ଓ ଚଲାପଥ ନିର୍ମାଣ ନିମନ୍ତେ ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଶୁଭ ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରୀ ଅର୍ଥରେ ମନ୍ଦିର ଉନ୍ନତି ହୋଇପାରି ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀଙ୍କ ସହାୟତାରେ ମନ୍ଦିରର ପୁନଃରୁଦ୍ଧାର କାର୍ଯ୍ୟ ଚାଲୁଅଛି। କିନ୍ତୁ ଏହି ପ୍ରାଚୀନ ମନ୍ଦିରର ପୁନଃରୁଦ୍ଧାର ପ୍ରତି ସରକାରୀ ସହାୟତା ନ ମିଳିବା ଶ୍ରଦ୍ଧାଳୁ, ଗ୍ରାମବାସୀ ତଥା ଜନସାଧାରଣଙ୍କ ଭାବାବେଗରେ ଆଘାତ ଦେଉଛି। ତୁରନ୍ତ ମନ୍ଦିରର ପୁନରୁଦ୍ଧାର କରିବା ସହିତ ଲାଗି ରହିଥିବା ମୌଳିକ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ଲାଗି ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର

Comments are closed.