ସେଣ୍ଟର୍‌ ଅଫ ଏକ୍ସେଲେନ୍ସ ହେବ ରାଜ୍ୟ ଭିନ୍ନକ୍ଷମ ସଶକ୍ତୀକରଣ ପ୍ରତିଷ୍ଠାନ
ଆଶଙ୍କାରେ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ କର୍ମଚାରୀ
ଆହୁରି ୧୦ଟି ଜିଲ୍ଲାରେ କାର୍ଯ୍ୟ କରିବ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର

Advertisment

ଭୁବନେଶ୍ୱର : ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ଥିବା ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ ବା ଏସ୍‌ଆଇଡିଆର୍‌ର ନାଁ ବଦଳିବ। ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ ବଦଳରେ ହେବ ରାଜ୍ୟ ଭିନ୍ନକ୍ଷମ ସଶକ୍ତୀକରଣ ପ୍ରତିଷ୍ଠାନ ବା ଏସ୍‌ଆଇଇପି। ଏହାକୁ ଏକ ସେଣ୍ଟର୍‌ ଅଫ ଏକ୍ସଲେନ୍‌ସରେ ପରିଣତ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ମଞ୍ଜୁରୀ ମିଳିସାରିଛି। ଖୁବଶୀଘ୍ର ଏହା କାର୍ଯ୍ୟ କରିବା ଆରମ୍ଭ କରିବ ବୋଲି ସୂଚନା ମିଳିଛି।

ଅପରପକ୍ଷରେ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ ଅଧୀନରେ କାର୍ଯ୍ୟ କରୁଥିବା ୨୪ଜଣ କର୍ମଚାରୀ ଏଭଳି ପରିବର୍ତନକୁ ନେଇ ଆଶଙ୍କାରେ ରହିଛନ୍ତି। ନୂତନ ଭାବେ ହେବାକୁ ଥିବା ରାଜ୍ୟ ଭିନ୍ନକ୍ଷମ ସଶକ୍ତୀକରଣ ପ୍ରତିଷ୍ଠାନ ସୋସାଇଟି ଆଇନରେ ପଞ୍ଜୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ସେମାନଙ୍କୁ ଶୋଷଣ କରିବାକୁ ଚକ୍ରାନ୍ତ କରାଯାଉଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କର୍ମଚାରୀମାନେ ସୂଚନା ଦେଇଛନ୍ତି।

୧୯୮୫ ମସିହାଠାରୁ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ କାର୍ଯ୍ୟ କରି ଆସୁଥିଲା। ଏଥିପାଇଁ ଆବଶ୍ୟକ ଅର୍ଥ ଓ ଗାଇଡଲାଇନ୍‌ କେନ୍ଦ୍ର ସରକାର ପ୍ରଦାନ କରୁଥିଲେ। ତେବେ ୨୦୦୬ ମସିହାରେ କେନ୍ଦ୍ର ସରକାର ଏଥିରୁ ଓହରି ଯିବାପରେ ରାଜ୍ୟ ସରକାରଙ୍କ ଅଧୀନରେ ଏହା କାର୍ଯ୍ୟ କରିବା ଆରମ୍ଭ କରିଥିଲା। ପ୍ରତିଷ୍ଠାନରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଫିଜିଓଥେରାପି, କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଲଗାଯିବା, ଦୃଷ୍ଟିହୀନଙ୍କୁ ଧଳା ବାଡ଼ି ବଣ୍ଟନ ଓ ସ୍ପିଚ୍‌ ଥେରାପି ଭଳି କାର୍ଯ୍ୟ କରାଯାଉଛି। ଏବେ ପ୍ରତିଷ୍ଠାନ ଉଭୟ ବୈଷୟିକ ଓ ଅଣ ବୈଷୟିକ କର୍ମଚାରୀଙ୍କୁ ମିଶାଇ ୨୪ଜଣ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ୬ପ୍ରକାର ଭିନ୍ନକ୍ଷମ ଚିକିତ୍ସା କରାଯାଉଥିବା ବେଳେ ଭିନ୍ନକ୍ଷମ ଆଇନ-୨୦୧୬ରେ ୨୧ପ୍ରକାର ଭିନ୍ନକ୍ଷମତାକୁ ଏଥିରେ ସାମିଲ କରାଯାଇଛି।

ସୂଚନା ଅନୁଯାୟୀ, ଏସ୍‌ଆଇଡିଆରକୁ ଏସ୍‌ଆଇପିକୁ ପରିବର୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଏକ ସୋସାଇଟି ଗଠନ କରାଯିବ ଓ ୧୮୬୦ ମସିହା ସୋସାଇଟି ଆଇନରେ ପଞ୍ଜୀକରଣ କରାଯିବ। ମହାରାଷ୍ଟ୍ରରେ ଥିବା ଏକ ଭିନ୍ନକ୍ଷମ ପ୍ରତିଷ୍ଠାନ ଆଧାରରେ ଏହାକୁ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏସ୍‌ଆଇଇପି ଅଧୀନରେ ୧୦୭ଜଣ କର୍ମଚାରୀ କାର୍ଯ୍ୟ କରିବେ ଓ ସେମାନଙ୍କୁ ଆଉଟସୋର୍ସିଂରେ ଏକ ଏଜେନ୍ସି ଜରିଆରେ ନିଯୁକ୍ତି ଦିଆଯିବ। ଆଗାମୀ ୫ବର୍ଷରେ ଏଥିପାଇଁ ୨୨ କୋଟି ଟଙ୍କା ଖର୍ଚ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏସ୍‌ଆଇଇପିରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉଭୟ ଶାରୀରିକ ଓ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଏହାସହ ସେମାନଙ୍କ ଦକ୍ଷତା ବିକାଶ ପାଇଁ ତାଲିମ ପ୍ରଦାନ କରାଯିବ। ଏହି ପ୍ରତିଷ୍ଠାନ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଏଜେନ୍ସି ଜରିଆରେ ନିଯୁକ୍ତି ଦିଆଯିବ। ଯାହାଫଳରେ ଆବଶ୍ୟକ ପଡ଼ିଲେ କାର୍ଯ୍ୟ କରୁ ନ ଥିବା କର୍ମଚାରୀଙ୍କୁ ବାହାର କରାଯାଇ ପାରିବ। ପ୍ରତିଷ୍ଠାନ ପାଇଁ ଆବଶ୍ୟକ ଯନ୍ତ୍ରପାତି କିଣିବାକୁ ନିକଟରେ ଟେଣ୍ଡର କରାଯାଇଛି। କର୍ମଚାରୀଙ୍କ ନିଯୁକ୍ତି ପାଇଁ ନିକଟରେ ଟେଣ୍ଡର କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି।

ଏହାସହ ରାଜ୍ୟରେ ୮ଟି ଜିଲ୍ଲାରେ କାର୍ଯ୍ୟ କରୁଥିବା ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରକୁ ଆହୁରି ୧୦ଟି ଜିଲ୍ଲାକୁ ବଢ଼ାଯିବ। ଏହି ସମସ୍ତ କେନ୍ଦ୍ର ଏସ୍‌ଆଇଇପି ଅଧୀନରେ କାର୍ଯ୍ୟ କରିବ। ଆଗାମୀ ଦିନରେ ୩୦ଟି ଜିଲ୍ଲାରେ ଏହି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ଯୋଜନା ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅର୍ଥ ମଞ୍ଜୁର କରିବା ପାଇଁ ଚିଠି ଦିଆଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଏସ୍‌ଆଇଇପି ଗଠନକୁ ନେଇ ଏବେ ଏସ୍‌ଆଇଡିଆର ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏସ୍‌ଆଇଡିଆର ଅଧୀନରେ କାର୍ଯ୍ୟ କରୁଥିଲେ ହେଁ ସେମାନଙ୍କୁ ଏ ପର୍ଯ୍ୟନ୍ତ ସପ୍ତମ ବେତନ କମିସନ ସୁପାରିସ ମୁତାବକ ଦରମା ମିଳୁନାହିଁ। ଏପରିକି ଆର୍‌ଏସିପି ମିଳୁ ନ ଥିବା ବେଳେ ଷଷ୍ଠ ବେତନ କମିସନ୍‌ ଯେବେଠାରୁ ଲାଗୁ ହୋଇଛି ଏଥିରେ ମଧ୍ୟ କର୍ମଚାରୀଙ୍କ ପ୍ରତି ଅବିଚାର କରାଯାଇଛି। ଏସ୍‌ଆଇଇପି ସୋସାଇଟି ଆଇନରେ ପଞ୍ଜୀକରଣ କରାଯାଉଥିବା ଓ ଏଥିପାଇଁ ଆବଶ୍ୟକ କର୍ମଚାରୀ ଏକ ଏଜେନ୍ସି ଦ୍ୱାରା ନିଯୁକ୍ତି ଦିଆଯିବ। ତେଣୁ କର୍ମଚାରୀଙ୍କୁ ଘରୋଇ ସଂସ୍ଥା ଅଧୀନକୁ ଠେଲି ଦେବାକୁ ଚକ୍ରାନ୍ତ କରାଯାଉଛି ବୋଲି କର୍ମଚାରୀ ଅଭିଯୋଗ କରିଛନ୍ତି।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ନିର୍ଦେଶିକା ମାନସୀ ନିମ୍ଭାଲ କହିଛନ୍ତି, ଏସ୍‌ଆଇଡିଆରର ନାମ ପରବିର୍ତନ କରାଯାଇ ଏହାକୁ ଏସ୍‌ଆଇଇପିରେ ନାମକରଣ କରାଯିବ। ଏହାକୁ ଏକ ସେଣ୍ଟର ଅଫ ଏକ୍ସଲେନ୍ସରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଏସ୍‌ଆଇଡିଆର ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏସ୍‌ଆଇଇପିରେ ମଧ୍ୟ କାର୍ଯ୍ୟ କରିବେ। ସେମାନଙ୍କ ପାଇଁ ଏଥିରେ କୌଣସି ସମସ୍ୟା ନ ଥିବା ଶ୍ରୀମତୀ ନିମ୍ଭାଲ କହିଛନ୍ତି।