ଶିକ୍ଷା ସହାୟକଙ୍କ ଉଦ୍‌ବେଗ : ଖାଲି ନାମ ବଦଳିଲା, ଦରମା ବଢ଼ିଲାନି

ଭୁବନେଶ୍ବର : ସରକାର ଶିକ୍ଷା ସହାୟକମାନଙ୍କ ନାମକୁ ବଦଳାଇ କନିଷ୍ଠ ଶିକ୍ଷକ କରିଦେଲେ। ପ୍ରଥମ ତିନି ବର୍ଷ କାର୍ଯ୍ୟକାଳକୁ କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ ପରବର୍ତ୍ତୀ ତିନି ବର୍ଷକୁ କନିଷ୍ଠ ଶିକ୍ଷକ ଭାବେ ଘୋଷଣା କଲେ। କିନ୍ତୁ ବେତନ ବୃଦ୍ଧି ପାଇଲାନି। ମାତ୍ର ୬୫୧୨ ଟଙ୍କା ମାସିକ ଦରମା ଦେଇ କାମ କରାଉଛନ୍ତି। ଆମେ ଆନ୍ଦୋଳନ କରିବା ସମୟରେ ଆମର ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇ ଆନ୍ଦୋଳନ ବନ୍ଦ କରିଦେଲେ। ଏବେ ଦାବି ପୂରଣ କରିବାକୁ କହିବାରୁ କେନ୍ଦ୍ର ଉପରେ ଦୋଷ ଦେଇ ରାଜ୍ୟ ସରକାର ଖସି ଯାଉଛନ୍ତି। ଯଦି ଦୀପାବଳି ପୂର୍ବରୁ ରାଜ୍ୟ ସରକାର କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି ନକରନ୍ତି ତେବେ ପୁଣି ୭୦ହଜାରରୁ ଉର୍ଦ୍ଧ୍ବ କନିଷ୍ଠ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବି.ଏଡ୍ ଶିକ୍ଷା ସହାୟକ ସଂଘର ସଭାପତି ଅଜୟ କୁମାର ଧଳ କହିଛନ୍ତି। ଆଜି କଟକସ୍ଥିତ ପଞ୍ଚମୁୂଖୀ ହନୁମାନ ମନ୍ଦିର ପରିସରରେ ବସିଥିବା ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ଧଳ କହିଛନ୍ତି।

ସଂଘର ଉପସଭାପତି ସରୋଜ କୁମାର ପଣ୍ଡା କହିଛନ୍ତି ଯେ, ରାଜ୍ୟ ସରକାର ଶିକ୍ଷା ସହାୟକଙ୍କ ଦରମା ବାବଦକୁ କେନ୍ଦ୍ରରୁ ପାଉଥିବା ଅର୍ଥକୁ ଅନ୍ୟ ବାଟରେ ଖର୍ଚ୍ଚ କରୁଛନ୍ତି। କେନ୍ଦ୍ର ସରକାର ଚଳିତବର୍ଷ ସର୍ବଶିକ୍ଷା ଅଭିଯାନକୁ ପରିବର୍ତ୍ତନ କରି ଅନ୍ୟ କେତେକ ବିଭାଗ ସହ ସର୍ବଶିକ୍ଷାକୁ ମିଶ୍ରଣ କରି ସମଗ୍ର ଶିକ୍ଷା ଅଭିଯାନ ନାମ‌ରେ ଏକ ନୂତନ ଯୋଜନା ପ୍ରଣୟନ କରିଛନ୍ତି। ଏଥିରେ ଓଡ଼ିଶା ସରକାରଙ୍କ ଦ୍ବାରା ଶିକ୍ଷା ସହାୟକମାନଙ୍କ ପାଇଁ ଦରମା ନିର୍ଦ୍ଧାରଣ କରି କେନ୍ଦ୍ର ସରକାରଙ୍କୁ ଅନୁମୋଦନ ପାଇଁ ପଠାଯାଇଥିଲା। ତାହାକୁ କେନ୍ଦ୍ର ସରକାର ମଧ୍ୟ ଚଳିତ ପିଏବି ବଜେଟ୍‌ରେ ଅନୁମୋଦନ କରି ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ସର୍ବନିମ୍ନ ଦରମା ୧୫ହଜାର ଟଙ୍କା ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ପାଇଁ ୧୬,୭୦୦ଟଙ୍କା ଧାର୍ଯ୍ୟ କରି ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି। ସେହି ଆଧାରରେ ମଧ୍ୟ ଓଡ଼ିଶା ସରକାରଙ୍କୁ କେନ୍ଦ୍ରୀୟ ଅଂଶ ବାବଦକୁ ୧୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏସବୁ ସତ୍ତ୍ବେ ରାଜ୍ୟ ସରକାର କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ନକରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଏହି ‌େବୖଠକରେ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ, କୋଷାଧ୍ୟକ୍ଷ ଅମୂଲ୍ୟ କୁମାର ଲେଙ୍କା, ନାରୀ ସଭାନେତ୍ରୀ ଅର୍ଚ୍ଚନା ଜେନା, ସ୍ନିଗ୍ଧାମୟୀ ସାହୁ, ପଦ୍ମଲୋଚନ ଘଡେଇ, ନିରଞ୍ଜନ ସାମଲ, ରବି ନାରାୟଣ ପଲେଇ, ଦିଲ୍ଲୀପ ନାୟକ, ହେମସାଗର ପାଣିଗ୍ରାହୀ, ଅରବିନ୍ଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର