ବିଧାନସଭାରେ ଶୋକ

ଭୁବନେଶ୍ୱର: ବିଧାନସଭାର ବଜେଟ୍‌ ଅଧିବେଶନର ପ୍ରଥମ ଦିବସରେ ଦିବଂଗତ ବିଧାୟକ ଓ ସହିଦଙ୍କ ପାଇଁ ଶୋକପ୍ରକାଶ କରାଯାଇଥିଲା। ଏହି ଦିବଂଗତ ସଦସ୍ୟମାନେ ହେଲେ ପୂର୍ବତନ ମନ୍ତ୍ରୀ ବେଣୁଧର ବଳିୟାରସିଂହ, ପୂର୍ବତନ ରାଷ୍ଟ୍ର ମନ୍ତ୍ରୀ ଫ୍ରିଡ଼ା ଟପ୍ନୋ, ନିତ୍ୟାନନ୍ଦ ସାମନ୍ତରାୟ, ଅଖିଳ ସାଉଁଟା ଓ କୃଷ୍ଣଚନ୍ଦ୍ର ସ୍ୱାଇଁ। ଦୁଇ ଜଣ ସହିଦ ହେଲେ ସିଆର୍‌ପିଏଫ୍‌ ଯବାନ୍‌ ପ୍ରଦୀପ କୁମାର ପଣ୍ଡା ଓ ମନୋରଞ୍ଜନ ଲେଙ୍କା। ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ ସିପିଆଇ(ଏମ୍‌) ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ବାଚସ୍ପତି ପ୍ରଦୀପ ଅମାତ ସେମାନଙ୍କ ସ୍ମୃତିଚାରଣ କରିବା ସହ ଶୋକ ପ୍ରକାଶ କରିଥିଲେ। ଏହା ପରେ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର