ଉତ୍କଳ ଆଲୁମିନା ଓ ସ୍ବାସ୍ଥ୍ୟ ବିଭାଗର ‘ସିକିଲ ସେଲ‘ ସଚେତନତା କାର୍ଯ୍ୟକ୍ରମ

ରାୟଗଡା: ଜିଲ୍ଲାରେ ସିକଲ୍ ସେଲ୍ ରୋଗ ଜନିତ ଆହ୍ୱାନର ମୁକାବିଲା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଜିଲ୍ଲା ପ୍ରଶାସନ ଓ ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହାୟକ ସଂସ୍ଥା ଉତ୍କଳ ଆଲୁମିନା ଇଂଟରନ୍ୟାସନାଲ୍ ଲିମିଟେଡ ମିଳିତ ଭାବେ ଏକ ବ୍ୟାପକ ସିକଲ୍ ସେଲ୍ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।ଉତ୍କଳ ଆଲୁମିନା ୟୁନିଟ୍ ମୁଖ୍ୟ ତଥା ସଭାପତି ମଜହର ବୈଗ ଓ ରାୟଗଡ଼ା ସିଡିଏମ୍‌ଓ ଡ. ଲାଲମୋହନ ରାଉତରାୟଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସ୍ୱଧା ଦେବ ସିଂହ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡାକ୍ତର ଗୁରୁଚରଣ ପଟ୍ଟନାୟକ, ଡିପିଏମ ରାଜେଶ ପଟ୍ଟନାୟକ, ସିଏସ୍‌ଆର୍ ଓ ସିଆର୍ ଉତ୍କଳ ଆଲୁମିନାର ମୁଖ୍ୟ ଲୋପାମୁଦ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପ୍ରକଳ୍ପ ପ୍ରାଥମିକତା ଗୋଷ୍ଠୀ ଯଥା ଆସନ୍ନ ପ୍ରସବା ମହିଳା ଏବଂ ଜୀବନସାଥୀ, ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ଏହି ରୋଗ ବିଷୟରେ ସଚେତନତା ସୃ୍‌ଷ୍ଟି କରିବ ଏବଂ ସ୍କ୍ରିନିଂ ପାଇଁ ସେମାନଙ୍କୁ ଉତ୍ସାହିତ କରିବ। ପ୍ରଥମ ପର୍ଯ୍ୟାୟରେ ସମଗ୍ର କାଶୀପୁର ବ୍ଲକକୁ ଏହି କାର୍ଯ୍ୟକ୍ରମ ଅଧୀନରେ ଅନ୍ତର୍ଭୁକ୍ତ କରାଯିବ।ଯେଉଁଠାରେ ଗ୍ରାମବାସୀଙ୍କୁ ଏହି ରୋଗ ବିଷୟରେ ସଚେତନ କରାଯିବା ସହ ପଥପ୍ରାନ୍ତ ନାଟକ, ସାର୍ବଜନୀନ ଘୋଷଣା ପ୍ରଣାଳୀ, କାନ୍ଥରେ ଚିତ୍ରାଙ୍କନ ଏବଂ ସ୍କ୍ରିନିଂ ଶିବିର ମାଧ୍ୟମରେ ଏହାର ପ୍ରତିଷେଧକ ଏବଂ ନିରାକରଣ ବ୍ୟବସ୍ଥା ବିଷୟରେ ସଚେତନ କରାଯିବ।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇସ୍କୁଲର ବାଳକ ଓ ବାଳିକାଙ୍କ ସ୍କ୍ରିନିଂ ମଧ୍ୟ କରାଯିବ।

ଡିପିଏମ ଏନଏଚଏମ ରାଜେଶ ପଟ୍ଟନାୟକ କାଶୀପୁର ବ୍ଲକ ଓ ରାୟଗଡ଼ା ଜିଲ୍ଲାର ସିକଲ୍ ସେଲରେ ଚିହ୍ନଟ ହୋଇଥିବା ରୋଗୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ।ଯାହା କି ଜିଲ୍ଲାରେ ପ୍ରାୟ ୧୦ରୁ ୧୫ ପ୍ରତିଶତ ରହିଛନ୍ତି। ଜିଲ୍ଲାପାଳ ସ୍ୱଧା ଦେବ ସିଂହ ଉତ୍କଳ ଆଲୁମିନାଙ୍କୁ ମିଳିତ ଉଦ୍ୟମ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।ଆଗାମୀ ୬ ମାସ ମଧ୍ୟରେ ସିକିଲ ସେଲ ରୋଗର ଶତ ପ୍ରତିଶତ ସ୍କ୍ରିନିଂ ସୁନିଶ୍ଚିତ କରିବା ପାଇଁ ପୂରା ଟିମ ଯଥାସମ୍ଭବ ପ୍ରୟାସ କରିବାକୁ ସେ ନିବେଦନ କରିଛନ୍ତି।

ଏହି ଅବସରରେ ୟୁନିଟ୍ ମୁଖ୍ୟ ତଥା ଉତ୍କଳ ଆଲୁମିନାର ସଭାପତି ମଜହର ବୈଗ୍ ସ୍ୱାସ୍ଥ୍ୟ ମହାମାରୀ ଓ ସଙ୍କଟର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଓ ଉତ୍କଳ ଆଲୁମିନାର ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ଆମେ ସିକଲ୍ ସେଲ ରୋଗ ଦ୍ୱାରା ପ୍ରଭାବିତ ଲୋକଙ୍କ ଜୀବନ ଉପରେ ଏକ ଅର୍ଥପୂର୍ଣ୍ଣ ପ୍ରଭାବ ପକାଇବାକୁ ଉତ୍ସର୍ଗୀକୃତ ଏବଂ ଜିଲ୍ଲା ପ୍ରଶାସନ ସହ ଭାଗିଦାରୀ କରି ଆମେ ଏକ ସୁସ୍ଥ ଓ ଅଧିକ ସଚେତନ ସମୁଦାୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଶ୍ରୀ ବୈଗ କହିଥିଲେ। ଖୁବଶୀଘ୍ର ଉତ୍କଳ ହସ୍ପିଟାଲରେ ସିକଲ ସେଲ ସ୍କ୍ରିନିଂ ସୁବିଧା ଆରମ୍ଭ କରିବାକୁ ସେ ଉଲ୍ଲେଖ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ହାତ ମିଳାଇଥିବାରୁ ସିଡିଏମଓ ଏବଂ ଲାଲମୋହନ ରାଉତରାୟ ଉତ୍କଳ ଆଲୁମିନାଙ୍କୁ ପ୍ରଶଂସା କରିଥିଲେ। ଏହି ମିଳିତ ପ୍ରୟାସରେ ଆମେ ଦୁହେଁ ନିଶ୍ଚିତ ଭାବରେ ଏହି ରୋଗର ମୂଳୋତ୍ପାଟନ ପାଇଁ ଜିଲ୍ଲାରେ ଯୋଗଦାନ କରିବୁ ବୋଲି ସେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ମୁଖ୍ୟ ସିଏସ୍‌ଆର୍ ଉତ୍କଳ ଆଲୁମିନା ନିହାରିକା ସାହୁଙ୍କ ସମେତ ଉତ୍କଳ ଆଲୁମିନାର ସମଗ୍ର ସିଏସଆର ଟିମ ସଂଯୋଜନା କରିଥିଲେ।

 

ସମ୍ବନ୍ଧିତ ଖବର