ବ୍ୟାସନଗର: ସିକିମ୍‌ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ତାଙ୍କର ୩ ଜଣ ସଂପର୍କୀୟଙ୍କ ପତ୍ତା ମିଳୁନି। ଦୁର୍ଘଟଣାକୁ ୪ ଦିନ ବିତିଗଲାଣି। ସାଙ୍ଗରେ ଯାଇଥିବା ସଂପର୍କୀୟଙ୍କ ଆଖିରେ ଲୁହ, ଛାତିରେ କୋହ। ସେପଟେ ଭଉଣୀ, ଭଣଜା ଓ ଭାଇ ଓ ବୋହୂଙ୍କୁ ଗ୍ୟାଙ୍ଗଟକ୍‌ରେ ଅପେକ୍ଷା କରିଛନ୍ତି ବଡ଼ଭାଇ ଶିଶିର ନାୟକ। ବିଜେପି ନେତ୍ରୀ ଇତିଶ୍ରୀ, ତାଙ୍କ ବଡ଼ପୁଅ ସାହିଲ, ସାନଭାଇ ଅଜିତ, ସାନଭାଉଜ ସୁନିତା ନିଖୋଜ ହେବାର ୪ ଦିନ ବିତିଯାଇଛି।

Advertisment

ପୁତୁରା ଅଂଶୁମାନ ଓ ଭଣଜା ସାଇରାଜ ସେଠାକାର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ସିଲିଗୁଡ଼ି ଡାକ୍ତରଖାନାକୁ ଆଣିବା ପାଇଁ ଯୋଜନା କରାଯାଉଛି ବୋଲି ଇତିଶ୍ରୀଙ୍କ ବଡ଼ଭାଇ ଶିଶିର ନାୟକ ଜଣାଇଛନ୍ତି। ଅନ୍ୟପଟେ ଗ୍ୟାଙ୍ଗଟକ୍‌ରୁ ଆଜି ତାଙ୍କ ପରିବାରର ୪ଜଣ ସଦସ୍ୟ ଓଡ଼ିଶା ଫେରୁଛନ୍ତି। ଗୌହାଟୀ-ବେଙ୍ଗାଲୁରୁ ଏକ୍ସପ୍ରେସ୍‌ରେ ବିଜେପି ନେତ୍ରୀ ଇତିଶ୍ରୀଙ୍କ ଦୁଇ ଭଉଣୀ ମଞ୍ଜୁଲତା ଦେଓ, ଝରଣା ମହାପାତ୍ର, ଦୁଇ ଝିଆରୀ ଶ୍ରୁତି ନାୟକ ଓ ଶ୍ୱେତା ନାୟକ ଘରକୁ ଫେରୁଛନ୍ତି। ଆସନ୍ତାକାଲି ସେମାନେ ଯାଜପୁରରୋଡ୍‌ ଷ୍ଟେସନରେ ପହଞ୍ଚିବେ।