ଜଗତସିଂହପୁର: ଦେଢ଼ ଘଣ୍ଟାକୁ ସୁବର୍ଣ୍ଣ ସମୟ ଭାବି ଖସି ପଳାଇଲା ସିକନ୍ଦର ଆଲାମ୍ ଓରଫ୍ ସିକୋ। ୫ ଦିନ ପରେ ବି ତାର ପତ୍ତା ପାଉନି ପୁଲିସ। ସିକନ୍ଦର ଭାଇ ମୋତାଲିଫ୍ର ମଧ୍ୟ ସନ୍ଧାନ ମିଳୁନି। ଉଭୟ କଟକରୁ ବସ୍ ଯୋଗେ ପଶ୍ଚିମବଙ୍ଗ ପଳାଇଥିବା ସନ୍ଦେହ କରାଯାଉଛି। ପୁଲିସର ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିଲେ ମଧ୍ୟ ସେମାନଙ୍କ ସଂପର୍କରେ କୌଣସି ତଥ୍ୟ ମିଳି ପାରୁନାହିଁ।
ମିଳିଥିବା ସୂଚନା ଅନୁସାରେ, ୧୬ ତାରିଖ ସନ୍ଧ୍ୟାରେ ଜଗତସିଂହପୁର ଥାନା ଅନ୍ତର୍ଗତ ଧନୀପୁର ବେହେରାମପୁରରେ ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ଖବର ପାଇ ଚଢ଼ଉ କରିଥିଲା ପୁଲିସ। ଅତିରିକ୍ତ ଏସ୍ପି, ତରିକୁନ୍ଦ ବିଟ୍ ହାଉସ୍ ଅଧିକାରୀ ଓ ମହିଳା କନେଷ୍ଟବଳଙ୍କ ସମେତ ୫ ଜଣ ସାମିଲ ହୋଇଥିଲେ। ଚଢ଼ଉ କରିବା ମାତ୍ରେ ସିକନ୍ଦରର ଦୁଇ ଭଉଣୀ ପୁଲିସକୁ ଆକ୍ରମଣ କରିଥିଲେ। ଏହାର ସୁଯୋଗ ନେଇ ସିକନ୍ଦର ଓ ତା ଭାଇ ମୋତାଲିଫ୍ ଫେରାର ହୋଇ ଯାଇଥିଲେ। ଗଲା ବେଳେ ସିକନ୍ଦର ସାଙ୍ଗରେ ସିସିଟିଭି କ୍ୟାମେରା ହାର୍ଡ ଡିସ୍କ ନେଇ ପଳାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ଅଧିକ ଫୋର୍ସ ମଗାଯାଇଥିଲା ଓ ଅଧିକାରୀମାନେ ପହଞ୍ଚିଥିଲେ। ସେତେବେଳକୁ ପ୍ରାୟ ଘଣ୍ଟାଏରୁ ଦେଢ଼ ଘଣ୍ଟା ହୋଇ ଯାଇଥିଲା। ତୁରନ୍ତ ସିକନ୍ଦର ପିଛା କରାଯାଇ ପାରି ନ ଥିଲା।
କଟକରୁ ବସ୍ ଯୋଗେ ପଶ୍ଚିମବଙ୍ଗ ପଳାଇଥିବା ସନ୍ଦେହ
ନିଜ ଘର ନିଜେ ଭାଙ୍ଗି ପଳାଉଛନ୍ତି ସନ୍ଦିଗ୍ଧ
୧୦ ବାଂଲାଦେଶୀ ଚିହ୍ନଟ, ପାରାଦୀପରେ ବୋଟ୍ ଯାଞ୍ଚ କଡ଼ାକଡ଼ି
ଫଳରେ ଫେରାର ହେବାକୁ ସିକନ୍ଦର ପାଇଁ ସହଜ ହୋଇ ଯାଇଥିଲା। ସିକନ୍ଦର ଘରୁ ଜବତ ହୋଇଥିବା ବ୍ୟାଙ୍କ ପାସ୍ବୁକର ଆର୍ଥିକ ଦେଣନେଣକୁ ଯାଞ୍ଚ କରୁଛି ପୁଲିସ। କେବଳ ସିକନ୍ଦର ନୁହେଁ, ତା ଭାଇ ମୋତାଲିଫ୍ ଓ ପରିବାରର ଅନ୍ୟ ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଉଛି। ସେ ଆଧାର କାର୍ଡ କେଉଁଠି ତିଆରି କରେ ତାହାର ମଧ୍ୟ ତଥ୍ୟ ସଂଗ୍ରହ ଚଳାଇଛି ତଦନ୍ତକାରୀ ଟିମ୍।
ଅନ୍ୟପକ୍ଷରେ ବେହେରାମପୁର ବସ୍ତିରେ ବେଆଇନ ଭାବେ ଘର କରି ରହିଥିବା ଓ ସନ୍ଦିଗ୍ଧମାନଙ୍କୁ ନୋଟିସ୍ କରାଯିବା ପରେ ସେମାନେ ନିଜ ଘର ନିଜେ ଭାଙ୍ଗି ସାମଗ୍ରୀ ଧରି ପଳାଉଛନ୍ତି। ଖବର ପାଇ ପୁଲିସ ସେଠାରେ ପହଞ୍ଚି ୫ ଜଣଙ୍କୁ ଉଠାଇ ନେଇଛି। ସେମାନଙ୍କୁ ବିରିଡ଼ି ବାଗଲପୁରରେ ରଖାଯାଇ ଯାଞ୍ଚ କରୁଛି ସ୍ପେସାଲ୍ ଟାସ୍କଫୋର୍ସ। ତିନି ଦିନ ଧରି ମାରାଥନ୍ ଯାଞ୍ଚ ପରେ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ସନ୍ଦିଗ୍ଧଙ୍କ ମଧ୍ୟରୁ ୧୦ ଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସେମାନେ ବାଂଲାଦେଶ ସୀମା ଡେଇଁ ପଶ୍ଚିମବଙ୍ଗ ଆସିବା ପରେ ସେଠାରୁ ବସ୍ ଯୋଗେ ଓଡ଼ିଶା ଆସିଥିଲେ। ଏହା ପରେ ସିକନ୍ଦର ସେମାନଙ୍କୁ ଜଗତସିଂହପୁର ଆଣି ରହିବା ବନ୍ଦୋବସ୍ତ କରିଥିଲା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପାରାଦୀପ ମାଛଧରା ବନ୍ଦରରେ ବାଂଲାଦେଶୀଙ୍କୁ ଠାବ ପାଇଁ ପୁଲିସ ପକ୍ଷରୁ ବୋଟ୍ ଯାଞ୍ଚ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/21/baramunda-bus-stand-2025-11-21-01-29-17.jpg)