ଶିଖ ଯୁବକଙ୍କୁ ମାଡ଼ ଘଟଣାରେ ପୁଲିସ କମିଶନର ଓ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଲିସ ଉପସ୍ଥିତିରେ ଶିଖ ଯୁବକଙ୍କୁ ମାଡ଼ ଘଟଣାରେ ଦୁଇଜଣ ଗିରଫ ହୋଇଛନ୍ତି । ସେପଟେ ଏହି ଘଟଣାରେ ପୁଲିସ କମିଶନର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ଘେରିଛି । ପୁଲିସର ଖାମଖିଆଲ ମନୋଭାବ ଲାଗି ଗୃହମନ୍ତ୍ରୀ, ଗୃହରାଷ୍ଟ୍ରମନ୍ତ୍ରୀ, ପୁଲିସ କମିଶନର, ଡିଜିପି ଓ ଡିସିପି ନୈତିକତାର ସହ ଉତ୍ତରଦାୟିତ୍ୱ ନିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । କେବଳ ପିଏସଆରର ଭାରପ୍ରାପ୍ତ ଅଧିକାରୀଙ୍କୁ ନିଲମ୍ବନ କରିବା ଏହାର ସମାଧାନ ନୁହେଁ ବୋଲି କଂଗ୍ରେସ କହିଛି । ଗତକାଲି ଲକ୍ଷ୍ମୀସାଗର ଅଞ୍ଚଳରୁ ଏଭଳି ଅଭାବନୀୟ ଦୃଶ୍ୟ ଆସିଥିଲା । ପରବିନ୍ଦର ପାଲ ନାମକ ଯୁବକ ସ୍କୁଲ ଛୁଟି ପରେ ନିଜ ଝିଅକୁ ନେଇ ଘରକୁ ଯାଉଥିଲେ।

ଏହି ସମୟରେ କେତେକ ଯୁବକ ଆପାର୍ଟମେଣ୍ଟ ସମ୍ମୁଖ ରାସ୍ତାକୁ ଅବରୋଧ କରି ରଖିଥିଲେ। ପରବିନ୍ଦର ସେମାନଙ୍କୁ ସାଇଡ୍‌ ମାଗିଥିଲେ। କିନ୍ତୁ ଏଥିରେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ ସେହି ଯୁବକମାନେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପରବିନ୍ଦରଙ୍କୁ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ଯାଇ ପରବିନ୍ଦର ଆପାର୍ଟମେଣ୍ଟ ଭିତରକୁ ପଶି ପୁଲିସ କ‌ଣ୍ଟ୍ରୋଲ ରୁମକୁ ଫୋନ କରିଥିଲେ। ଖବର ପାଇ ପିସିଆର୍‌ ଭ୍ୟାନ୍‌ ମଧ୍ୟ ଘଟଣାସ୍ଥଳକୁ ଆସିଥିଲା। ପୁଲିସକୁ ଦେଖି ପରବିନ୍ଦରଙ୍କ ସାହସ ହୋଇଥିଲା। ସେ ପିସିଆର୍‌ ଭ୍ୟାନ୍‌ ନିକଟକୁ ଆସିଥିଲେ। ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଉଥିବା ବେଳେ ୫ରୁ ୬ଜଣ ଯୁବକ ପୁଣିଥରେ ସେଠାରେ ପହଞ୍ଚି ପରବିନ୍ଦରଙ୍କୁ ଗାଳିଗୁଲଜ କରିବା ସହିତ ମୁଥ ଉପ‌ରେ ମୁଥ ମାରି ଚାଲିଥିଲେ। ଏଥିରେ ତାଙ୍କ ଆଖି, କାନ, ନାକ ଓ ପେଟରେ ଗଭୀର ଆଘାତ ଲାଗିଥିଲା ।

ଏପରିକି ଯୁବକମାନେ ତାଙ୍କ ପଗଡ଼ିକୁ କାଢ଼ି ତଳକୁ ଫିଙ୍ଗି ଦେଇଥିଲେ। ପରେ ତାଙ୍କ ମୁଣ୍ଡକୁ ଇଟାରେ ଛେଚି ଦେବାକୁ ଉଦ୍ୟମ କରିଥିଲେ। ପୁଲିସ ସମ୍ମୁଖରେ ଏସବୁ ଘଟଣା ଘଟିଥିଲେ ମଧ୍ୟ ପୁଲିସ ଚୁପ ଥିଲା। ଆକ୍ରମଣକାରୀ ଯୁବକ ପରବିନ୍ଦରଙ୍କୁ ଆକ୍ରମଣ କରିବା ପରେ ପୁଲିସ ସହ କଥାବାର୍ତ୍ତା ହୋଇ ସେଠାରୁ ଖସି ଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ପିସିଆର୍‌ ଭ୍ୟାନ୍‌ ଇନ୍‌ଚାର୍ଜଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ଅତିରିକ୍ତ ପୁଲିସ କମିସନର୍‌ ଅନୁପ ସାହୁ କହିଛନ୍ତି। ସେହିପରି ଅଭିଯୁକ୍ତମାନେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସୁକାନ୍ତ ରାଉତ ଏବଂ ଦୀପକ ମହାନ୍ତି।

ସମ୍ବନ୍ଧିତ ଖବର