ଭୁବନେଶ୍ବର: ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ସେମାନଙ୍କ ସାଇନ୍‌ବୋର୍ଡର ୬୦% ଅଂଶରେ ଓଡ଼ିଆ ଭାଷା ଲିପିର ବ୍ୟବହାର କରିବାକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହା ଯେପରି କାର୍ଯ୍ୟକାରୀ ହେବ ତାହାକୁ ସମସ୍ତ ମହାନଗର ନିଗମର କମିସନର, ମ୍ୟୁନିସିପାଲଟି, ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ନିଶ୍ଚିତ କରିବେ। ସେପ୍ଟେମ୍ବର ୩୦ ସୁଦ୍ଧା ପୌର ସଂସ୍ଥା କର୍ତ୍ତୃପକ୍ଷ ଟ୍ରେଡ୍‌ ଲାଇସେନ୍ସର ନବୀକରଣ ଓ ନିରୀକ୍ଷଣ ସମୟରେ ଏହା ଯେପରି କଡ଼ାକଡ଼ି ପାଳନ ହୋଇଛି ସେନେଇ ୬୦ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। 
ବ୍ୟବସାୟୀମାନେ ଯେପରି ଓଡ଼ିଆ ଭାଷାରେ ସେମାନଙ୍କ ସାଇନ୍‌ବୋର୍ଡ ଲେଖିବେ, ଆବଶ୍ୟକୀୟ ସଂଶୋଧନ କରିବେ ସେଥିପାଇଁ ୫୫ଦିନର ସମୟ ଦିଆଯିବା ସହ ପ୍ରୋତ୍ସାହନ ବି ଘୋଷଣା ହୋଇଛି। ବ୍ୟବସାୟୀମାନେ ସୁଯୋଗ ପେ‌ାର୍ଟାଲ, ଭୁବନେଶ୍ବର.ମି ୱେବସାଇସାଇଟ୍‌ରେ ଆଗାମୀ ଟ୍ରେଡ୍‌ ଲାଇସେନ୍ସ ନବୀକରଣ ସମୟରେ ଦେୟର ୫% ରିହାତି ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି। ଏହାସହ ନିର୍ଦ୍ଦେଶ ଦିଆଯାଇଛି ଯେ ଯଦି କେହି ନିୟମ ନମାନନ୍ତି ତେବେ ୫୫ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୩୦ତାରିଖ ଠାରୁ ଦୈନିକ ୫୦୦ଟଙ୍କା ଲେଖାଏ ଜରିମାନା ଲାଗୁ ହେବ। ଏସମ୍ପର୍କିତ କୌଣସି ଦ୍ବନ୍ଦ୍ବ ଥିଲେ ପୌର ସଂସ୍ଥା କର୍ତ୍ତୃପକ୍ଷ ପୌର ପ୍ରଶାସକଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ପୂର୍ବରୁ ଓଡ଼ିଆରେ ସାଇନବୋର୍ଡ ଲେଖିବା ନିୟମ କଡ଼ାକଡ଼ି କରିବାକୁ ଶ୍ରମ ବିଭାଗ ଦାୟିତ୍ବ ନେଇଥିଲା। ଏପରିକି ତତ୍କାଳୀନ ମୁଖ୍ୟ ସଚିବମାନେ ବି ବାରମ୍ବାର ଚିଠି ଲେଖି ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବହୁ ବ୍ୟବସାୟୀ ଓଡ଼ିଆରେ ସାଇନ୍‌ବୋର୍ଡ ଲେଖିଥିବା ବେଳେ କେତେକ ଅମାନିଆ ବ୍ୟବସାୟୀ ଏହାକୁ ଅବମାନନା କରିଥିଲେ। ଏହାପରେ ଶ୍ରମ ବିଭାଗ, ସଂସ୍କୃତି ବିଭାଗର ମିଳିତ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ସ୍ଥାନୀୟ ପୌରସଂସ୍ଥା, ଏଡିଏମ୍, ଜିଲ୍ଲା ଶ୍ରମ ଅଧିକାରୀ, ସ୍ଥାନୀୟ ବ୍ୟବସାୟୀ ସଂଘର କାର୍ଯ୍ୟକର୍ତ୍ତାକୁ ସାମିଲ୍ ବିଭିନ୍ନ ସ୍ଥାନରେ ସାଇନବୋର୍ଡ ଯାଞ୍ଚ କରାଯିବ। ଯଦି କେହି ନିୟମ ମାନିନଥିବେ ତେବେ ତାଙ୍କୁ ପ୍ରଥମ ଅପରାଧ ପାଇଁ ୫ହଜାର ଟଙ୍କା, ଏହାପରେ ୨୫ହଜାର ଟଙ୍କା ଲେଖାଏଁ ଜରିମାନା ହେବ। ଏନେଇ ଶ୍ରମ ବିଭାଗକୁ ରିପୋର୍ଟ ଦେବାକୁ ଜିଲ୍ଲା ଶ୍ରମ ଅଧିକାରୀମାନଙ୍କୁ କୁହାଯାଇଥିଲା। ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ସଂଶୋଧନ ଅାଇନ, ୨୦୧୮ ଅନୁଯାୟୀ କାର୍ଯ୍ୟକାରୀ ଏହା ହୋଇଥିଲା। ପ୍ରଥମ ଅପରାଧ ପାଇଁ ଜରିମାନା ୧ହଜାରରୁ ୫ହଜାର ଟଙ୍କା, ଦ୍ବିତୀୟ ଅପରାଧ ପାଇଁ ୨ହଜାରରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ ହେବ।