ସିଗନାଲ୍‌ ଫେଲ୍‌? ୧୨୮ କିମି ବେଗରେ ଦୌଡ଼ୁଥିଲା କରମଣ୍ଡଳ

କରମଣ୍ଡଳରେ ୧୫୧୬ କ୍ଷମତା, ୧୪୦୦ ଥିଲେ, କମିସନରଙ୍କ ରିପୋର୍ଟ ପରେ କାରଣ ଜଣାପଡ଼ିବ: ରେଳମନ୍ତ୍ରୀ

ଭୁବନେଶ୍ବର : ବାହାନଗା ଟ୍ରେନ୍‌ ଦୁର୍ଘଟଣାର ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି। ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ମିଳିତ ଟିମ୍‌ ତଦନ୍ତ କରି ରେଳ ମନ୍ତ୍ରଣାଳୟ ନିକଟରେ ରିପୋର୍ଟ ଦାଖଲ କରିଛି। ରିପୋର୍ଟରେ କୁହାଯାଇଛି ଯେ ସିଗ୍‌ନାଲ ଫେଲ୍‌ ଯୋଗୁଁ ଏଭଳି ଏକ ଦୁର୍ଘଟଣା ଘଟିଛି। ମୁଖ୍ୟ ରେଳ ଲାଇନ୍‌ରେ ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌(୧୨୮୪୧) ପାଇଁ ସିଗ୍‌ନାଲ ଦିଆଯାଇଥିଲା। ହଠାତ୍‌ ତାହାକୁ ହଟାଇ ଦିଆଯାଇଥିଲା। ମାତ୍ର ସେତେବେଳକୁ ଟ୍ରେନ୍‌ଟି ଗୋଟିଏ ଲୁପ୍‌ ଲାଇନ(ମୁଖ୍ୟ ଲାଇନ୍‌ ପାର୍ଶ୍ବରେ ଥିବା ଲାଇନ୍‌)ରେ ପ୍ରବେଶ କରିଯାଇଥିଲା। ଉକ୍ତ ଲୁପ ଲାଇନରେ ପୂର୍ବରୁ ଏକ ମାଲବାହୀ ଟ୍ରେନ୍‌ ଅଟକି ରହିଥିଲା।

କରମଣ୍ଡଳର ବେଗ ଘଣ୍ଟା ପ୍ରତି ୧୨୮ କିମି ରହିଥିଲା। କ୍ଷିପ୍ର ଗତିରେ ଆସୁଥିବା ଏହି ଟ୍ରେନ୍‌ ଲୁପ୍‌ ଲାଇନ୍‌ରେ ଥିବା ମାଲବାହୀ ଟ୍ରେନ୍‌କୁ ଖୁବ୍‌ ଜୋର୍‌ରେ ଧକ୍କା ଦେବାରୁ ୧୪ଟି ବଗି ଲାଇନଚ୍ୟୁତ୍‌ ହୋଇ ନିକଟବର୍ତ୍ତୀ ଟ୍ରାକ୍‌କୁ ମାଡ଼ି ଯାଇଥିଲା। ସେହି ସମୟରେ ଯଶୋବନ୍ତପୁର-ହାଓଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌(୧୨୮୬୪) ଡାଉନୱାର୍ଡ ମୁଖ୍ୟ ଲାଇନରେ ଆସୁଥିଲା। ଉକ୍ତ ଟ୍ରେନ୍‌ର ଦୁଇରୁ ଅଧିକ ବଗି କରମଣ୍ଡଳ ଏକ୍ସ୍ରପ୍ରେସ୍‌ ସହ ଧକ୍କା ହୋଇ ଓଲଟି ପଡ଼ିଥିଲା। ଦୁଇଟି ଯାତ୍ରୀବାହୀ ଓ ଗୋଟିଏ ମାଲବାହୀ ଟ୍ରେନ୍‌ ଏପରି ଭାବେ ୩ଟି ଟ୍ରେନ୍‌ ମଧ୍ୟରେ ସଙ୍ଗଠିତ ହୋଇଥିବା ଦୁର୍ଘଟଣାରେ ମୋଟ ୧୭ଟି ବଗି କ୍ଷତିଗ୍ରସ୍ତ ହୋଇଛି।

ପ୍ରାରମ୍ଭିକ ତଦନ୍ତରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଘଟଣାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଶାଲିମାରରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍‌କୁ ମୁଖ୍ୟ ଲାଇନ୍‌ରେ ଯିବା ପାଇଁ ପ୍ରଥମେ ଗ୍ରିନ୍‌-ସିଗ୍‌ନାଲ ଦିଆଯାଇଥିଲା। ଏହାପରେ ଏମିତି କ’ଣ ହେଲା ଯେ ସିଗନାଲ୍‌ ହଟାଇ ଦିଆଯାଇଥିଲା? ଏହା ପଛର କାରଣ କ’ଣ? କାହିଁକି ସିଗ୍‌ନାଲ ଅପ-ଡାଉନ୍‌ କରାଯାଇଥିଲା, ତାହାର ତଦନ୍ତ ଜାରି ରହିଛି। ଆଉ ଏକ ରିପୋର୍ଟ କହୁଛି ଯେ କରମଣ୍ଡଳର ଘଣ୍ଟା ପ୍ରତି ବେଗ ୧୨୮ କିମି ରହିଥିଲା। ସାଧାରଣତଃ ଏହି ଟ୍ରେନ୍‌ ଘଣ୍ଟା ପ୍ରତି ୧୧୦ କିମି ବେଗରେ ଚାଲିଥାଏ। ମାତ୍ର ଗତକାଲି ଟ୍ରେନ୍‌ଟି ୧୦ ମିନିଟ୍‌ ବିଳମ୍ବରେ ଚାଲୁଥିଲା। ଧାର୍ଯ୍ୟ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଲୋକୋ-ପାଇଲଟ୍‌ ଟ୍ରେନ୍‌ର ବେଗକୁ ଅଧିକ କରି ଦେଇଥିଲେ। ତେବେ ଟ୍ରେନ ଲୁପ୍ ଲାଇନରେ ଯାଇ ମାଲଗାଡ଼ିକୁ ଧକ୍କା ଦେଲା ନା ଲାଇନଚ୍ୟୁତ ହୋଇ ଧକ୍କା ଦେଲା, ତାହା କେହି କହି ପାରୁ ନାହାନ୍ତି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଟ୍ରେନ୍ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ରେଲୱେ ସେଫ୍ଟି କମିସନର ରିପୋର୍ଟ ଦାଖଲ କରିବା‌ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।

କରମଣ୍ଡଳରେ ୧୫୧୬ କ୍ଷମତା, ୧୪୦୦ ଥିଲେ

ଭୁବନେଶ୍ବର : ଟ୍ରେନ୍‌ରେ ଯାତ୍ରୀ ସଂଖ୍ୟାକୁ ନେଇ ବିଭିନ୍ନ ଆକଳନ ଚାଲିଛି। କିଏ କହୁଛନ୍ତି କରମଣ୍ଡଳ ଏକ୍ସପ୍ରେସ୍‌ରେ ୧୮୦୦ ଯାତ୍ରୀ ଥିଲେ ତ ଆଉ କିଏ କହୁଛନ୍ତି ୧୫୦୦। ‘ସମ୍ବାଦ’ର ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ କରମଣ୍ଡଳ ଏକ୍ସପ୍ରେସ୍‌ରେ ୧୫୧୬ଜଣ ଯାତ୍ରୀ ବସିବାର କ୍ଷମତା ରହିଥିଲା‌। ସେଥିମଧ୍ୟରୁ ୧୩୧୯ଜଣ ଯାତ୍ରୀ ଟିକେଟ୍‌ ବୁକିଂ କରିଥିଲେ। ଟ୍ରେନ୍‌ଟି ବାଲେଶ୍ବରରୁ ଭଦ୍ରକ, କଟକ, ଭୁବନେଶ୍ବର ଅଭିମୁଖେ ଆସୁଥିବାରୁ ବହୁ ସ୍ଥାନୀୟ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରୁ ବହୁ ଲୋକ ବିନା ଟିକେଟ୍‌ରେ ଟ୍ରେନ୍‌ର ଜେନେରାଲ ବଗିରେ ଚଢ଼ିଥିଲେ। ଜେନେ‌ରାଲ ବଗିରେ ଯେତିକି ସିଟ୍‌ ରହିଥିଲା, ତା’ଠାରୁ ଢେର୍‌ ଅଧିକ ଯାତ୍ରୀ ରହିଥିବା ଜଣାପଡ଼ିଛି। ଟ୍ରେନ୍‌ରେ ୧୪୦୦ରୁ ଅଧିକ ଯାତ୍ରୀ ରହିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ କେତେ ଯାତ୍ରୀ ଥିଲେ, ତାହାର ତଥ୍ୟ ମିଳିପାରିବ ବୋଲି ରେଲୱେ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର