କଟକ : ଶିକ୍ଷା ସହାୟକ ନିଯୁକ୍ତି ସଂପର୍କିତ ରିଟ୍ ଅପିଲର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାର ଓ ଓପେପାକୁ ନୋଟିସ୍ ଜାରି କରିଛନ୍ତି। ଏଥି ସହିତ ଶିକ୍ଷା ସହାୟକ ନିଯୁକ୍ତିର ଭବିଷ୍ୟତ ବିଚାରାଧୀନ ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିନିତା ବିଶ୍ୱାଳ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ପୃଥକ ରିଟ୍ ଅପିଲ ଗୁଡିକର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ୩ ସପ୍ତାହ ପରେ ଏ ସଂପର୍କିତ ସମସ୍ତ ମାମଲାର ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଶିକ୍ଷା ସହାୟକ ନିଯୁକ୍ତି ସଂପର୍କିତ ମାମଲାରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦାନ କରିଥିବା ରାୟକୁ ଚାଲେଞ୍ଜ କରି ଏକାଧିକ ରିଟ୍ ଅପିଲ ଗୁଡିକର ଏକତ୍ର ଶୁଣାଣି ଚାଲିଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, ବୁଦ୍ଧଦେବ ରାଉତରାୟ, ଜୟନ୍ତ ରଥ, ଆଇନଜୀବୀ ଦିଲ୍ଲୀପ ରାୟ, ସୌଭାଗ୍ୟ କୁମାର ସାମଲ ମାମଲା ପରିଚାଳନା କରୁଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୬, ଡିସେମ୍ବର ୨୬ରେ ପ୍ରକାଶିତ ଶିକ୍ଷା ସହାୟକ ନିଯୁକ୍ତି ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୨ ବର୍ଷ ଧାର୍ଯ୍ୟ କରାଯାଇଥିଲା। ବୟସ ମାନଦଣ୍ଡ ସହିତ ସହିତ ଅନ୍ୟ କେତେକ ସର୍ତ୍ତକୁ ଚାଲେଞ୍ଜ କରି ରୁଜୁ ମାମଲା ଗୁଡିକର ଏକତ୍ର ଶୁଣାଣି କରି ଜଷ୍ଟିସ ଏସ୍.ଏନ୍ ପ୍ରସାଦଙ୍କୁ ନେଇ ଗଠିତ ୨୦୧୭, ଅକ୍ଟୋବର ୨୩ରେ ରାୟ ପ୍ରକାଶ କରିଥିଲେ। ପୂର୍ବ ବର୍ଷ ଗୁଡିକ ଭଳି ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୪୨ ବର୍ଷ ଧାର୍ଯ୍ୟ କରିବାକୁ ପ୍ରାର୍ଥନା କରି ଦାୟର ମାମଲା ଗୁଡିକୁ ଖଣ୍ଡପୀଠ ଖାରଜ କରିଥିଲେ। ଗତ ଥରର ବିଜ୍ଞପ୍ତିରେ ଥିବା ସର୍ବାଧିକ ବୟସ ସୀମା ମାନଦଣ୍ଡ ଓ ଅନ୍ୟ କେତେକ ନିୟମରେ ପରିବର୍ତ୍ତନକୁ ଆବେଦନକାରୀଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ପ୍ରକାଶିତ ରାୟରେ ଏଭଳି ପ୍ରାର୍ଥନାକୁ ଅଗ୍ରାହ୍ୟ କରାଯାଇଥିଲା।