ଲକ୍ଷ୍ମୀସାଗର ଗଣ୍ଡଗୋଳ ଘଟଣା: ଅଭିଯୁକ୍ତ ‌ଶିଖର ଜେନା ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଲକ୍ଷ୍ମୀସାଗର ୱାର୍ଡ ନମ୍ବର ୩୩ରେ ଘଟିଥିବା ଗଣ୍ଡ‌ଗୋଳ ଘଟଣାରେ ପୁଲିସ ଆଜି ଅଭିଯୁକ୍ତ ଶିଖର ଜେନାକୁ ଗିରଫ କରିଛି। ଅନ୍ୟପଟରେ ଶିଖର ଜେନାର ସମର୍ଥକମାନେ ଥାନା ଘେରାଉ କରିଛନ୍ତି। ଫଳରେ ଉତ୍ତେଜନା ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ ହୋଇଛନ୍ତି।

ସୂଚନା ଅନୁସାରେ ଲକ୍ଷ୍ମୀସାଗର ୱାର୍ଡ ନମ୍ବର ୩୩ରେ ପ୍ରାକ୍‌ ନିର୍ବାଚନୀ ହିଂସା ଘଟଣାରେ ଏପର୍ଯ୍ୟନ୍ତ ବିଜେପିର ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୭ ଜଣ ବିଜେଡି କର୍ମୀ ଗିରଫ ହୋଇଛନ୍ତି। ତେବେ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି। ବିଜେପି ପ୍ରାର୍ଥିନୀ ଧରିତ୍ରୀ ଜେନାଙ୍କ ଦିଅର ରାକେଶ ଜେନାକୁ ଗିରଫ ନେଇ ବିବାଦ ଦେଖାଦେଇଛି। ପ୍ରତିବାଦରେ ବିଜେପି ପକ୍ଷରୁ ସନ୍ଧ୍ୟା ସମୟରେ ଲକ୍ଷ୍ମୀସାଗର ଥାନା ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବିଜେପି ପକ୍ଷରୁ କୁହାଯାଇଛି ଯେ, ହିଂସାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଉନାହିଁ। ଅଥଚ ପୁଲିସ ନିର୍ବାଚନ ପରିଚାଳନା କରୁଥିବା ଧରିତ୍ରୀ ଜେନାଙ୍କ ଦିଅର ରାକେଶଙ୍କୁ ଗିରଫ କରି ଭୋଟରଙ୍କୁ ପ୍ରଭାବିତ କରିଛି। ତାଙ୍କୁ ତୁରନ୍ତ ଛାଡ଼ିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଜେପି ଦୃଢ଼ ଦାବି କରିଛି। ରାକେଶକୁ ଛଡ଼ାନଗଲେ ଥାନା ସମ୍ମୁଖରେ ଧାରଣା ଜାରି ରହିବ। ଦରକାର ପଡ଼ିଲେ ଆଗକୁ ଆନ୍ଦୋଳନ ତୀବ୍ରରୂପ ନେବ ବୋଲି ବିଜେପି ଜିଲ୍ଲା ସଭାପତି ବାବୁ ସିଂହ ଚେତାବନୀ ଦେଇଛନ୍ତି। ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ କର୍ମୀ ଥାନା ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ରବିବାର ରାତି ଅଧରେ ଲକ୍ଷ୍ମୀସାଗର ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା। ଖଣ୍ଡା, ଭୁଜାଲି, ଠେଙ୍ଗା ଦେଖାଯାଇଥିଲା। ସ୍ଥାନୀୟ ଅଞ୍ଚଳ ଅଶାନ୍ତ ହୋଇଉଠିଲା। ସବୁଠୁ ବଡ଼କଥା ହେଲା ଯେ, ଥାନା ସମ୍ମୁଖରେ ଏହି ଘଟଣା ଘଟିଥିଲା। ଏହି ଗୋଷ୍ଠୀ ସଂଘର୍ଷରେ ୧୦ରୁ ଊର୍ଧ୍ବ ଆହତ ହୋଇଛନ୍ତି। ବିଜେଡି କର୍ପୋରେଟର ପ୍ରାର୍ଥୀ ଶ୍ରୀଧର ଜେନା, ଶିଖର ଜେନା, ଦୀପକ ଜେନା, ଆଲୋକ ଜେନା, ହରପ୍ରସାଦ ଜେନାଙ୍କ ସମତେ ଅନ୍ୟ ସମର୍ଥକମାନେ ଆହତ ହୋଇଥିବା ବେଳେ ବିଜେପି କର୍ପୋରେଟର ପ୍ରାର୍ଥୀଙ୍କ ସ୍ବାମୀ ଉମାକାନ୍ତ ଜେନା, ନିବାସ ଜେନା, ସୁରେଶ ଜେନା ଏବଂ ପ୍ରକାଶ ଜେନାଙ୍କ ସମେତ କେତେକ ସମର୍ଥକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର