ସିଲାଟି ଟ୍ରିପଲ୍‌ ମର୍ଡର୍‌ ଘଟଣା : ମୁଖ୍ୟ ଅଭିଯୁକ୍ତ ଉତ୍ତର ପ୍ରଦେଶରେ ଗିରଫ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟି ଗାଁର ଟ୍ରିପଲ୍ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ଉତ୍ତର ପ୍ରଦେଶ ଝାନ୍‌ସି ଜିଲ୍ଲା ଖୁଣ୍ଡୱଲି ଥାନା ଖୁଣ୍ଡୱଲିର ପପୁ ସେନ୍‌କୁ ସେଠାକାର ପୁଲିସ ଗିରଫ କରିଛି। ତେବେ ଏହି ଘଟଣାରେ ସେ ଗିରଫ ହୋଇ ନାହିଁ। ସେଠାରେ ଭିଆଇଥିବା ଅନ୍ୟ ଏକ ହତ୍ୟା ମାମଲାରେ ସେ ଗିରଫ ହୋଇଛି। ତେବେ, ସିଲାଟିରେ ସେ ହିଁ ରକ୍ତର ହୋରି ଖେଳିଥିବା ପୁଲିସ ଆଗରେ ସ୍ବୀକାର କରିଛି।

ଗତ ୨୦୨୦ ମସିହା ଜୁଲାଇ ୧୬ ତାରିଖରେ ପପୁ ଲଳିତପୁରର ଜଣେ ବ୍ୟକ୍ତିଙ୍କୁ ହତ୍ୟାକରି ଫେରାର୍‌ ଥିଲା। ଏହି ଘଟଣାରେ ସେଠାକାର ପୁଲିସ ପପୁଙ୍କୁ ଧରାଇଦେବା ପାଇଁ ୨୫ ହଜାର ଟଙ୍କା ବି ପୁରସ୍କାର ଘୋଷଣା କରିଥିଲା। ଏବେ ତାକୁ ଧରିବାରେ ଉତ୍ତର ପ୍ରଦେଶର ଲଳିତପୁର ଥାନା ପୁଲିସ ସଫଳ ହୋଇଛି। ତାକୁ ଧରିବା ପରେ ସେଠା‌କାର ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଅଭିଯୁକ୍ତ ପପୁ ପୁଲିସକୁ କହିବା ଅନୁସାରେ, ସେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟି ଗାଁରେ ବିବାହ କରିଥିଲା। ସେମାନଙ୍କର ୪ଟି ପୁତ୍ର ସନ୍ତାନ ରହିଛନ୍ତି। ମାତ୍ର ତା’ ସ୍ତ୍ରୀ ସହ ରାହୁଲ ନାମକ ଜଣେ ଯୁବକ ସହ ପରକୀୟାପ୍ରୀତି ଥିଲା। ପରେ ତା’ର ସ୍ତ୍ରୀ ପିଲାଛୁଆଙ୍କୁ ନେଇ ରାହୁଲ ସହ ପଳାଇ ଯାଇଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ରହୁଲଙ୍କ ବାପାକୁ ୨୦୨୦ ଜୁଲାଇ ୧୬ ତାରିଖରେ ହତ୍ୟା କରିଥିଲା। ଏହା ପରେ ସେଠାରୁ ଏକ ଜିପ୍‌ରେ ସିଲାଟି ଗାଁକୁ ଆସି ନିଜ ଶାଶୂ, ଶ୍ୱଶୁର ଏବଂ ଶଳାକୁ ଟଙ୍ଗିଆରେ ଅତି ବୀଭତ୍ସଭାବେ ହତ୍ୟା କରି ଫେରାର ହୋଇଯାଇଥିଲା।

ବାପଘର ଲୋକଙ୍କ କଥାରେ ପଡ଼ି ତା’ର ସ୍ତ୍ରୀ ତାକୁ ପ୍ରଥମେ ଛାଡ଼ପତ୍ର ଦେଇଥିବା ଏବଂ ଏହି ରାଗରେ ସେ ଶ୍ବଶୁରଘର ଲୋକଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି। ପପୁ ଗତ ୨ ତାରିଖରେ ତା ସ୍ତ୍ରୀ ପାଖକୁ ଯାଇ ପଛ କଥା ଭୁଲି ପିଲାଛୁଆ ନେଇ ଫେରିଯିବାକୁ କହିଥିଲା। ଏହି ସମୟରେ ତା’ର ସ୍ତ୍ରୀ ଲଳିତପୁର ଓ ବିନିକା ପୁଲିସ ସୂଚନା ଦେଇଥିଲେ। ଫଳରେ ଲଳିତପୁର ପୁଲିସ ସେଠାରେ ପହଞ୍ଚି ପପୁକୁ ଗିରଫ କରିଥିଲା। ପପୁକୁ ରିମାଣ୍ଡରେ ଅଣାଯିବ ବୋଲି ବିନିକା ଆଇଆଇସି ନିରଞ୍ଜନ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର