ଅସୁସ୍ଥ ହୋଇ ଜଣଙ୍କର ମୃତ୍ୟୁ

୬୦ ଦିନରେ ୨୦୦୩-୦୪ ବ୍ୟାଚ୍‌ ଶିକ୍ଷା ସହାୟକଙ୍କ ଆନ୍ଦୋଳନ

ଭୁବନେଶ୍ୱର : ୨୦୦୩-୦୪ ବ୍ୟାଚ୍‌ ଶିକ୍ଷା ସହାୟକଙ୍କ ଆନ୍ଦୋଳନକୁ ୬୦ ଦିନ ବିତିଯାଇଥିବା ବେଳେ ଦାବି ପୂରଣ ଦିଗରେ ରାଜ୍ୟ ସରକାର କୌଣସି ବି ପଦକ୍ଷେପ ନେଉନାହାନ୍ତି। ଲୋୟର ପିଏମ୍‌ଜିରେ ଅହୋରାତ୍ର ଧାରଣା ଜାରି ରଖିଥିବା ଶିକ୍ଷା ସହାୟକଙ୍କ ମଧ୍ୟରୁ ଇତି ମଧ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ଧାରଣାରେ ବସିଥିବା ବେଳେ ଗତ ସପ୍ତାହରେ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକର ଶିକ୍ଷା ସହାୟକ ସିଂଗାଇ ମୁର୍ମୁ ଅସୁସ୍ଥ ହୋଇ ଘରକୁ ପଳାଇ ଯାଇଥିଲେ। ସେଠାରେ ଚିକିତ୍ସିତ ହେଉଥିଲେ ମଧ୍ୟ ସ୍ୱଳ୍ପ ବେତନ ତଥା ଚାକିରିର ସ୍ଥାୟିତ୍ୱକୁ ନେଇ ମାନସିକ ଭାରସାମ୍ୟ ହରାଇ ମୃତ୍ୟୁବରଣ କରିଛନ୍ତି। ତାଙ୍କ ବିୟୋଗରେ ୨୦୦୩-୦୪ ଶିକ୍ଷା ସହାୟକ ସଂଘ ପକ୍ଷରୁ ସ୍ୱର୍ଗତ ଆତ୍ମାର ସଦ୍‌ଗତି କରାଯିବା ସହ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ଲାଗି ଦାବି କରାଯାଇଛି। ଅନ୍ୟ ଶିକ୍ଷା ସହାୟକମାନଙ୍କ ଅବସ୍ଥା ଯେପରି ସ୍ୱର୍ଗତ ମୁର୍ମୁଙ୍କ ପରି ନହେଉ ସେଥିପ୍ର୍ରତି ଦୃଷ୍ଟି ଦେଇ ଦାବିଗୁଡ଼ିକ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉ। ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଂଘ ସଭାପତି ସୂର୍ଯ୍ୟ ନାରାୟଣ ନାୟକ, କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ, ପ୍ରାଣବନ୍ଧୁ ନାଗ ପ୍ରମୁଖ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର