ରାଜ୍ୟପାଳଙ୍କ ଅଭିଭାଷଣରୁ ସଙ୍କେତ : ସୁଧୁରୁଛି ରାଜ୍ୟ ଅର୍ଥନୀତି

ନିଜସ୍ବ ରାଜସ୍ବ ଆଦାୟ ୭.୩% ବୃଦ୍ଧି
ସମଭାବାପନ୍ନ ବିକାଶକୁ ଗୁରୁତ୍ବ
ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ, ମାଓ ପ୍ରଭାବ କମିଛି
ଭୂପୃଷ୍ଠ ଓ ନଦୀ ଜଳ ସଂରକ୍ଷଣ ପାଇଁ ୧୧.୭୦୦କୋଟି
ବିଜୁ ଶିଶୁ ସୁରକ୍ଷା ଯୋଜନାକୁ ପରିବର୍ଦ୍ଧିତ କରାଯିବ
ଫୋକସ୍‌ରେ ବିମାନ ସେବା ସଂପ୍ରସାରଣ

ଭୁବନେଶ୍ବର : ରାଜ୍ୟ ଅର୍ଥନୀତି ଉପରେ କୋଭିଡ୍‌ର ମାତ୍ରାଧିକ ପ୍ରଭାବ ସତ୍ତ୍ବେ ରାଜ୍ୟ ସରକାର ନିଜସ୍ବ ରାଜସ୍ବ କ୍ଷେତ୍ରରେ ଏକ ସକାରାତ୍ମକ ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛନ୍ତି। ୨୦୨୧ ଜାନୁଆରି ଶେଷ ସୁଦ୍ଧା ଜଣାପଡ଼ିଛି ଯେ ଗତବର୍ଷ ତୁଳନାରେ ଏବର୍ଷ ୭.୩% ଅଧିକ ରାଜସ୍ବ ଆଦାୟ ହୋଇଛି। ଆହୁରି ସରଳ ଭାବେ କହିଲେ, ସରକାର ଜାନୁଆରି ଶେଷ ସୁଦ୍ଧା ୩୮ ହଜାର ୭୬୦ କୋଟି ଟଙ୍କାର ରାଜସ୍ବ ଆଦାୟ କରିବାରେ ସକ୍ଷମ ହୋଇଛନ୍ତି। ଏହା ହିଁ ସୂଚାଉଛି ଯେ ରାଜ୍ୟର ଅର୍ଥନୈତିକ ପ୍ରକ୍ରିୟାରେ ସୁଧାର ଆସୁଛି।

ଆସନ୍ତା ୨୨ ତାରିଖରେ ଅର୍ଥମନ୍ତ୍ରୀ ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଧାନସଭାରେ ତାଙ୍କର ଅଭିଭାଷଣ ଜରିଆରେ ଆଜି ସମସ୍ତଙ୍କୁ ଆଶ୍ବସ୍ତି କରିବା ଭଳି ଏଭଳି ଚିତ୍ର ଆଣିଛନ୍ତି। କହିଛନ୍ତି ଯେ ରାଜ୍ୟର ସମସ୍ତ ଅଞ୍ଚଳର ସମଭାବାପନ୍ନ ବିକାଶ ତଥା ସମାଜର ପ୍ରତ୍ୟେକ ବର୍ଗର ଜନସାଧାରଣଙ୍କୁ ସଶକ୍ତ କରିବା ଲାଗି ସରକାର ବଦ୍ଧ ପରିକର ଅଛନ୍ତି। ସବୁଠାରୁ ବଡ଼ କଥା ହେଲା, ସରକାର ‘୫ଟି’ ଓ ‘ମୋ ସରକାର’ ଭଳି ପରିବର୍ତ୍ତନକାରୀ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଏବଂ ଏହାକୁ ପାଥେୟ କରି ପାନୀୟ ଜଳଯୋଗାଣ ଠାରୁ ଆରମ୍ଭକରି କୃଷି, ବିଦ୍ୟୁତ ସରବରାହ, ଜୀବିକା ସୁଯୋଗ ସୃଷ୍ଟି, ଶିକ୍ଷା, ସ୍ବାସ୍ଥ୍ୟସେବାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ କରିବା ପାଇଁ ଉଦ୍ୟମ କରାଯାଉଛି।

କୋଭିଡ୍ ସମୟରେ ଆର୍ଥିକ ଶୃଙ୍ଖଳା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅଧିକ ସୂଚନା ଦେଇ ରାଜ୍ୟପାଳ କହିଥିଲେ, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା ଥିବା ପ୍ରାୟ ୨୮୦୦ କୋଟି ଟଙ୍କା ସରକାର ଇତିମଧ୍ୟରେ ଫେରାଇ ଆଣିଛନ୍ତି। ବକେୟା ଥିବା କର ଆଦାୟ ପାଇଁ ଓଟିଏସ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଆର୍ଥିକ ସଙ୍କଟର ମୁକାବିଲା ଲାଗି ସରକାର ବ୍ୟୟ ଉପରେ କଟକଣା କାରଣରୁ େକାଭିଡ୍ ପରିଚାଳନା ଠାରୁ ଆରମ୍ଭ କରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଅଣୁ, କ୍ଷୁଦ୍ର, ମଧ୍ୟମ ଏବଂ ବୃହତ୍ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇଁ ବ୍ୟୟବରାଦ କରାଯାଇପାରିଥିଲା। ସାମୟିକ ଭାବେ ଓଡ଼ିଶା ଆପାତକାଳୀନ ପାଣ୍ଠିର ୪୦୦କୋଟି ଟଙ୍କାର କର୍ପସ ପାଣ୍ଠିକୁ ୨୦୦୦ କୋଟିକୁ ବୃଦ୍ଧି କରାଯାଇଥିଲା। ଆର୍ଥିକ ସଙ୍କଟ କାଳରେ ଆବଶ୍ୟକ ନଗଦ ଅର୍ଥ ପରିଚାଳନା ପାଇଁ କାମ୍ପା ଓ ଓଏମ୍‌ବିଏଡିସି ଭଳି ଉତ୍ସର୍ଗୀକୃତ ପାଣ୍ଠି ଉପଯୋଗ କରାଯାଇଥିଲା। ଖୋଲା ବଜାରରୁ ଆସିଥିବା ୨୫୦୦ କୋଟି ଋଣ ଅର୍ଥର ପୁନଃଦେୟ ପାଇଁ ସିଏସ୍‌ଏଫ୍ କର୍ପସ ପାଣ୍ଠି ବ୍ୟବହାର ହୋଇଥିଲା। ସେହିଭଳି ସାଧାରଣ ନେଣଦେଣ ପରିଚାଳନା ଲାଗି ସର୍ବୋତ୍କୃଷ୍ଟ ବିଶ୍ବସ୍ତରୀୟ ସଂସ୍କାରକୁ ସରକାର ହାତକୁ େନଇଛନ୍ତି।

ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ ରହିଛି ବୋଲି ସୂଚନା ଦେଇ ରାଜ୍ୟପାଳ କହିଲେ ଯେ ପୁଲିସର ଆଗୁଆ ସୁଚିନ୍ତିତ ପଦକ୍ଷେପ ଏହାର କାରଣ। ୪୯ପୁଲିସ କର୍ମଚାରୀ କୋଭିଡ୍‌ରେ ପ୍ରାଣ ଉତ୍ସର୍ଗ କରିଛନ୍ତି। ୯୪୦ ଜଣ ପ୍ଲାଜ୍‌ମା ଦାନ କରିଛନ୍ତି। ବାମପନ୍ଥୀ ଉଗ୍ରବାଦ ଦ୍ରୁତ ହ୍ରାସ ପାଇଛି। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳର ଗୁରା ସେତୁ, କଳାହାଣ୍ଡିର ମୂଷା ନାଳ, କନ୍ଧମାଳର ସାଡ଼ିଙ୍ଗିଆ ଠାରେ ନୂତନ ପୁଲିସ କଂପାନି ଅପରେସନ୍ ଭିତ୍ତିଭୂମି ସୃଷ୍ଟି ହୋଇଛି। ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବରେ ପୁଲିସ ଥାନା କାର୍ଯ୍ୟକ୍ଷମ ହୋଇଛି।

