ପରିବହନ ଶ୍ରମିକ ଧର୍ମଘଟ ଶାନ୍ତିପୂର୍ଣ୍ଣ

ଭୁବନେଶ୍ୱର: ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ ଓ୍ଵାର୍କର୍ସ ଫେଡେରେସନ୍‌ ଡାକରାରେ ଆଜି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ୨୪ଘଣ୍ଟିଆ ଧର୍ମଘଟ ଶାନ୍ତିପୂର୍ଣ୍ଣ ରହିଥିଲା। ରାଜ୍ୟର ପ୍ରାୟ ସାଢ଼େ ୩ଲକ୍ଷ ଗାଡ଼ି ଏହି ଧର୍ମଘଟରେ ସାମିଲ ହୋଇଥିଲେ। ବିଭିନ୍ନ ସ୍ଥାନରେ ଗ୍ୟାରେଜ୍‌ ଓ ଯନ୍ତ୍ରପାତି ଦୋକାନ ବନ୍ଦ ରହିଥିବା ସୂଚନା ମିଳିଛି। ପରିବହନ କ୍ଷେତ୍ରରେ ଥିବା ମାଲିକମାନେ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ମୋଟରଯାନ ଆଇନ ୧୯୮୮(ସଂଶୋଧନ) ବିଲକୁ ପ୍ରତ୍ୟାହାର କରିବା ଦାବି ନେଇ ରୋଡ୍‌ ଟ୍ରାନ୍ସପୋର୍ଟ ଓ୍ଵାର୍କର୍ସ ଫେଡେରେସନ୍‌ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିଲା। ଅପରାହ୍‌ଣରେ ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ ଓ୍ଵାର୍କର୍ସ ଫେଡେରେସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଫେଡେରେସନ୍‌ ସଭାପତି ଜନାର୍ଦ୍ଦନ ପତି କହିଲେ, ରାଜ୍ୟରେ ଧର୍ମଘଟ ସଫଳ ହୋଇଛି। ବିଭିନ୍ନ ଜିଲ୍ଲାରେ ଯାତ୍ରୀବାହୀ ବସ୍‌, ଅଟୋ, ଟ୍ରକ୍‌ ଓ ଟ୍ୟାଙ୍କର୍‌ ଚଳାଚଳ ବନ୍ଦ ରହିଥିଲା। ଗ୍ରାମାଞ୍ଚଳରେ ମଧ୍ୟ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଛି। ବାଲେଶ୍ୱର, ଜଟଣୀ, ପାରାଦୀପ ଓ ଝାରସୁଗୁଡ଼ାରେ ତେଲ ଡିପୋ ବନ୍ଦ ରହିଥିଲା। ପରିବହନ ଶ୍ରମିକ ଓ ମାଲିକମାନେ ଧର୍ମଘଟରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କୁ ଏହି ସଂଶୋଧନ ପ୍ରସ୍ତାବରୁ ବିରତ ରହିବା ପାଇଁ ଆହ୍ଵାନ ଜଣାଇଛନ୍ତି। ସେ ଆହୁରିମଧ୍ୟ କହିଥିଲେ ଯେ, ଏହି ବିଲ ଗୃହୀତ ହେଲେ ରାଜ୍ୟ ପରିବହନ ସଂସ୍ଥାର ସଂପୂର୍ଣ୍ଣ ବିଲୋପ ହେବ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଏମ୍‌ଭିଆଇ ଅଫିସ ଉଠିଯିବ। କେବଳ ଗାଡ଼ି କମ୍ପାନିମାନଙ୍କ ଗ୍ୟାରେଜ୍‌, ଯନ୍ତ୍ରପାତି ଦୋକାନ ଓ ଡ୍ରାଇଭିଂ ସ୍କୁଲ ରହିବ। ସମସ୍ତ ବେସରକାରୀ ଗ୍ୟାରେଜ୍‌ ବନ୍ଦ ହୋଇଯିବ। ଏହାଫଳରେ ଦେଶରେ ହଜାର ହଜାର ଗ୍ୟାରେଜରେ କାମ କରୁଥିବା ଶ୍ରମିକମାନେ ନିଜର କର୍ମସଂସ୍ଥାନ ହରାଇବେ। ଛୋଟ ଛୋଟ ମାଲିକମାନେ କମ୍ପାନି ଗ୍ୟାରେଜର ବିଲ ଦେଇପାରିବେ ନାହିଁ। ଗାଡ଼ି ନମ୍ବର ଓ ଡ୍ରାଇଭିଂ ଲାଇସେନ୍‌ସ ସବୁ କେନ୍ଦ୍ର ସରକାରଙ୍କ ହାତରେ ରହିବ। ସରକାର ଯାହାକୁ ଚାହିଁବେ ଏହାର ଦାୟିତ୍ୱ ଦେଇପାରିବେ। ଅଟୋ ରିକ୍ସା ଓ ଟ୍ୟାକ୍ସି ସବୁ ହଟିଯିବ। ସାମାନ୍ୟ ଭୁଲ କଲେ ଜରିମାନା ସହିତ ଆଉ ଥରେ ଭୁଲ ହେଲେ ଦୁଇଗୁଣ ଜରିମାନା ଦେବାକୁ ହେବ। ସେହିପରି ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ କଲେ ବୀମା ରାଶି ପରିମାଣ ସର୍ବାଧିକ ୧୦ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ। ଘରୋଇ ବୀମା କମ୍ପାନିମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ଏପରି କରାଯାଇଛି ବୋଲି ଶ୍ରୀ ପତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସିଆଇଟିୟୁର ଉପସଭାପତି ବିଷ୍ଣୁ ମହାନ୍ତି, ଫେଡେରେସନ୍‌ର ସାଧାରଣ ସଂପାଦକ ରାଧାରମଣ ଷଡ଼ଙ୍ଗୀ, ନବକିଶୋର ମହାନ୍ତି ଓ ସୁରେଶ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର