ପୁରୁଷୋତ୍ତମପୁର:ଯାହା ଆଶଙ୍କା କରା ଯାଉଥିଲା, ଶେଷରେ ତାହା ହିଁ ଘଟିଲା। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତପୁର ଥାନା ଅଧୀନ ଶିକୁଳା ଗ୍ରାମରୁ କିଛି ଯୁବକ ବହୁଦିନ ଧରି ଅବାଧରେ ଗଞ୍ଜେଇ କାରବାର ଅପରେଟ୍‌ କରିବା ସହ ଚୋରାମଦ ବିକ୍ରି ଏବଂ ଲକ୍ଷାଧିକ ଟଙ୍କାର ଜୁଆଆଡ଼ା ଚଳାଉଥିଲେ। ଏହାସହ ସେମାନଙ୍କ ଅସାମାଜିକ କାର୍ଯ୍ୟକଳାପରେ ଗ୍ରାମବାସୀ ଅତିଷ୍ଠ ହୋଇ ପଡ଼ିଥିଲେ। ଏଭଳିକି ୬ ମାସ ତଳେ ଗ୍ରାମବାସୀ ଗଞ୍ଜାମ ଏସ୍‌.ପି.ଙ୍କୁ ସାକ୍ଷାତ କରି ଏଭଳି ବେଆଇନ କାର୍ଯ୍ୟକଳାପ ଓ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟକୁ ରୋକିବା ଲାଗି ନିବେଦନ କରିଥିଲେ। ତଥାପି ପୁଲିସ ଏହାକୁ ଗୁରୁତ୍ବର ସହ ନ ଦେବାର ପରିଣତି ଦେଖିବାକୁ ମିଳିଲା। ଅପରାଧୀ ଗୋଷ୍ଠୀ ମୁହାଁମୁହିଁ ହେଲେ ଓ ଗୁଳି ଚାଲିଲା। ଯୁବକମାନଙ୍କ ଆତଙ୍କରାଜ ଦିନକୁ ଦିନ ବଢ଼ି ଚାଲିଥିଲା। ଏହି ଅସାମାଜିକ କାର୍ଯ୍ୟକଳାପ ଦିନେ ନା ଦିନେ ଉଗ୍ରରୂପ ନେବ ବୋଲି ଗ୍ରାମବାସୀ ଆଶଙ୍କା କରୁଥିଲେ। ଯାହାକି ଗତକାଲି ସତ ପ୍ରମାଣିତ ହେଲା।

Advertisment

ଗଞ୍ଜେଇ କାରବାର ଓ ଜୁଆଆଡ଼ାର କମିସନ ବାବଦରେ ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଉପୁଜିଥିବା ବିବାଦରୁ ନିରଞ୍ଜନ ମହାରଣାଙ୍କୁ ପ୍ରତିପକ୍ଷ ଗୋଷ୍ଠୀର ଯୁବକମାନେ ଆକ୍ରମଣ କରିଥିଲେ। ଆଉ ତାଙ୍କୁ ଲକ୍ଷ୍ୟ କରି ଦୁଇ ରାଉଣ୍ଡ୍ ଗୁଳି କରିଥିଲେ। ଯାହାକୁ ନେଇ ଗ୍ରାମବାସୀ ଏବେ ଅସୁରକ୍ଷିତ ମଣୁଛନ୍ତି ଓ ଭୟଭୀତ ହୋଇ ରହିଛନ୍ତି। ପୁଲିସ ପକ୍ଷରୁ ଆଗୁଆ ପଦକ୍ଷେପ ନିଆ ଯାଇଥିଲେ, ହୁଏତ ଆଜି ଏଭଳି ଅଘଟଣ ଘଟି ନଥା’ନ୍ତା ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାକୁ ୨୪ ଘଣ୍ଟା ବିତି ସାରିଥିଲେ ସୁଦ୍ଧା, ଏଯାଏ ପୁଲିସ କାହାକୁ ଗିରଫ କରିପାରିନି। ଆକ୍ରମଣକାରୀମାନେ ଫେରାର୍ ହୋଇ ଯାଇଥିବା ଜଣାପଡ଼ିଛି। ଜଣେ ସନ୍ଦିଗ୍ଦକୁ ଅଟକ ରଖି ପଚରାଉଚରା କରାଯିବା ସହ ତଦନ୍ତକୁ ତ୍ବରାନ୍ବିତ କରାଯାଇଛି। ଥାନା ସେକେଣ୍ଡ୍ ଅଫିସର୍ ଆଦିତ୍ୟ ନାରାୟଣ ତଦନ୍ତଭାର ଗ୍ରହଣ କରିଛନ୍ତି। ଘଟଣାସ୍ଥଳର ସିସିକ୍ୟାମେରା ଫୁଟେଜ୍ ସଂଗ୍ରହ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସେହିପରି ବ୍ରହ୍ମପୁର ବଡ଼ ମେଡିକାଲରେ ଗୁରୁତର ନିରଞ୍ଜନ ଚିକିତ୍ସିତ ହେଉଛନ୍ତି।