ଭୁବନେଶ୍ବର : ୨୦୨୨ ଫେବ୍ରୁଆରି ପହିଲାରୁ ଜୁନ୍ ୧୩ ତାରିଖ। ୧୩୩ ଦିନ।

Advertisment

ଚଳିତ ସପ୍ତାହରେ ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଜ୍ଞାନୀଙ୍କର ପୂର୍ବାନୁମାନ ଖୁସିର ପରିବେଶ ସୃଷ୍ଟି କରିଥିବ‌ା ବେଳେ ରାଜଧାନୀ ଭୁବନେଶ୍ବରର ଏହି ୧୩୩ ଦିନର ପାଣିପାଗର ଚିତ୍ର ବିଶେଷଜ୍ଞଙ୍କ ମୁଣ୍ଡ ଗୋଳମାଳ କରିଦେଇଛି। ଏଇଥିପାଇଁ ଯେ ଜଳବାୟୁ ପରିବର୍ତ୍ତନର କେତେ ଦ୍ରୁତ ପ୍ରଭାବ ଓଡ଼ିଶାରେ ଅନୁଭୂତ ହେଉଛି, ତାହା ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି କେବଳ ରାଜଧାନୀର ଚିତ୍ରକୁ ବିଶ୍ଳେଷଣ କଲେ ଯେ କେହି ବୁଝିପାରିବ। ଏହି ୧୩୩ ଦିନ ମଧ୍ୟରେ ରାଜଧାନୀରେ ମାତ୍ର ୧୧ଦିନ ବର୍ଷା ରେକର୍ଡ କରାଯାଇଛି। ୨୦୨୦ ମସିହାର ପ୍ରାକ୍ ମୌସୁମୀ ବର୍ଷା ସହିତ ତୁଳନା କଲେ ଚଳିତ ବର୍ଷ ବର୍ଷାର ପରିମାଣ ଅଧାରୁ ଅଧିକ କମିସାରିଲାଣି।

ଚିନ୍ତାରେ ପକାଇଲା ଭଳି ପ୍ରସଙ୍ଗଟି ହେଉଛି ଯେ ଫେବ୍ରୁଆରି, ମାର୍ଚ୍ଚ, ଏପ୍ରିଲ; ଏହି ୮୯ ଦିନ ମଧ୍ୟରେ ରାଜଧାନୀରେ ବିନ୍ଦୁଏ ବି ବର୍ଷା ହେଲାନାହିଁ। ମେ’ ମାସର ୩୧ ଦିନ ମଧ୍ୟରୁ ୧୦ ଦିନ ବର୍ଷା ହୋଇଛି ଏବଂ ଚଳିତ ଜୁନ୍ ମାସର ପ୍ରଥମ ୧୩ ଦିନ ମଧ୍ୟରେ ଦିନଟିଏ ମାତ୍ର ବର୍ଷା ରେକର୍ଡ ହୋଇଛି। ରାଜଧାନୀର ଚିତ୍ର ଅବଶିଷ୍ଟ ଓଡ଼ିଶାର ପାଣିପାଗ ମଧ୍ୟରେ ଆକାଶପାତାଳ ଫରକ ଦେଖିବାକୁ ମିଳିଲାଣି। ପ୍ରାକ୍ ମୌସୁମୀ ବର୍ଷା ପୂରା ଉଭାନ୍।

publive-image Rain in Bhubaneswar Image Courtesy of ANI

ବୁଦ୍ଧିଜୀବୀ ଓ ବରିଷ୍ଠ ପ୍ରଶାସକମାନେ କହୁଛନ୍ତି ଯେ ଯେକୌଣସି ବ୍ୟକ୍ତି ମନରେ ରାଜଧାନୀକୁ ନେଇ ସ୍ବତନ୍ତ୍ର ସ୍ବପ୍ନ ଥାଏ। କର୍ମସଂସ୍ଥାନ ଦୃଷ୍ଟିରୁ ଏହା ସବୁଠାରୁ ଅଧିକ ସୁଯୋଗ ଦେଇଥାଏ, ରାଜ୍ୟ ଶାସନର ସର୍ବୋଚ୍ଚ କର୍ତ୍ତାମାନେ ରହୁଥିବା କାରଣରୁ ଏହା ରାଜ୍ୟର ସବୁଠାରୁ ଅଧିକ କ୍ଷମତାଶାଳୀ ବା ପ୍ରଭାବଶାଳୀ ଅଞ୍ଚଳ ଭାବେ ଗଣାଯାଏ। ଏହାବ୍ୟତୀତ ଭୁବନେଶ୍ବର ସହିତ ଯୋଡ଼ି ହୋଇଥିବା ଐତିହ୍ୟ ଦୃଷ୍ଟି କୋଣରୁ ତଥା ସ୍ବର୍ଣ୍ଣ ତ୍ରିଭୁଜ ମଧ୍ୟରୁ ଅନ୍ୟତମ ହୋଇଥିବା କାରଣରୁ ଭାରତର ପର୍ଯ୍ୟଟନ ମାନଚିତ୍ରରେ ଏହି ଅଞ୍ଚଳର ଗୁରୁତ୍ବ ଟିକେ ଅଲଗା। ହେଲେ ଏଠାରେ ଗତ କିଛି ବର୍ଷ ଧରି ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲେଣି। ସାମାନ୍ୟ ବୃଷ୍ଟି ହେଲେ, ସହର ଜଳାର୍ଣ୍ଣବ ହୋଇଯାଉଛି। ଅନାବୃଷ୍ଟି କାରଣରୁ ବର୍ଷର ଅଧାରୁ ଅଧିକ ସମୟ ଲୋକେ ଗ୍ରୀଷ୍ମଋତୁ ଭଳି ଅନୁଭବ କରୁଛନ୍ତି। ଏମିତି ହେଲେ ରାଜଧାନୀ ଆକର୍ଷଣ ହରାଇବ, ଯାହାର ପ୍ରତ୍ୟକ୍ଷ ପ୍ରଭାବ ଶାସନ ବ୍ୟବସ୍ଥା ଏବଂ ରାଜ୍ୟ ଉପରେ ବି ପଡ଼ିବ।

ପାଣିପାଗ ବିଜ୍ଞାନୀଙ୍କ ମତରେ ଓଡ଼ିଶାର ସାମଗ୍ରିକ ଚିତ୍ରକୁ ନେଇ ଯେଉଁ ନକ୍ସା ପ୍ରସ୍ତୁତ କରାଯାଉଛି ତାହା ସହିତ ଭୁବନେଶ୍ବର ସମେତ ରାଜ୍ୟର ଆଉ କିଛି ଅଞ୍ଚଳର ପାଣିପାଗ ଆଦୌ ସାମଞ୍ଜସ୍ୟ ନାହିଁ। ଅର୍ଥାତ୍ ଓଡ଼ିଶାର ଅବଶିଷ୍ଟ ଅଞ୍ଚଳ ସହିତ ପାଣିପାଗରେ ଭୀଷଣ ତାରତମ୍ୟ ଅନୁଭୂତ ହେଲାଣି। ଯଦି ଜିଲ୍ଲାମାନଙ୍କୁ ୟୁନିଟ୍ ଭାବେ ଗଣନା କରି ବର୍ଷା ଓ ତାତିର ମାନକ ବିଚାରକୁ ନିଆଯିବ, ତାହେଲେ ଏସଂପର୍କରେ ଆହୁରି ଆଚମ୍ବିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିବ। ୨୦୨୦ ବର୍ଷରେ ଏହି ୧୩୩ ଦିନ ମଧ୍ୟରେ ରାଜଧାନୀରେ ୪୪୯.୧ ମିମି ବର୍ଷା ରେକର୍ଡ ହୋଇଥିଲା। ଅର୍ଥାତ୍ ଅତିବୃଷ୍ଟି ହୋଇଥିଲା। ୨୦୨୧ରେ ସମାନ ସମୟରେ ବର୍ଷାର ପରିମାଣ କମି ୩୬୬.୮ ମିମି ହେଲା। ୨୦୨୨ ଅର୍ଥାତ୍ ଏଥର ମାତ୍ର ୧୭୧ମିମି ବର୍ଷା ରେକର୍ଡ ହୋଇଛି। ଏହିଥିରୁ ପରିସ୍ଥିତି କୁଆଡେ ଯାଉଛି ସରକାର ହେଜିବା କଥା। ହେଲେ ପ୍ରତିବର୍ଷ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ବୈଠକ ବସୁଥିଲେ ବି ଏଭଳି ସମ୍ବେଦନଶୀଳ ଦିଗ ସଂପର୍କରେ କେହି କେବେ ଆଲୋଚନା କରି ସମାଧାନ ରାସ୍ତା କାଢ଼ିବାର ନଜିର ନାହିଁ। ଆସନ୍ତା ୧୭ତାରିଖ ଦିନ ଏବର୍ଷ ପାଇଁ ବୈଠକ ବସିବ। ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ ଯଦି ଏଦିଗରେ ଠୋସ୍ ପଦକ୍ଷେପ ନ ନେବେ, ଆଗକୁ ସ୍ଥିତି ଜଟିଳ ହୋଇଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

publive-image

ଅନ୍ୟପକ୍ଷରେ ଭୁବନେଶ୍ବରର ଏଭଳି ବିଚିତ୍ର ସ୍ଥିତି ସଂପର୍କରେ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଯେ ଜଳବାୟୁ ପରିସ୍ଥିତି ସହିତ ଜଡିତ ବିପଦ ଗୁଡିକ ମଧ୍ୟରେ ଚରମ ପାଣିପାଗ ଘଟଣା ବୋଲି ଅତିବୃଷ୍ଟି ଏବଂ ଅନାବୃଷ୍ଟିକୁ କୁହାଯାଏ। ଋତୁଚକ୍ର ଏବଂ ତାପମାତ୍ରା ପରିବର୍ତ୍ତନର ଏହା ସିଧା ପ୍ରଭାବ। କିନ୍ତୁ ଜଳବାୟୁରେ ଏଭଳି ପରିବର୍ତ୍ତନ ମନୁଷ୍ୟକୃତ ବୋଲି କୁହାଯାଇପାରେ। କଂକ୍ରିଟ ଜଙ୍ଗଲ ସୃଷ୍ଟି, ଆର୍ଦ୍ରଭୂମି ତଥା ଜଙ୍ଗଲ ନଷ୍ଟ ବ୍ୟତୀତ ବ୍ୟାପକ ସହରୀକରଣ ଦ୍ୱାରା ଆମ ଚାରିପାଖ ପରିବେଶ ଗଭୀର ଭାବେ ପ୍ରଭାବିତ ହୋଇଛି। ଏହା ସହିତ ଜଡିତ ପରିସଂସ୍ଥାନ ଏବଂ ଜୈବ ବିବିଧତା ମଧ୍ୟ ବିପଦକୁ ଚାଲି ଆସିଲେଣି। ରାଜଧାନୀ ଭୁବନେଶ୍ବର ଏବେ ଏହାର ଜ୍ବଳନ୍ତ ଉଦାହରଣ। ବିଶେଷକରି ଜଳବାୟୁ ସ୍ଥାୟୀ ବିକାଶ ପରିବର୍ତେ ସହରୀକରଣକୁ ଆପଣାଇବା ଦ୍ୱାରା କେବଳ ବୃଷ୍ଟି ନୁହେଁ ବରଂ ତାପମାତ୍ରାରେ ଅହେତୁକ ପରିବର୍ତନ ଲକ୍ଷ କରାଯାଇଛି। ଚଳିତ ବର୍ଷ ପ୍ରାକ ମୋୖସୁମୀ ଋତୁର ତିନି ମାସ ମଧ୍ୟରୁ ଦୁଇମାସ ମାର୍ଚ୍ଚ ଏବଂ ଅପ୍ରେଲରେ ଆଦୌ କାଳବୈଶାଖୀ ଜନିତ ବର୍ଷ ନହେବା, ଫେବ୍ରୁଆରିରେ ପଶ୍ଚିମ ଝଡର ପ୍ରଭାବ ନପଡିବା ଏହାର ଉଦାହରଣ।

ଶ୍ରୀ ଦାସ ଆହୁରି କହିଛନ୍ତି ଯେ ଚଳିତ ବର୍ଷ ମାର୍ଚ୍ଚରୁ ଅପ୍ରେଲ ଯାଏ ଆଦୌ ବର୍ଷ ନହେବାର ମୁଖ୍ୟ କାରଣ ହେଉଛି ବାୟୁମଣ୍ଡଳରେ ସାମୁଦ୍ରିକ ବାୟୁର ପ୍ରଭାବ କମିବା ଏବଂ ପଶ୍ଚିମ/ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି। ସେହିପରି ଜୁନ ମାସରେ ପ୍ରଥମ ୧୩ ଦିନରୁ ମାତ୍ର ଗୋଟିଏ ଦିନ ବର୍ଷା ଏବଂ ୧୦ ଦିନ ଅସହ୍ୟ ଗୁଳୁଗୁଳିର ମୁଖ୍ୟ କାରଣ ମଧ୍ୟ ଏହି ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ବାୟୁ। ଏହି ୧୩ ଦିନରେ ପ୍ରଚୁର ଜଳୀୟବାଷ୍ପ ସୃଷ୍ଟି ହେବା ସତ୍ତ୍ବେ ବାୟୁମଣ୍ଡଳର ୨ କିମି ଉପରେ ଶୁଷ୍କ ବାୟୁର ପ୍ରାଧାନ୍ୟ ହେତୁ ପ୍ରାକ ମୋୖସୁମୀ ବର୍ଷା ପ୍ରାୟ ଗାଏବ ହୋଇଯାଇଛି। ଯଦିଓ ଏହା ଜଳବାୟୁ ପରିବର୍ତନ କି ନୁହେଁ ତାହା ଗବେଷଣାର ବିଷୟ ତଥାପି ଏଭଳି ପରିବର୍ତ୍ତନ ଆଦୌ ସ୍ୱାଭାବିକ ନୁହେଁ ଏକଥା କୁହାଯାଇପାରିବ।