ସିକନ୍ଦର ଆଲମ ଆମ ସମୟର ଭକ୍ତ ସାଲବେଗ

ସିକନ୍ଦର ଆଲମଙ୍କ ୭୯ତମ ଜୟନ୍ତୀ : ପ୍ରଣବଙ୍କୁ ସିକନ୍ଦର ଆଲମ ସ୍ମୃତି ସମ୍ମାନ, ଡି ଶ୍ରୀନିବାସଙ୍କୁ ବାଦ୍ୟରତ୍ନ ସମ୍ମାନ

ଭୁବନେଶ୍ୱର : ଓଡ଼ିଆ ସଂଗୀତ ଜଗତର ୪ ଦିଗ୍‌ଗଜଙ୍କ ମଧ୍ୟରେ ସିକନ୍ଦର ଆଲମ ଥିଲେ ଅନ୍ୟତମ ଶିଳ୍ପୀ। ସେ ଥିଲେ ଆମ ସମୟର ଭକ୍ତ ସାଲବେଗ। ରାଜ୍ୟ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସହଯୋଗରେ ସିକନ୍ଦର ଆଲମ ଫାଉଣ୍ଡେସନ୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସିକନ୍ଦରଙ୍କ ୭୯ତମ ଜୟନ୍ତୀ ଉତ୍ସବରେ ଏପରି ଆଲୋକପାତ କରିଛନ୍ତି ଅତିଥିବୃନ୍ଦ। ଏହି ଅବସରରେ ବର୍ଷିୟାନ କଣ୍ଠଶିଳ୍ପୀ ପ୍ରଣବକିଶୋର ପଟ୍ଟନାୟକଙ୍କୁ ‘ସିକନ୍ଦର ଆଲମ୍‌ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ କାର୍ଯ୍ୟାଳୟରେ ଏହି ପୁରସ୍କାର ପ୍ରଦାନ କରିଥିଲେ। ରବୀନ୍ଦ୍ର ମଣ୍ଡପରେ ତାଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ସମ୍ବର୍ଧିତ କରାଯାଇଥିଲା। ଏଥିସହ ବିଶିଷ୍ଟ ତାଳବାଦକ ଡି ଶ୍ରୀନିବାସଙ୍କୁ ୨୫ହଜାର ଟଙ୍କାର ଅର୍ଥରାଶି ସହ ‘ସିକନ୍ଦର ଆଲମ୍‌ ବାଦ୍ୟରତ୍ନ ସମ୍ମାନ’ ପ୍ରଦାନ କରାଯାଇଥିଲା। ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ‘ଉତ୍କଳ ପ୍ରସଙ୍ଗ’ର ସମ୍ପାଦକ ଲେନିନ୍‌ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଫାଉଣ୍ଡେସନ୍‌ର ସଭାପତି ନଇମା ଆଲମ୍‌, ସମ୍ପାଦିକା ନାଜିଆ ଆଲମ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ବରୁ ଆୟୋଜିତ ସଂଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ କନିଷ୍ଠ ବିଭାଗରେ ଆକାଂକ୍ଷା ସାହୁ, ଆୟୁଷ୍ମାନ ପାଣିଗ୍ରାହୀ ଓ ରୁଦ୍ରମାଧବ ମାଦଳ ଏବଂ ବରିଷ୍ଠ ବର୍ଗରେ ପ୍ରାଚୀର ମିଶ୍ର, ସୌମ୍ୟରଂଜନ ସ୍ୱାଇଁ, ଅର୍ଣ୍ଣବ ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ମୃତିସ୍ୱରୂପ ପାତ୍ରଙ୍କୁ ‘ନଇମା ଆଲାମ ସ୍ୱତନ୍ତ୍ର ଜୁରି ସମ୍ମାନ’ ପ୍ରଦାନ କରାଯାଇଥିଲା। ପରେ ସିକନ୍ଦର ଆଲମଙ୍କ କଣ୍ଠ ନିଃସୃତ ଗୀତକୁ ନେଇ ପ୍ରଣବ କିଶୋର ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପାଲିତ୍‌, ମହାପ୍ରସାଦ କର, ସୌରଭ ନାୟକ, ସୁଶାନ୍ତ ପଣ୍ଡା, ନାଜିଆ ଆଲମ, ରନ୍ଦୀପ ପାଲିତ୍‌, ଅଭିଜିତ ମିଶ୍ର, ବନ୍ଦିଶ ପାଲିତ୍‌, ନନ୍ଦିନୀ ମହାନ୍ତି ଓ ବିଷ୍ଣୁ ଷଡ଼ଙ୍ଗୀ ସଂଗୀତ ପରିବେଷଣ କରିଥିଲେ। ଡ.ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ପ୍ରଣବଙ୍କୁ ସମ୍ବର୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରଖ୍ୟାତ କଣ୍ଠଶିଳ୍ପୀ ସ୍ୱର୍ଗତ ମହମ୍ମଦ ସିକନ୍ଦର ଆଲାମ୍‌ଙ୍କ ୭୯ତମ ଜୟନ୍ତୀରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସିକନ୍ଦର ଆଲାମ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ପ୍ରଣବଙ୍କୁ ସ୍ମାରକୀ ଓ ପଟ୍ଟବସ୍ତ୍ର ଦେଇ ସମ୍ମାନିତ କରିଥିଲେ। ସିକନ୍ଦର ଆଲାମ ଫାଉଣ୍ଡେସନ୍‌ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ମାନ ପ୍ରଦାନ ସମୟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସିକନ୍ଦରଙ୍କ ସହଧର୍ମିଣୀ ନଇମା ଆଲାମ, ଝିଅ ନାଜିଆ ଆଲାମ ଏବଂ ‘ଉତ୍କଳ ପ୍ରସଙ୍ଗ’ର ସମ୍ପାଦକ ଲେନିନ୍‌ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର