ଭୁବନେଶ୍ବର: ୧୦୦୦ କୋଟି କାରବାର ଲକ୍ଷ୍ୟରେ ଓଡ଼ିଶା ପୁଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେସନ୍‌(ଓପିଏଚ୍‌ଡବ୍ଲୁସି)। ଆଗାମୀ ଆର୍ଥିକ ବର୍ଷ ୨୦୨୩-୨୦୨୪ରେ ଓପିଏଚ୍‌ଡବ୍ଲୁସି ଏକ ହଜାର କୋଟି ଟଙ୍କାର କାରବାର ପାଇଁ ଗୃହ ବିଭାଗ ସହ ଏମ୍‌ଓୟୁ ସ୍ବାକ୍ଷର କରିଛି। ଏନେଇ ଆଜି ଲୋକସେବା ଭବନ ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୃହବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ ସିଂହ ଓ ଓପିଏଚ୍‌ଡବ୍ଲୁସିର ଅଧ୍ୟକ୍ଷ ତଥା ଆଇପିଏସ୍‌ ସଞ୍ଜୀବ ପଣ୍ଡା ଯୋଗଦେଇ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି।

Advertisment

ଏହି ଅବସରରେ ଓପିଏଚ୍‌ଡବ୍ଲୁସିର ସିଏମ୍‌ଡି ଶ୍ରୀ ପଣ୍ଡା କହିଥିଲେ ଯେ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ନିଗମ ୩୭୦ କୋଟିର ଲକ୍ଷ୍ୟ ହାସଲ କରିଥିଲା। ହେଲେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ପୂର୍ବ ଆର୍ଥିକ ବର୍ଷ ‌ଅପେକ୍ଷା ୪୨ ପ୍ରତିଶତ ଅଧିକ ଅର୍ଥାତ ୫୩୨ କୋଟିର ଆର୍ଥିକ କାରବାର କରିଥିଲା। ଆଗାମୀ ବର୍ଷରେ କିଭଳି ଏକ ହଜାର କୋଟିର ଲକ୍ଷ୍ୟ ହାସଲ କରିବ,ଏଥିପାଇଁ ବ୍ଲୁ-ପ୍ରିଣ୍ଟ କରାଯାଇଛି। ନିଗମର ଉନ୍ନତମାନର ନିର୍ମାଣ କାର୍ଯ୍ୟ ପାଇଁ ଆମ ବସ୍ ଷ୍ଟାଣ୍ଡ ଯୋଜନାରେ ପରିବହନ ବିଭାଗର ୪୩ଟି ଜିଲ୍ଲା ଓ ବ୍ଲକ ସ୍ତରୀୟ ବସ୍ ଷ୍ଟାଣ୍ଡ କାର୍ଯ୍ୟ ହାତକୁ ନେଇ ସମ୍ପୂର୍ଣ କରିଛି। ସେହିପରି ଗୋପାବନ୍ଧୁ ଏକାଡେମିରେ ୧୨୦ କୋଟି ଟଙ୍କା ଅଟକଳରେ ଟ୍ରେନିଂ ହଷ୍ଟେଲ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି, ଯାହାକି ରାଜ୍ୟରେ ପ୍ରଥମ ଆଇଜିବିସି ପ୍ଲାଟିନମ୍ ରେଟେଡ୍ ବିଲ୍ଡିଂ ହେବ। ୩୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ଜାମୁଝରୀ ଆଧୁନିକ ଜେଲ, ୩୦ କୋଟି ଟଙ୍କା ଅଟକଳରେ କଟକ ଲାଇବ୍ରେରି ଭଳି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି।

ରାଜ୍ୟ ସରକାରଙ୍କ ଏହି ନିଗମ ନ୍ୟାୟପାଳିକାର ବିଭିନ୍ନ ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ପୁଲିସ, ଅଗ୍ନିଶମ, ପରିବହନ, ଜେଲ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର, ବାଣିଜ୍ୟ, ଅବକାରୀ, ସ୍ୱାସ୍ଥ୍ୟ, କୃଷି, ଏସ୍‌ସି ଆଣ୍ଡ ଏସ୍‌ଟି ଡିପାର୍ଟମେଣ୍ଟ, ବିଡିଏ, ସିଡିଏ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ହସ୍ତତନ୍ତ ଏବଂ ହସ୍ତତନ୍ତ, କ୍ରୀଡ଼ା ଓ ଯୁବ ସେବା, ଓମ୍‌ଫେଡ୍‌, ଓଏମ୍‌ସି ଆଦି ବିଭାଗର ନିର୍ମାଣ କାମ କରି ନିଜର ସ୍ବତନ୍ତ୍ର ସ୍ଥିତି ଜାହିର କରିଛି। ନିଗମ ଏହାର ପରିଚାଳନା ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ସରଳୀକରଣ ପାଇଁ ଏସ୍‌ଏପି, ଏସ୍‌୪ହାନା ଭଳି ଅତ୍ୟାଧୁନିକ ସପ୍ଟୱୟାର୍‌କୁ ବ୍ୟବହାର କରି ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କରିଛି।