ଶିକ୍ଷା ସହାୟକ ଆଶାୟୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲା ପୁଲିସ୍‌

ଭୁବନେଶ୍ୱର: ଚାକିରି ଆଶାୟୀ ଶିକ୍ଷା ସହାୟକମାନଙ୍କ ଉପରେ ପୁଲିସ୍‌ ସୋମବାର ସଂଧ୍ୟାରେ ଲାଠିମାଡ଼ କରିଛି। ଭୁବନେଶ୍ୱର ଲୋଏର୍‌ ପଏମ୍‌ଜିରେ ନିଯୁକ୍ତି ଦାବି ନେଇ ଧାରଣାରେ ବସିଥିବା ଶିକ୍ଷା ସହାୟକ ଆଶାୟୀ ସଂଘର ସଦସ୍ୟଙ୍କୁ ଲାଠିମାଡ଼ କରି କମିସନର ପୁଲିସ୍‌ ଘଉଡ଼ାଇ ଦେଇଛି।

ମିଳିଥିବା ସୂଚନା ଅନୁସାରେ, ଧାରଣାରତ ଶିକ୍ଷା ସହାୟକ ଆଶାୟୀଙ୍କୁ ଉପରେ ହଠାତ୍‌ ପୁଲିସ୍‌ ଆକ୍ରମାଣାତ୍ମକ ପନ୍ଥା ଆପଣେଇଥିଲା। ପୁଲିସର ଅତର୍କିତ ଲାଠିମାଡ଼ ଫଳରେ ୨୦ରୁ ଅଧିକ ଆଶାୟୀ ଶିକ୍ଷା ସହାୟକ ଆହତ ହୋଇଛନ୍ତି। ପୁଲିସ ମାଡ଼ରୁ ମହିଳା ଆନ୍ଦୋଳନକାରୀ ମଧ୍ୟ ବର୍ତ୍ତି ନ ଥିଲେ।

ପୁଲିସ୍‌ ପକ୍ଷରୁ କୁହାଯାଇଛି କି ଧାରଣାରତ କିଛି ଆଶାୟୀ ଶିକ୍ଷା ସହାୟକ କର୍ତ୍ତବ୍ୟରତ ପୁଲିସ୍‌ କର୍ମଚାରୀଙ୍କ ସହ ଧସ୍ତାଧସ୍ତି କରିବା ସହ ଢେଲାମାଡ଼ କରିଥିଲେ। ଏହାଫଳରେ କ୍ୟାପିଟାଲ୍‌ ଥାନା ଅଧିକାରୀ ଆହତ ହୋଇଥିଲେ। ଏହାପରେ ପୁଲିସ୍‌ ପକ୍ଷରୁ ସେମାନଙ୍କୁ ଘଉଡ଼ାଇବା ଲାଗି ଲାଠିମାଡ଼ କରାଯାଇଥିଲା।

ଅନ୍ୟପକ୍ଷରେ ଆଶାୟୀ ଶିକ୍ଷା ସହାୟକ ସଂଘ ପକ୍ଷରୁ କୁହାଯାଇଛି କି, କେତେକ ଅସାମାଜିକ ବ୍ୟକ୍ତି ପୁଲିସ୍‌ ଉପରେ ଢେଲାମାଡ଼ କରିଥିଲେ। ମାତ୍ର ପୁଲସ୍‌ ସେମାନଙ୍କୁ ଛାଡ଼ି ଧରଣାରତ ଆଶୟୀ ଶିକ୍ଷା ସହାୟକଙ୍କ ଉପରେ ଲାଠିମାଡ଼ କରିଥିଲା।

ଉଲ୍ଳେଖଯୋଗ୍ୟ କି, ଶିକ୍ଷା ସହାୟକ ନିଯୁକ୍ତି ନେଇ ଏକ ମାମଲା ମାନ୍ୟବର ହାଇକୋର୍ଟଙ୍କ ବିଚାରାଧୀନ ଥିବାରୁ ଶିକ୍ଷା ସହାୟକ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ଥିଲା। ମାତ୍ର ଉକ୍ତ ମାମଲା ବିଚାର ହୋଇ ରାୟ ପ୍ରକାଶ ପାଇବା ପରେ ମଧ୍ୟ ଶିକ୍ଷା ବିଭାଗ ଶିକ୍ଷା ସହାୟକ ନିଯୁକ୍ତ ଲାଗି ପ୍ରକ୍ରିୟା ଆରମ୍ଭ କରୁନାହିଁ। ନିଯୁକ୍ତି ଦାବିରେ ଧାରଣା ଦେଇଥିଲେ ଶିକ୍ଷା ସହାୟକ ଆଶାୟୀ ସଂଘ।

ସମ୍ବନ୍ଧିତ ଖବର