ନ୍ୟାୟପାଳିକାର ବି ଆଧୁନିକୀକରଣ କରାଯାଉଛି। ମାମଲାର ଭର୍ଚୁଆଲ ଶୁଣାଣି ଓ ବିଚାର ପାଇଁ ହାଇକୋର୍ଟରେ ହାଇସ୍ପିଡ୍ ଇଣ୍ଟରନେଟ୍ ବ୍ୟବସ୍ଥା ହୋଇଛି। ୩୦ ଜିଲ୍ଲାରେ ଏମିତି ହେବ। କୋର୍ଟ କେସ୍ ସମ୍ବନ୍ଧୀୟ କାଗଜାତ୍ ଅନ୍‌ଲାଇନରେ ଉପଲବ୍ଧ ପାଇଁ ଏକ ସ୍କାନିଂ ଓ ଡିଜିଟାଇଜେସନ୍ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

‘ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା’ ରାଜ୍ୟ ସରକାରଙ୍କର ଲକ୍ଷ୍ୟ ବୋଲି ସୂଚନା ଦେଇ ରାଜ୍ୟପାଳ କହିଥିଲେ ଯେ ବର୍ତ୍ତମାନ ୫ଟି ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏବଂ ୭ଟି ଜିଲ୍ଲା ହସ୍ପିଟାଲ ନିର୍ମାଣଧୀନ ଅବସ୍ଥାରେ ରହିଛି। ୩୫୦୦କୋଟି ବିନିଯୋଗରେ ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ଭଳି ଏକ ପ୍ରମୁଖ ସ୍ବାସ୍ଥ୍ୟ ସେବା ଅନୁଷ୍ଠାନକୁ ଏମ୍ସ ପ୍ଲସ୍ ଅନୁଷ୍ଠାନରେ ପରିବର୍ତ୍ତନ କରାଯିବ। ଅଗମ୍ୟ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଲାଗି ସେଭଳି ଗ୍ରାମକୁ ବିଜ୍ଞାପିତ କରାଯାଇଛି।

ଓଡ଼ିଶା ଖଣି ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରୁ ୩୦୫୯ କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼, ମୟୂରଭଞ୍ଜ, ଢେଙ୍କାନାଳ, କୋରାପୁଟ, କେନ୍ଦୁଝର, ଅନୁଗୁଳ, ଝାରସୁଗୁଡା ଓ ଯାଜପୁର ଭଳି ୮ଟି ଜିଲ୍ଲାର ଖଣି କାର୍ଯ୍ୟ ଦ୍ବାରା ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ୬୯୧ଟି ଗାଁରେ ୧୮ଟି ମେଗା ପାନୀୟ ଯୋଗାଣ ପ୍ରକଳ୍ପ ସରକାର ହାତକୁ ନେଇଛନ୍ତି। ରାଜ୍ୟର ସମସ୍ତ ସହରାଞ୍ଚଳରେ ପାଇପ୍ ଜଳଯୋଗାଣ ବ୍ୟବସ୍ଥା ପ୍ରଚଳନ କରିବାରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ହୋଇଛି। ଶତ ପ୍ରତିଶତ ଘରୋଇ ସଂଯୋଗ କାର୍ଯ୍ୟକାରୀ କରି ଭୁବନେଶ୍ବର ଦେଶର ପ୍ରଥମ ସହର ଭାବେ ପରିଗଣିତ ହେଉଛି। ଆଉ ୧୩ଟି ସହରରେ ଏହା କାର୍ଯ୍ୟକାରୀ ହେଉଛି। ଭୁବନେଶ୍ବର-ପୁରୀରେ ପାଇଲଟ୍ ପ୍ରକଳ୍ପ ଭିତ୍ତିରେ ୨୪ ଘଣ୍ଟିଆ ପାନୀୟ ଜଳ ବ୍ୟବସ୍ଥା ହେଉଛି।

ରାଜ୍ୟପାଳ କହିଥିଲେ ଯେ ୨୦୨୧ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳରୁ ବାହାରୁଥିବା ଶତ ପ୍ରତିଶତ ତରଳ ଓ କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅପପୁଷ୍ଟି ବ୍ଲକ ପାଇଁ ‘ସୋପାନ’ କାର୍ଯ୍ୟକ୍ରମରେ ୧୫୬୭ଟି ନୂତନ ଅଙ୍ଗନବାଡି କେନ୍ଦ୍ର ମଞ୍ଜୁର କରାଯାଇଛି।

ରାଜ୍ୟପାଳ କହିଥିଲେ ଯେ ବିଜୁ ଶିଶୁ ସୁରକ୍ଷା ଯୋଜନା ୨୦୨୦କୁ ପରିବର୍ଦ୍ଧିତ କରାଯିବ। ପିତୃମାତହୀନ ଅଥବା ପିତା କିମ୍ବା ମାତାଙ୍କ ମଧ୍ୟରୁ ଜଣକୁ ହରାଇଥିବା ଶିଶୁ, ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ଅନ୍ୟାନ୍ୟ ଶିଶୁ, ୪୮ ହଜାର ଟଙ୍କାରୁ କମ୍ ବାର୍ଷିକ ଆୟ କରୁଥିବା ପରିବାରର ଶିଶୁ ଏଡ୍‌ସ ରୋଗାକ୍ରାନ୍ତ ଶିଶୁଙ୍କୁ ଏହି ଯୋଜନା ପରିସରଭୁକ୍ତ କରାଯିବ।

ସରକାର ଜଳସଂରକ୍ଷଣ ଓ ଜଳ ବ୍ୟବହାରକୁ ଗୁରୁତ୍ବ ଦେଉଥିବା ସୂଚନା ଦେଇ ରାଜ୍ୟପାଳ କହିଥିଲେ, ଆସନ୍ତା ୪-୫ବର୍ଷରେ ୧୧ ହଜାର ୭୦୦ କୋଟି ପୁଞ୍ଜିନିବେଶରେ ଭୂପୃଷ୍ଠ ଜଳ ଓ ନଦୀର ବ୍ୟାପକ ସଂରକ୍ଷଣ କାର୍ଯ୍ୟ ହାତକୁ ନିଆଯାଉଛି। ଗ୍ରିନ୍ କ୍ଲାଇମେଟ୍ ଫଣ୍ଡ ସହଭାଗିତାରେ ୧୦୯୮ କୋଟି ଟଙ୍କାରେ ୧୫ ଜିଲ୍ଲାରେ ୧୦ ହଜାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଜଳସେଚନ ଟ୍ୟାଙ୍କ ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧି ହେବ।

କ୍ରୀଡ଼ା ସଂପର୍କରେ ରାଜ୍ୟପାଳ କହିଥିଲେ, ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଓଡ଼ିଶା ଆଗକୁ ବଢୁଛି। ରାଜ୍ୟକୁ ଦେଶର ପ୍ରମୁଖ କ୍ରୀଡ଼ାସ୍ଥଳୀରେ ପରିଣତ କରାଯିବ। ଭୁବନେଶ୍ବର ଓ ରାଉରକେଲାରେ ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ବ କପ୍ ୨୦୨୩ ପାଇଁ ଆୟୋଜକ ରାଜ୍ୟ ହେଉଛି ଓଡ଼ିଶା। ଏହା ପୂର୍ବରୁ ରାଉରକେଲାରେ ଭାରତବର୍ଷର ବୃହତ୍ତମ ହକି ଷ୍ଟାଡି଼ୟମ୍ ନିର୍ମାଣ ଆରମ୍ଭ ହେଉଛି। ରାଜ୍ୟବ୍ୟାପୀ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ ପାଇଁ ସବୁ ଜିଲ୍ଲା ସହରାଞ୍ଚଳରେ ସରକାର ଇନ୍‌ଡୋର କ୍ରୀଡ଼ାଶାଳା, ଖେଳପଡ଼ିଆ ନିର୍ମାଣ ହେଉଛି।

ଶିଳ୍ପାୟନ ସଂପର୍କରେ ସୂଚନା ଦେଇ ରାଜ୍ୟପାଳ କହିଥିଲେ, ଓଡ଼ିଶା ଦ୍ରୁତ ଗତିରେ ପୂର୍ବଭାରତର ଉତ୍ପାଦନ କେନ୍ଦ୍ର ଭାବେ ଉଭା ହୋଇଛି। କୋଭିଡ୍ ସତ୍ତ୍ବେ ୧.୨୦ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ଇତିମଧ୍ୟରେ ସରକାର ମଞ୍ଜୁରି ଦେଇସାରିଲେଣି। ରାଜ୍ୟର ପ୍ରମୁଖ ସ୍ଥାନରେ ୧୧୭ଟି ଶିଳ୍ପାଞ୍ଚଳର ବିକାଶ ହୋଇଛି। ସରକାର ପ୍ରଥମ ପର୍ଯ୍ୟାୟରେ ଥିବା ୧୦ଟି ଶି​ଳ୍ପାଞ୍ଚଳର ଆଧୁନିକୀକରଣ ଓ ସଂପ୍ରସାରଣ ସହିତ ଭିଜନ-୨୦୨୫ରେ ପ୍ରସ୍ତାବିତ ୫ଟି ସର୍ବୋତ୍କୃଷ୍ଟ ନୂତନ ଶିଳ୍ପପୁଞ୍ଜ ଆଗାମୀ ୫ବର୍ଷରେ ସୃଷ୍ଟି କରିବାକୁ ପଦକ୍ଷେପ ନେଇଛନ୍ତି।

ଓଡ଼ିଆ ବିଶ୍ବବିଦ୍ୟାଳୟ ସଂପର୍କରେ ରାଜ୍ୟପାଳ କହିଥିଲେ ଯେ ସତ୍ୟବାଦୀ ଠାରେ ଜମି ଅଧିଗ୍ରହଣ ସରିଛି। ଓଡ଼ିଶା ବିଶ୍ବବିଦ୍ୟାଳୟ ଗବେଷଣା ଓ ନବଉନ୍ମେଷ ପ୍ରୋତ୍ସାହନ ଯୋଜନା ଭଳି ନୂତନ ଉଦ୍ୟମ ମାଧ୍ୟମରେ ଗବେଷଣାକୁ ଗୁରୁତ୍ବ ମିଳିବ। ବିଶେଷକରି ମହିଳା ଗବେଷକଙ୍କୁ ଅଧିକ ଗୁରୁତ୍ବ ଦିଆଯିବ। ଗବେଷକମାନଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ, ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଯୁବ ଅଧ୍ୟାପକମାନଙ୍କୁ ଗବେଷଣା ନିମନ୍ତେ ମୂଳ ପୁଞ୍ଜି ସହିତ ସନ୍ଦର୍ଭ ପ୍ରକାଶନ ନିମନ୍ତେ ସହାୟତା ଏହି ଯୋଜନାରେ ମିଳିବ।

କଳାହାଣ୍ଡି ଜିଲ୍ଲାର ନର୍ଲା ରେଳଷ୍ଟେସନଠାରୁ ପ୍ରସ୍ତାବିତ ବିଦ୍ୟୁତ ଲୋକୋମୋଟିଭ୍ ଵାର୍କସପ୍ ପର୍ଯ୍ୟନ୍ତ ରେଳପ୍ରକଳ୍ପ ଲାଗି ମାଗଣାରେ ଜମି ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ବିମାନ ଚଳାଚଳ ସଂପ୍ରସାରଣ ପାଇଁ ବୀରାଶାଳ ଏୟାରଷ୍ଟ୍ରିପ୍ ଠାରେ ଏକ ବିମାନ ଚାଳନା ତାଲିମ କେନ୍ଦ୍ର, ମାଲକାନଗିରିରେ ନୂତନ ଏୟାର ଷ୍ଟ୍ରିପ୍ ନିର୍ମାଣ, ଆରସିଏସ୍‌ ଉଡ଼ାଣ ଯୋଜନାରେ କୋରାପୁଟ ଜିଲ୍ଲାର ଜୟପୁର ଏୟାର ଷ୍ଟ୍ରିପ୍, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଏୟାରଷ୍ଟ୍ରିପ୍, କଳାହାଣ୍ଡି ଜିଲ୍ଲାର ଉତ୍‌କେଲା ଏୟାରଷ୍ଟ୍ରିପ୍ ଉନ୍ନତିକରଣ କରାଯାଇ ପୂର୍ଣ୍ଣ ବିକଶିତ ବିମାନ ବନ୍ଦର କରାଯିବ। ସେହିଭଳି ଝାରସୁଗୁଡା ଏୟାରଷ୍ଟ୍ରିପ୍୍‌କୁ ଏକ ପୂର୍ଣ୍ଣାଙ୍ଗ ବ୍ୟାବସାୟିକ ବିମାନ ବନ୍ଦର କରାଯାଉଛି।

ସମ୍ବନ୍ଧିତ ଖବର