ବ୍ୟାସନଗର : ସପ୍ତାହାନ୍ତ ସଟ୍‌ଡାଉନ ବେଳେ ବି ବ୍ୟାସନଗର ସହରରେ କେତେକ ଦୋକାନ ଲୁଚାଛପାରେ ଖୋଲାଯାଉଛି। କିଏ ଖୋଲାଖୋଲି ବେପାର କରୁଛି ତ ଅନ୍ୟ କିଏ ପଛବାଟରେ ବେପାର ଚଳାଇଛି। ଶନିବବାର ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଏହିପରି କେତେକ ଦୋକାନ ଉପରେ ଚଢ଼ଉ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

କରୋନାର ରେଡ ଜୋନ୍‌ରେ ଥିବା ଯାଜପୁର ଜିଲ୍ଲାରେ ଦୁଇଦିନିଆ ସପ୍ତାହାନ୍ତ ସଟ୍‌ଡାଉନ ଜାରି କରାଯାଇଛି। ଏହି ସମୟରେ କେବଳ ଔଷଧ ଓ କ୍ଷୀର ଦୋକାନକୁ ଛାଡ଼ି ଅନ୍ୟ ଦୋକାନ ଖୋଲିବା ଉପରେ କଟକଣା ଜାରି କରାଯାଇଛି। ହେଲେ ଲୁଚାଛପାରେ କିଛି ବ୍ୟବସାୟ ପ୍ରତିଷ୍ଠାନ ବେପାର କରୁଛନ୍ତି। ଶନିବାର ସପ୍ତାହାନ୍ତ ସଟ୍‌ଡାଉନ ବେଳେ ଏପରି ବେପାର ଚାଲିଥିବା ଖବର ପାଇ ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ଚଢ଼ଉ କରିଥିଲା। ସ୍କ୍ବାଡ୍‌ର ସବିତା ଜେନା ସହରର ମୁଖ୍ୟରାସ୍ତାରେ ଥିବା ତ୍ରିବେଣୀ ଟେକ୍ସଟାଇଲ ଉପରେ ଚଢ଼ଉ କରି ଯାଞ୍ଚ କରିଥିଲେ।

ପ୍ରକାଶ ଯେ, ଏହି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଗତମାସ ୨୮ତାରିଖରେ ଚଢ଼ଉ କରାଯାଇଥିଲା। କଟକଣାକୁ ଖାତିର ନକରି ପଛବାଟରେ ବେପାର କରୁଥିବାରୁ ଏହି ପ୍ରତିଷ୍ଠାନ ଉପରେ ୫ହଜାର ଟଙ୍କାର ଜରିମାନା କରାଯାଇଥିଲା। ଆଜି କେବଳ ଚେତାବନୀ ଦିଆଯାଇ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ଆଗକୁ ଏପରି କାର୍ଯ୍ୟ କଲେ ଏହି ବ୍ୟବସାୟ ପ୍ରତିଷ୍ଠାନକୁ ସମ୍ପୂର୍ଣ୍ଣ ସିଲ୍‌ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ସେହିପରି ଏହି ସ୍କ୍ବାଡ୍‌ ସହରା‌ଞ୍ଚଳର ବିଭିନ୍ନ ସ୍ଥାନରେ ଯାଞ୍ଚ କରିବା ବେଳେ ଷ୍ଟେସନ ବଜାର ଠାରେ ଥିବା ସାଇକ୍ରିଷ୍ଣା ହୋଟେଲ ଉପରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଚଢ଼ଉ ସମୟରେ ଏହି ହୋଟେଲରେ ବେପାର ଚାଲିଥିଲା। ଫଳରେ ସ୍କ୍ବାଡ୍‌ ସଂପୃକ୍ତ ହୋଟେଲ୍‌କୁ ସିଲ କରି ଦେଇଥିଲେ। ଏହି ଚଢ଼ଉରେ ଯାଜପୁରରୋଡ ଥାନା ଏସଆଇ ସୁବାସ ମୁଦୁଲି ସାମିଲ ହୋଇଥିଲେ।