ରାକେଶ ରୋଷନ ମହାନ୍ତି
ଅନୁଗୁଳ: ନିୟମିତ ତିନି ଧାରରେ ମହାନଦୀ ପାଣି ବହୁଥିଲା। ବଡ଼ ବଡ଼ ବାଲି ଭୂଖଣ୍ଡ ବି ଥିଲା। ହେଲେ ହଠାତ୍ କ’ଣ ହେଲା କେଜାଣି ନଦୀର ଗୋଟିଏ ଧାର ବନ୍ଦ ହୋଇଗଲା। ତେଣୁ ସାତକୋଶିଆରେ ନଦୀ ଗର୍ଭରେ ନିରବ ଭୂକମ୍ପ ହୋଇଥିବା ଅନୁମାନ କରାଯାଉଛି। ଏ ସମ୍ପର୍କରେ ସାତକୋଶିଆ ବନଖଣ୍ଡ ପକ୍ଷରୁ ଗବେଷଣା ଲାଗି କୌଣସି ଆବେଦନ କରାଯାଇ ନାହିଁ। ହଠାତ୍ ଏପରି ଭୌଗୋଳିକ ପରିବର୍ତ୍ତନ ପଛର କାରଣ ଜାଣିବା ଜରୁରି ହୋଇଛି। ସାତକୋଶିଆ ଦେଇ ମହାନଦୀ ପ୍ରବାହିତ ହେଉଛି। ଗୋଟିଏପଟେ ଆଠମଲ୍ଲିକ, ଅନ୍ୟପଟେ ମହାନଦୀ ଡିଭିଜନ୍ ରହିଛି। ତେବେ ଗତ କିଛିଦିନ ଧରି ମହାନଦୀ ଭିତରେ ଅସ୍ବାଭାବିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ତିନି ଧାରରେ ନଦୀ ପାଣି ବହୁଥିଲା ବେଳେ ହଠାତ୍ ଗୋଟିଏ ଧାର ଶୁଖି ଯାଇଛି। ଖାଲି ଶୁଖି ଯାଇନି, ବିସ୍ତୀର୍ଣ୍ଣ ବାଲୁକାଶଯ୍ୟା ସୃଷ୍ଟି ହୋଇଛି। ଆଗରୁ ଏପରି କେବେ ଦେଖିବାକୁ ମିଳି ନଥିବା ସ୍ଥାନୀୟ ଲୋକେ କହିଛନ୍ତି। ଗତ ଡିସେମ୍ବର ମାସରୁ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ମଝି ଧାରଟି ଶୁଖିଯାଇ ବାଲିଗଦା ଛିଡ଼ା ହୋଇଛି।
ଦେଢ଼ କିମି ଯାଏଁ ଶୁଖିଗଲା ଗୋଟିଏ ଧାର
୩ ବର୍ଷ ତଳେ ବି ଘଟିଥିଲା ଅସ୍ବାଭାବିକ ପରିବର୍ତ୍ତନ
ହଠାତ୍ ଏପରି ହେବା ପଛରେ କ’ଣ କାରଣ ରହିଛି, ତାହା କେହି କହି ପାରୁନାହାନ୍ତି। ୩ ବର୍ଷ ତଳେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା ଟିକରପଡ଼ା ଘାଟରେ। ସେତେବେଳେ ମହାନଦୀ ଧାର ଶୁଖିଯାଇ ବାଲୁକା ଶଯ୍ୟା ସୃଷ୍ଟି ହୋଇଥିଲା। ସେ ସମୟରେ ମଧ୍ୟ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ କାହାରିକୁ ଏନେଇ ଗବେଷଣା କରିବାକୁ ଅନୁରୋଧ କରାଯାଇ ନଥିଲା। ଲୋକେ ମଧ୍ୟ ସବୁ ଦେଖି ଚୁପ୍ ରହିଥିଲେ। ଏବେ ତିନି ମାସ ଭିତରେ ପୁଣିଥରେ ସୁନାଖଣିଠାରୁ ବଳଦମଡ଼ା ଭିତରେ ଏପରି ଦେଖିବାକୁ ମିଳିଛି। ଏବେ ନଦୀର ବୌଦ୍ଧ ପଟକୁ ସୁନାଖଣି ପାଖେ ଓ ସାତକୋଶିଆ ଜଙ୍ଗଲ ପଟକୁ ବଳଦପଡ଼ା ପାଖେ ନଦୀ ଧାର ବହୁଛି। ମଝିରେ ଥିବା ଧାରଟି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଶୁଖିଯିବାରୁ ବିଶାଳ ବାଲି ଭୂଖଣ୍ଡ ସୃଷ୍ଟି ହୋଇଛି।
ନଦୀ ଭିତରେ କ’ଣ ହୋଇଛି ଓ କାହିଁକି ଏପରି ପରିବର୍ତ୍ତନ ଦେଖିବାକୁ ମିଳିଛି ତାହାର ଗବେଷଣା ଜରୁରି ହୋଇଛି। ଭୂତତ୍ତ୍ବ ବିଭାଗ ଢେଙ୍କାନାଳ ଜୋନ୍ ଡେପୁଟି ନିର୍ଦ୍ଦେଶକ ବିଶ୍ବରଞ୍ଜନ ସେଠୀଙ୍କୁ ଏ ନେଇ ପଚାରିବାରେ, ଗବେଷଣା ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି। ଅନୁଗୁଳ-ତାଳଚେର ଭୂକମ୍ପ ଜୋନ୍ ହୋଇଥିବାରୁ ଏବେ କିଛି କହିବା ଠିକ୍ ହେବନି। ଏହା ନିରବ ଭୂକମ୍ପ ହୋଇଥାଇପାରେ। ସେଭଳି ହୋଇଥିଲେ ଆଗକୁ ବିପଦ ଆଶଙ୍କାକୁ ଏଡ଼ାଇ ହେବନାହିଁ ବୋଲି ସେ କହିଛନ୍ତି।