କୋମନା: କୋମନା ବ୍ଲକ୍‌ ମାନିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ସିହନାମୁଣ୍ତା ଗାଁ ଲୋକେ ବହୁଦିନ ହେଲା ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଏସବୁର ସମାଧାନ ପାଇଁ ସେମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହଇଛନ୍ତି। ସୂଚନା ଅନୁସାରେ, ସିହନାମୁଣ୍ତା ଗାଁରେ ବର୍ଷ ବର୍ଷ ଧରି ଜଳକଷ୍ଟ ଲାଗି ରହିଛି। ଏନେଇ ଅନେକ ଥର ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ବ୍ଲକ୍‌ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଜଣାଇ ବିଫଳ ହୋଇଛନ୍ତି। ସେମାନଙ୍କ କହିବା ଅନୁସାରେ, ଗାଁରେ ଥିବା ଏକମାତ୍ର ଖଜୁରୀବନ୍ଧ କୁଦୁଅ ଓ ଆବର୍ଜନାରେ ପୋତିହୋଇଛି। ଏହି ପୋଖରୀ ପ୍ରତି କେହି ଧ୍ୟାନ ନଦେବାରୁ ଦିନକୁ ଦିନ କାଦୁଅ ଓ ଆବର୍ଜନାରେ ପୋତିହେବା ଫଳରେ ଖରାଦିନେ ଗାଁ ଲୋକେ ଓ ଗାଁର ଗୃହପାଳିତ ପ୍ରାଣିମାନେ ପାଣି ପାଇଁ ଡହଳବିକଳ ହେଉଛନ୍ତି।

Advertisment

ଗ୍ରାମବାସୀ ଯିବା ଆସିବା ପାଇଁ ଭଲ ରାସ୍ତା ନଥିବାରୁ ସାମାନ୍ୟ ଅସରାଏ ବର୍ଷା ହେଲେ କାଦୁଅ ପଚ ପଚ ହୋଇ ପଡ଼ାକୁ ପଡ଼ା ଯିବା କଷ୍ଟକର ହେଉଛି। ଗାଁର ନଳକୂପର ଜଳସ୍ତର ହ୍ରାସ ପାଉଥିବାରୁ ମହିଳାମାନେ ପାଣି ମାଠିଏ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ପୁଣି ଏହି ଗାଁର ଅନେକ ଲୋକ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ଚିହ୍ନଟ ହୋଇଥିବା ସ୍ଥାନରେ ନିର୍ମାଣ କରିବା ଆଦି ଦାବି କରି ଗାଁଲୋକେ ଏହାର ସମାଧାନ ପାଇଁ ଜିଲ୍ଲାପାଳ କୋମନା ଆସିଥିବା ଜାଣି ତାଙ୍କୁ ସାକ୍ଷାତ କରି ଦାବି କରିଥିଲେ। ଏହି ସମୟରେ ରୁଦ୍ରମଣି ପରୁଆ, ଖଗେଶ୍ୱର ହଂସ, କୃଷ୍ଣ ବାଗ, ବେଣୁଧର କଠାର, ଉର୍ମିଳା କଠାର, ଲୋକନାଥ କଠାର, ନାଦେବ ପରୁଆ, ରେମତୀ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ।