ଗବେଷଣା କ୍ଷେତ୍ରରେ ଭାରତୀୟ ବିଶ୍ୱବିଦ୍ୟାଳୟ ପଛୁଆ: ପ୍ରଣବ ମୁଖାର୍ଜୀ

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତନ ଉତ୍ସବ

ଖଣ୍ଡଗିରି : ଗବେଷଣା କ୍ଷେତ୍ରରେ ଭାରତୀୟ ବିଶ୍ୱବିଦ୍ୟାଳୟମାନେ ବେଶ୍‌ ପଛୁଆ। ଏହି ଦିଗରେ ମୋଟେ ଗୁରୁତ୍ୱ ଦିଆଯାଉନାହିଁ। ଫଳରେ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟମାନଙ୍କ ଭିତରେ ଭାରତର କୌଣସି ଗୋଟିଏ ବି ସ୍ଥାନ ପାଇପାରୁନାହିଁ। ଏହା ବଡ଼ ବିଡ଼ମ୍ବନାର ପ୍ରସଙ୍ଗ। ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ୫ମ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କ୍ଷୋଭର ସହ ଏହା କହିଛନ୍ତି।

ଶ୍ରୀ ମୁଖାର୍ଜୀ ଆହୁରି କହିଲେ ଯେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଘୋର ଅବନତି ଘଟିଥିବା ବର୍ଣନା କରି ସେ କହିଲେ ଯେ ଶିକ୍ଷାୟତନ ଓ ସଂଲଗ୍ନ ଶିଳ୍ପ ମଧ୍ୟରେ ସଂହତିର ଅଭାବ ରହିଛି। ସ୍ଥାନୀୟ ଶିଳ୍ପର ବୈଷୟିକ ଚାହିଦା ନେଇ ପାଠ୍ୟକ୍ରମ ଓ ପାଠ୍ୟ ଖସଡ଼ା ପ୍ରସ୍ତୁତ ହେଉନଥିବାରୁ ବେକାରୀ ବୃଦ୍ଧି ଘଟୁଛି। ଏସବୁ କେବଳ ଗବେଷଣାର ଅଭାବ ପାଇଁ ଘଟୁଛି ବୋଲି ସେ ଦୁଃଖ ପ୍ରକାଶ କରି କହିଥିଲେ। ବିଶ୍ୱବିଦ୍ୟାଳୟମାନଙ୍କର ପ୍ରମୁଖ ଲକ୍ଷ୍ୟ ହେଉଛି ଗବେଷଣା। ଫଳରେ ନୂତନ ସମସ୍ୟା ସମାଧାନର ନୂତନ ଉପାୟ ମିଳିବା ସହଜ ହୋଇଥାଏ। ଏହି ଲକ୍ଷ୍ୟ ପୂରଣ ନ ହେଲେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଅର୍ଥ କିଛି ନ ଥାଏ ବୋଲି ସେ କହିଥିଲେ। ସୋଆ ଏ ଦିଗରେ ନିଶ୍ଚିତ ଗୁରୁତ୍ୱ ଦେବ ବୋଲି ସେ ଆହ୍ଵାନ ଦେଇଥିଲେ।

ଅତୀତକୁ ମନେ ପକାଇ ସେ କହିଲେ ଯେ ଭାରତର ବିଶ୍ୱବିଦ୍ୟାଳୟମାନେ ବିଶ୍ୱକୁ ଜ୍ଞାନ ବାଣ୍ଟୁଥିଲା। କିନ୍ତୁ ଆଜି ଡ. ସିଭି ରମଣଙ୍କ ପରେ ଜଣେ ବି ଭାରତୀୟ ନୋବେଲ୍‌ ପୁରସ୍କାର ପାଇବାକୁ ହକ୍‌ଦାର ହୋଇ ପାରିନାହାନ୍ତି। ତାଙ୍କ ପରେ ଯେଉଁମାନେ ଏହି ବିଶ୍ୱ ମର୍ଯ୍ୟଦାର ହକ୍‌ଦାର ହୋଇଛନ୍ତି, ସେମାନେ ଭାରତ ବାହାରର ବିଶ୍ୱବିଦ୍ୟାଳୟରେ ଗବେଷଣା କରି ଏହି ସଫଳତା ହାସଲ କରିଥିଲେ। ତେଣୁ ଏବେ ମୌଳିକ ଗବେଷଣା କ୍ଷେତ୍ରରେ କାମ କରିବା ହେଉଛି ବଡ଼ ଆହ୍ଵାନ। ଏ ଦିଗରେ ଆଗ୍ରହୀ ହେବାକୁ ସେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ସୋଆ ପକ୍ଷରୁ ୩ ଜଣଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଥିଲା। ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ୍‌ କେଜି ବାଲ୍‌କ୍ରିଷ୍ଣନ୍‌, ଦିଲ୍ଲୀ ଏମ୍‌ସର କ୍ୟାନ୍‌ସର ବିଭାଗ ମୁଖ୍ୟ ପ୍ରଫେସର ଗୌରବ କିଶୋର ରଥ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌ ବୀରାପ୍ପା ମୋଇଲିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ୪୦ ଜଣଙ୍କୁ ପିଏଚ୍‌ଡି ଓ ୨ ଜଣଙ୍କୁ କୁଳାଧିପତି ସ୍ୱର୍ଣ ପଦକ ଓ ୩୯ ଜଣଙ୍କୁ ସ୍ୱର୍ଣ ପଦକ ପ୍ରଦାନ କରାଯାଇଥିଲା। ସେହିଭଳି ୩୨୩ ଜଣଙ୍କୁ ସ୍ନାତକୋତ୍ତର ଓ ୧୯୫୦ ଜଣଙ୍କୁ ସ୍ନାତକ ଡିଗ୍ରି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନ ପୌରୋହିତ୍ୟ କରିଥିବାବେଳେ କୁଳପତି ପ୍ରଫେସର ଅମିତ୍‌ ବାନାର୍ଜୀ ଓ ରେଜିଷ୍ଟ୍ରାର୍‌ ପ୍ରଫେସର ବିଭୂତିଭୂଷଣ ପ୍ରଧାନ ପ୍ରମୁଖ କର୍ମକର୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର