ଭୁବନେଶ୍ବର, (ଭବାନୀ ଶଙ୍କର ତ୍ରିପାଠୀ): ଓଡ଼ିଶାର ଜୀବନରେଖା ମହାନଦୀ ମହାବିବାଦ ଟ୍ରିବ୍ୟୁନାଲରେ ଝୁଲୁଛି। ସରକାର ସୁପ୍ରିମକୋର୍ଟରେ ଏକାଧିକ ମାମଲା ଦାୟର କରିଥିଲେ ହେଁ ଛତିଶଗଡର ବନ୍ଧ ନିର୍ମାଣରେ ଏଯାଏ ସ୍ଥିତାବସ୍ଥା ଜାରି ହୋଇପାରିଲା ନାହିଁ। ରାଜ୍ୟ ସରକାର ଓ ସବୁ ରାଜନୈତିକ ଦଳ ସମସ୍ତେ ନିରବ। ଚିଲିକା ଠାରୁ ସାତକୋଶିଆ, ଭିତରକନିକା ଏବଂ ଓଡ଼ିଶାର ୧୬ଟି ଜିଲ୍ଲାର ସ୍ବାର୍ଥ ସହିତ ଯୋଡି ହୋଇଥିବା ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସେମାନଙ୍କର ଉଦ୍‌ବେଗ ନାହିଁ।

Advertisment

ଛତିଶଗଡ଼ ଦେଖାଦେଖି ଝାଡ଼ଖଣ୍ଡ ବ୍ରାହ୍ମଣୀ ନଦୀ ଉପର ମୁଣ୍ଡରେ ଡଜନେ ପ୍ରକଳ୍ପ କଲେଣି। ମହାନଦୀ ଭଳି ବ୍ରାହ୍ମଣୀ ଗର୍ଭ ଶୁଖିଯିବ, ଏକଥା ଆଗକୁ ଜଳ ଜଳ ହୋଇ ଦିଶୁଛି। ଏଯାଏ ରାଜନୈତିକ ନେତାମାନଙ୍କର ଚୈତନ୍ୟଦ୍ୟୋୟ ହୋଇନାହିଁ, ସରକାର ନିର୍ବିକାର। ପୋଲାଭରମ୍ ବିବାଦଟି ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବାବେଳେ ମାଲକାନଗିରିର ୨୧ରୁ ଅଧିକ ଗ୍ରାମ ଏବଂ ଓଡ଼ିଶାର ପ୍ରାୟ ୨ହଜାର ହେକ୍ଟର ଜଙ୍ଗଲ ବୁଡ଼ିବା ଆଶଙ୍କା ଥିବାରୁ ସ୍ଥାନୀୟ ଆଦିବାସୀ କେବଳ ଏ ସଂପର୍କରେ ସ୍ବର ଉଠାଉଛନ୍ତି, ଅନ୍ୟ ସମସ୍ତେ ନିରବ।

publive-image

ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ରାଜ୍ୟର କିଛି ପ୍ରମୁଖ ନଦୀ ପ୍ରତି ମହାବିପଦ ମାଡ଼ି ଆସୁଥିବା ବେଳେ ରାଜ୍ୟ ସରକାର ଏବଂ ରାଜନୈତିକ ଦଳମାନଙ୍କର ଏଭଳି ନିରବତା ଚିନ୍ତାଜନକ। କଥା କଥାକେ ପରସ୍ପରକୁ ମାତ୍ ଦେବା ଲାଗି ଚିହିଁକି ଆସୁଥିବା ନେତୃତ୍ବ ରାସ୍ତାକୁ ଓହ୍ଲାଇବା ତ ଦୂରର କଥା, ମୁହଁରେ ତୁଣ୍ଡି ବାନ୍ଧିଛନ୍ତି ଯେମିତି। ଓଡ଼ିଶାର ସ୍ବାର୍ଥ ତଥା ମାଟିର ସୁରକ୍ଷା ପରିବର୍ତ୍ତେ ରାଜନୈତିକ ଦଳ ଏବଂ ନେତା ନିଜ ଭାବମୂର୍ତି ନେଇ ଅତ୍ୟନ୍ତ ସତର୍କ ହୋଇପଡ଼ିଛନ୍ତି ଏବଂ ଓଡ଼ିଶାର ଅବଶିଷ୍ଟ ନାଗରିକ, ବୁଦ୍ଧିଜୀବୀ, ସାଧାରଣ ସେବୀ, ଚିନ୍ତାନାୟକ, ଯୁବ, ଛାତ୍ର ନେତାମାନେ ମଧ୍ୟ ମୌନ।

ମହାବିପଦରେ ସୀମା, ନଦୀ ଜଳ, ଜଙ୍ଗଲ
ନିଖୋଜ ଶିଶୁ, ମହିଳା, ଆଇନଶୃଙ୍ଖଳା ସ୍ଥିତି ଗମ୍ଭୀର
ଶୋଷିତ ଚାଷୀଙ୍କୁ ଦେଖାଉଛନ୍ତି ଦିବାସ୍ବପ୍ନ
ଶାସ୍ତ୍ରରେ ମନ ନାହିଁ, କଥା କଥାକେ ଶସ୍ତ୍ର ଉଠୁଛି

ଏହି ପ୍ରସଙ୍ଗଟି ଆଜି ସମାଜର ଗୋଟିଏ ମହଲକୁ ବିବ୍ରତ କରୁଛି। କାରଣ ରାଜ୍ୟରେ ତୃଣମୂଳ ସ୍ତରଯାଏ ନିରେଖି ଦେଖିଲେ ଜଳ ଜଳ ହୋଇ ଦିଶୁଛି ଯେ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବଜେଟ୍‌ର ସିଂହଭାଗ ଅର୍ଥ ହଡ଼ପ କେଳେଙ୍କାରୀ ସତେ ଯେପରି ନୀତିରେ ପରିଣତ ହେଲାଣି। ରାଜ୍ୟର ସୀମା ସମ୍ପୂର୍ଣ୍ଣ ଅସୁରକ୍ଷିତ। ସମ୍ବିଧାନର ବିଭିନ୍ନ ସ୍ତମ୍ଭ ଅନ୍ୟର କ୍ଷମତା ଅପହରଣ ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। କେବଳ ସେତିକି ନୁହେଁ, ସାଧାରଣ ଲୋକର ଧନଜୀବନ ପ୍ରତି ଘୋର ବିପଦ ମାଡ଼ି ଆସୁଥିବା ବେଳେ ଚାଷୀ ଓ ଯୁବକର ରୋଜଗାର ସଙ୍କୁଚିତ ହେବାରେ ଲାଗିଛି, ସର୍ବୋପରି ଓଡ଼ିଶାର ଭୌଗୋଳିକ ସୀମା, ଐତିହ୍ୟ, ସଂସ୍କୃତି, ପର୍ଯ୍ୟଟନ, ଭାଷା, ଶିକ୍ଷା ଘୋର ବିପଦରେ।

ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଯେବେ ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାପାଳ ଥିଲେ ସେବେ ନିର୍ଦେଶ ଦିଆଯାଇଥିଲା, ଜିଲ୍ଲାର ବରିଷ୍ଠ ଅଧିକାରୀ ଆନ୍ଧ୍ର ପ୍ରଦେଶ ସୀମାନ୍ତ କୋଟିଆ ଅନ୍ତର୍ଗତ ସବୁ ଗାଁରେ ବିକାଶ ଯାଞ୍ଚ କରିବେ, ଜଗିବେ। ପ୍ରଶାସନର ଉଦ୍ଦେଶ୍ୟ ଥିଲା, କୌଣସି ପରିସ୍ଥିତିରେ ଯେମିତି ଆନ୍ଧ୍ର ସରକାର ସେଠାରେ ବସା ନ ବାନ୍ଧେ ବା ନିର୍ବାଚନ ଲାଗି ସୁଯୋଗ ନପାଏ। ଆନ୍ଧ୍ରପ୍ରଦେଶକୁ ସାବାଡ଼୍ ଲାଗି ଜଣେ ଜିଲ୍ଲାପାଳ ସେବେ ଯେଉଁ ଆଗ୍ରହ ଦେଖାଇଥିଲେ, ଆଜି ତାହା ସମୁଦାୟ ପ୍ରଶାସନ ପାଖରେ ଦେଖାଯାଉନାହିଁ।

publive-image

ଉଭୟ ପ୍ରଶାସନିକ ଓ ରାଜନୈତିକ ସ୍ତରରେ କ୍ରମାଗତ ତଥା ଅକ୍ଷମଣୀୟ ଅବହେଳା କାରଣରୁ କୋଟିଆ ସ୍ଥିତି ଗମ୍ଭୀର ମୋଡ଼ରେ ପହଞ୍ଚିଛି। ମୁଖ୍ୟସଚିବଙ୍କ ସ୍ତରରେ କଥାବାର୍ତ୍ତା ଚାଲିଥିବା ସରକାର ଦାବି କରନ୍ତି, ଅଥଚ ଓଡ଼ିଶା କେବେ ଟାଣ କରି ପଦେ ଆନ୍ଧ୍ର ସରକାରଙ୍କୁ କହିବା ନଜିର ନାହିଁ।

ହକି ବିଶ୍ବକପ୍‌ ବେଳେ ଓଡ଼ିଶା ସରକାର ସୌଜନ୍ୟ ଦୃଷ୍ଟିରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ, ଏହା ଏକ ଭଲ କଥା। ହେଲେ ବିନା ନିମନ୍ତ୍ରଣରେ ନିୟମିତ ବ୍ୟବଧାନରେ ତଥା କିଛି ଅନ୍ୟ ଅଭିସନ୍ଧି ରଖି ତଥା ଓଡ଼ିଶାର ନିରବତାରୁ ଫାଇଦା ଉଠାଇ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ, ଅଧିକାରୀ ଯେବେ କୋଟିଆ ଆସୁଛନ୍ତି, ସେବେ ସରକାର ତାଗିଦ୍ କରି ଆନ୍ଧ୍ରକୁ ପଦେ ନ କହିବା ଆଦୌ ଶୁଭଲକ୍ଷଣ ନୁହେଁ। ଆହୁରି ବଡ଼ କଥା ହେଲା, ଓଡ଼ିଶା ବିଧାନସଭା ସୀମା ସଂକ୍ରାନ୍ତ କମିଟି ମଧ୍ୟ ଏଯାଏ ଥରୁଟିଏ ଏହି ଅଞ୍ଚଳ ବୁଲି ସ୍ଥିତି ଯାଞ୍ଚ ଲାଗି ଆଗ୍ରହ ଦେଖାଇଲେ ନାହିଁ। ବାଚସ୍ପତିଙ୍କ ନିଷ୍ପତ୍ତି ପ୍ରସ୍ତାବରେ ରହିଗଲା। ଏକଥା କିନ୍ତୁ ସତ ଯେ ଆଜି ନ ହେଲେ ବି ଆସନ୍ତାକାଲି ଜଣାପଡ଼ିବ- ଆନ୍ଧ୍ରର କୋଟିଆ ପ୍ରୀତି ସେ ଅଞ୍ଚଳର ବିକାଶ ଲାଗି ଆଦୌ ଉଦ୍ଦିଷ୍ଟ ନୁହେଁ ବରଂ ଓଡ଼ିଶା ବକ୍ସାଇଟ୍‌ ଏବଂ ଜଙ୍ଗଲ ସଂପଦ ଉପରେ ସେମାନଙ୍କର ନଜର ରହିଛି।

publive-image SANDRP

ଏପଟେ ପଶ୍ଚିମବଙ୍ଗ ବାଲି, ପାଣି, ପର୍ଯ୍ୟଟନ ପାଇଁ ଓଡ଼ିଶାକୁ ଆଖେଇଛି; ନଦୀ ଏବଂ ଜଙ୍ଗଲ ପାଇଁ ଛତିଶଗଡ଼। ସମୁଦାୟ ପ୍ରସଙ୍ଗରେ ଓଡ଼ିଶାର ସ୍ବର କେବଳ କ୍ଷୀଣ ତାହା ନୁହେଁ, ସମାଧାନ ଦିଗରେ ବି ତତ୍ପରତା ନାହିଁ। ଗୋଟିଏ ଧାଡ଼ିରେ କହିହେବ ଯେ ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତାର ସୁରକ୍ଷା ଡୋରି ଏବେ ସରକାରଙ୍କ ହାତରେ ବନ୍ଧା ପଡ଼ିଛି।

ରାଜ୍ୟରେ ଆଜି ଦିନରେ ଖାଦ୍ୟାଭାବ ଆଦୌ ନାହିଁ। ବରଂ ଯେଉଁ ପ୍ରସଙ୍ଗଟି ଆନ୍ଦୋଳିତ କରୁଛି, ତାହା ହେଲା, କୌଣସି ଗୋଟିଏ ଫସଲରେ ଚାଷୀକୁ ତାର ଉପଯୁକ୍ତ ମୂଲ୍ୟ ମିଳୁନି। ସଂପ୍ରତି ଧାନ ବିକ୍ରି କେଳେଙ୍କାରୀ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ସମସ୍ତଙ୍କ ସାମ୍ନାରେ ଚାଷୀ କ୍ବିଣ୍ଟାଲ ପିଛା ୭ କେଜି ଯାଏ ଧାନ ମଣ୍ଡିରେ ବିନା ମୂଲ୍ୟରେ ଛାଡ଼ିବାକୁ ବାଧ୍ୟ ହେଉଛି। ପଞ୍ଚାୟତ, ବ୍ଲକ ଠାରୁ ଲୋକସେବା ଭବନ ଯାଏ ଯେତେ ଅଫିସର ଓ ନେତା ଅଛନ୍ତି, ସେମାନେ ଯଦି ଏଭଳି ବେଆଇନ କାରବାରକୁ ପ୍ରଶୟ ଦେଉନଥାନ୍ତେ, ତେବେ ଚାଷୀ ଶୋଷିତ ହୁଅନ୍ତା କିପରି? ଦିନ ଦି’ପହରେ ଧାନ କିଣା ବ୍ୟବସ୍ଥାକୁ ଗଣଦୁଷ୍କର୍ମ ଚାଲିଛି, କାର୍ଯ୍ୟାନୁଷ୍ଠାନ ଶୂନ।

publive-image The Better India

ସେହିଭଳି ଚାଷୀର ରୋଜଗାର ଦୁଇଗୁଣା କରାଯିବା ଯେମିତି ଫମ୍ପା ଘୋଷଣା, ଠିକ୍ ସେମିତି ଚାଷରେ ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ନେଇ ସରକାରଙ୍କ ଘୋଷଣା ଦିବା ସ୍ବପ୍ନ ବୋଲି କୁହାଯାଇପାରେ। ଏଯାଏ ଜିଲ୍ଲା ଵାରି ମାଟି ପରୀକ୍ଷା କରି କେଉଁ ଅଞ୍ଚଳ କିଭଳି ଚାଷ ପାଇଁ ଉପଯୋଗୀ, ସେକଥା ଚାଷୀଙ୍କୁ ବୁଝାଇବାରେ ବିଫଳ ହୋଇଥିବା କୃଷି ବିଭାଗ ଚାଷୀକୁ କୌଣସି ବିହନ ପର୍ଯ୍ୟାପ୍ତ ପରିମାଣରେ କିମ୍ବା ଠିକ୍ ସମୟରେ ଯୋଗାଇ ପାରିନାହାନ୍ତି। ଶୀତଳଭଣ୍ଡାର କଥା ନ କହିବା ଭଲ।

ବସ୍ତ୍ରର ଅଭାବ ନାହିଁ। ବରଂ ଓଡ଼ିଶାର ଯେଉଁ ସବୁ ବସ୍ତ୍ର ବିଶ୍ବବଜାରରେ ଚାହିଦା ରଖେ, ତାହାର ଉତ୍ପାଦନ ଅନୁରୂପ ଭାବେ ହୋଇପାରୁନଥିବା କାରଣରୁ ଓଡ଼ିଶା ବଜାରରେ ବି ନକଲି ସମ୍ବଲପୁରୀ ଶାଢ଼ି ମିଳିଲାଣି। ବୟନ ଓ ହସ୍ତତନ୍ତ ସହିତ ଯୋଡ଼ି ହୋଇଥିବା ଗୋଷ୍ଠୀର ଆର୍ଥିକ ସ୍ବାସ୍ଥ୍ୟ ସଙ୍କଟରେ। ଏହା ଗୋଟିଏ ଉଦାହରଣ ମାତ୍ର।

ଆଉ ପାଦେ ଆଗକୁ ଗଲେ, ୧୯୯୯ ମହାବାତ୍ୟା ଠାରୁ ଓଡ଼ିଶାକୁ ଲକ୍ଷ ଲକ୍ଷ ସରକାରୀ ବାସଗୃହ ଆସିବା ପରେ ମଧ୍ୟ ଏଯାଏ ସମସ୍ତଙ୍କ ମୁଣ୍ଡରେ ପକ୍କା ଘର ରହିଛି, ଏ ଘୋଷଣା ସରକାର କରିପାରୁନାହାନ୍ତି। ଗୃହ ନିର୍ମାଣ କେଳେଙ୍କାରୀ ସୀମା ଟପିଛି ଏବଂ ସାଧାରଣ ଲୋକଟି ପାଇଁ ଉଦ୍ଦିଷ୍ଟ ଘର ବାବଦରେ ପଞ୍ଚାୟତସ୍ତରରୁ ଖୋଲାଖୋଲି ଲାଞ୍ଚ ଆଦାୟ ହେଉଛି। ବାସଗୃହ ଯୋଜନା ହାତେଇବା କ୍ଷେତ୍ରରେ ସମାଜର ତଥାକଥିତ ସ୍ବାଭିମାନୀମାନଙ୍କର ଅସଲ ଚେହେରା ବି ଏବେ ଦାଣ୍ଡରେ ଗଡ଼ୁଛି।

publive-image YouTube

ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ପରେ ଯେଉଁ ପ୍ରସଙ୍ଗଟି ସବୁଠୁ ଗୁରୁତ୍ବପୂର୍ଣ୍ଣ ତାହା ହେଲା ସୁରକ୍ଷା। ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ଚିନ୍ତାଜନକ। ନାରୀ, ଶିଶୁ ଓ ବୟସ୍କଙ୍କ ସୁରକ୍ଷା ଚ୍ୟାଲେଞ୍ଜ ନିଶ୍ଚୟ। ଦେଶର ଅଧିକାଂଶ ସ୍ଥାନରେ ଏଭଳି ଅପରାଧର ସଂଖ୍ୟା ବଢ଼ୁଛି ବୋଲି ଯୁକ୍ତି ରଖାଯାଇପାରେ। ହେଲେ ଓଡ଼ିଶାରେ ଜଣେ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ଗୁଳି କରି ହତ୍ୟା କରିବା, ବାଲି ଓ ଅନ୍ୟ ମାଫିଆ ଗୋଷ୍ଠୀ ପ୍ରଶାସନକୁ ମରଣାନ୍ତକ ଆକ୍ରମଣ କରିବା, ସର୍ବୋପରି ପୁଲିସ-ନେତା ହାତାହାତି ଘଟଣା ବୃଦ୍ଧି ଗମ୍ଭୀର ସଙ୍କେତ ଦେଉଛି। ବର୍ଷ ବର୍ଷର ରୋଜଗାରକୁ କେଇ ସେକେଣ୍ଡ ଭିତରେ ସାଇବର ଅପରାଧୀ ଖାଲି କରିଦେଉଥିଲେ ହେଁ, ଓଡ଼ିଶା ପୁଲିସ ଡିଜିଙ୍କ ଏ ଦିଗରେ ପ୍ରସ୍ତୁତି ଚିନ୍ତାଜନକ। ସାଇବର ଥାନା ଖୋଲି ଦାୟିତ୍ବ ସାରି ଦେଇଥିବା ଡିଜି କେଉଁ ଆଇପିଏସ୍‌ କିମ୍ବା ବିଶେଷଜ୍ଞ ଅଫିସରଙ୍କୁ ମୁତୟନ କରିଛନ୍ତି?

ପୃଥିବୀର ବହୁ ବିଦ୍ବାନ କହିଛନ୍ତି ଯେ ଯେବେ ଶାସ୍ତ୍ର ଉପରେ ସମାଜ ଆଲୋଚନା କରିପାରେନାହିଁ, ସେବେ ଶସ୍ତ୍ର ଉଠେ। ସମ୍ଭବତଃ ଉତ୍କଳ ବିଶ୍ବବିଦ୍ୟାଳୟଠାରୁ ଆରମ୍ଭ କରି ବିତର୍କର ମନ୍ଦିରମାନଙ୍କରେ ଘଟୁଥିବା ଘଟଣା ଏହାର ଗୋଟିଏ ଗୋଟିଏ ତିକ୍ତ ଦୃଷ୍ଟାନ୍ତ।

ଥରେ ହେଲେ ମାଟିର ସୁରକ୍ଷା ଏବଂ ସ୍ବାର୍ଥ ପାଇଁ ଏଭଳି ଚିତ୍କାର ଶୁଭନ୍ତା!!