କଳାହାଣ୍ଡିରେ ଶିକ୍ଷା ସହାୟକ ପ୍ରାଥୀଙ୍କୁ ବିରୋଧ ପ୍ରସଙ୍ଗ : ଖୋର୍ଧାରେ ହେବ ସାର୍ଟିଫିକେଟ୍‌ ଯାଞ୍ଚ

ଭୁବନେଶ୍ୱର : ଶିକ୍ଷା ସହାୟକ ଆଶାୟୀଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ସମୟରେ କଳାହାଣ୍ଡି ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାହାର ଜିଲ୍ଲାରୁ ଯାଇଥିବା ଆଶାୟୀଙ୍କୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। ଏହାର ପ୍ରତିବାଦରେ ଦୁଇ ଦିନ ତଳେ ଆଶାୟୀ ପ୍ରାର୍ଥୀମାନେ ଓଡ଼ିଶା ପ୍ର୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେପା) କାର୍ଯ୍ୟାଳୟ ଘେରାଉ କରିବା ସହ ନ୍ୟାୟ ପାଇଁ ଦାବି ଜଣାଇଥିଲେ।

ଓପେପା ପକ୍ଷରୁ ଏବେ ପଦକ୍ଷେପ ନିଆଯାଇଛି। ଯେଉଁ ପ୍ରାର୍ଥୀ ଓ ପ୍ରାର୍ଥିନୀ କଳାହାଣ୍ଡି ଜିଲ୍ଲାରେ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରାଇପାରି ନାହାନ୍ତି ସେମାନଙ୍କୁ ସୁଯୋଗ ଦିଆଯାଇଛି। ଆସନ୍ତା ୭ ଓ ୮ ତାରିଖରେ ଉକ୍ତ ପ୍ରାର୍ଥୀମାନେ ଖୋର୍ଧା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ(ଡିଆଇଇଟି)ଠାରେ ସେମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରାଇପାରିବେ। ଦୁଇଦିନଧରି ଚାଲିବାକୁ ଥିବା ଏହି ଯାଞ୍ଚ ପ୍ରକ୍ରିୟାରେ ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କୁ ଅଲଗା ଅଲଗା ଦିନ ଡକାଯାଇଛି। ୭ ତାରିଖ ସକାଳ ୯ଟାଠାରୁ ଯୁକ୍ତ୨ ବିଜ୍ଞାନ ସିଟି, ବିଏସ୍‌ସି ବିଏଡ୍‌, ବିଏବିଏଡ୍‌ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ସାର୍ଟିଫିକେଟ୍‌ ଯାଞ୍ଚ କରିପାରିବେ। ୮ ତାରିଖ ସକାଳ ୯ଟା ୩୦ରୁ ଯୁକ୍ତ୨ କଳା ସିଟି ଛାତ୍ରଛାତ୍ରୀ ସେମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରିପାରିବେ ବୋଲି ଓପେପା ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ଅନ୍ୟ କୌଣସି ଜିଲ୍ଲାରେ ପ୍ରାର୍ଥୀମାନେ ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେମାନଙ୍କ ସାର୍ଟିଫିକେଟ୍‌ ଜିଲ୍ଲାସ୍ତରରେ ଯାଞ୍ଚ କରିପାରି ନାହାନ୍ତି ସେମାନେ ମଧ୍ୟ ସେମାନଙ୍କର ପ୍ରଥମ ପସନ୍ଦ ଜିଲ୍ଲାରେ ଫେବ୍ରୁଆରି ୭ ଓ ୮ରେ ସାର୍ଟିଫିକେଟ୍‌ ଯାଞ୍ଚ କରିପାରିପାରିବେ। ପ୍ରାର୍ଥୀମାନେ ଓପେପା େଓ୍ଵବସାଇଟ୍‌ ‘www.opepa.in’ରୁ ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିପାରିବେ ବୋଲି ଓପେପା ପ୍ରକଳ୍ପ ନିର୍ଦେଶକ କହିଛନ୍ତି।

ସମ୍ବନ୍ଧିତ ଖବର