ଝାରସୁଗୁଡ଼ା/ଇବ୍ ଥର୍ମାଲ: ଆନ୍ତର୍ଜାତିକ ପତ୍ରିକା ‘ଜର୍ଣ୍ଣାଲ ଅଫ୍ ଏନଭାରନ୍ମେଣ୍ଟାଲ ମ୍ୟାନେଜମେଣ୍ଟ’ରେ ପ୍ରକାଶିତ ‘ପାଉଁଶ ଯୋଗୁ ହେଉଥିବା ବିକିରଣ ଓ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ’ ଶୀର୍ଷକ ଗବେଷଣାତ୍ମକ ସନ୍ଦର୍ଭରେ ପାଉଁଶ କିଭଳି ମୃତ୍ୟୁଯନ୍ତା ବସାଇଛି ସେ ସମ୍ପର୍କରେ ଗୁରୁବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ଏହି ପାଉଁଶ ଯେତିକି ମାରାତ୍ମକ, ତାପଜ ବିଦ୍ୟୁତ୍ କେନ୍ଦ୍ର ମଧ୍ୟ ସେତିକି ମାରାତ୍ମକ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଓୟୁଟିଆର୍ର ମଧୁସ୍ମିତା ମିଶ୍ର, ଉତ୍କଳ ବିଶ୍ବବିଦ୍ୟାଳୟର ସରୋଜ ସାହୁ, ‘ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଫର୍ ହ୍ୟୁମାନିଟି ଆଣ୍ଡ ନେଚର’ର ପୁନମ ମଙ୍ଗରାଜ ଓ ଆଇଆଇଟିଏମ୍ର ଜି. ବେଗ୍ଙ୍କ ଏହି ଗବେଷଣାରେ ତାପଜ ବିଦ୍ୟୁତ୍ କେନ୍ଦ୍ର ଯୋଗୁ ଭାରତୀୟଙ୍କ ହାରହାରି ଆୟୁ ୩.୫ ବର୍ଷ ହ୍ରାସପାଇବ ବୋଲି ମଧ୍ୟ ଚେତାଇ ଦିଆଯାଇଛି।
ମେକ୍ ଇନ୍ ଇଣ୍ଡିଆ ଅନ୍ତର୍ଗତ ଅଧିକରୁ ଅଧିକ ଶିଳ୍ପକୁ ଆମନ୍ତ୍ରଣ କରାଯାଉଥିବା ବେଳେ ଏହାର ସିଂହଭାଗ ତାପଜ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା। ୨୦୧୪ରୁ ୨୦୨୩ ମଧ୍ୟରେ ଦେଶରେ ଜୈବ ଇନ୍ଧନ ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି। ତାପଜ ବିଦ୍ୟୁତ୍ କେନ୍ଦ୍ରରେ ଏହାର ଚାହିଦା ଅଧିକ। ସେପଟେ, ସମଗ୍ର ବିଶ୍ବରେ ମଧ୍ୟ ଗତ ୩ ଦଶନ୍ଧିରେ କୋଇଲାର ବ୍ୟବହାର ଦ୍ରୁତଗତିରେ ବଢ଼ି ଚାଲିଛି। ୦.୬୦ କିଗ୍ରାରୁ ନେଇ ୦.୭୫ କିଗ୍ରା ଭାରତୀୟ କୋଇଲାରେ ୧ କିଲୋୱାଟ୍ ଶକ୍ତି ଉତ୍ପାଦନ ହୋଇପାରୁଥିବା ବେଳେ ବିକଶିତ ଦେଶଗୁଡ଼ିକରେ ଏହି ପରିମାଣର ବିଦ୍ୟୁତ୍ ପାଇଁ ମାତ୍ର ୦.୪୫ କିଲୋଗ୍ରାମ୍ କୋଇଲାର ଆବଶ୍ୟକତା ପଡୁଛି। ଫଳରେ ଅନ୍ୟ ବିକଶିତ ଦେଶ ତୁଳନାରେ ଭାରତରେ ଥିବା ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଅଧିକ ଫ୍ଲାଏ ଆସ୍ ମଧ୍ୟ ନିର୍ଗତ ହେଉଛି।
ରିପୋର୍ଟ ଅନୁସାରେ ଭାରତରେ ଉତ୍ପାଦିତ କୋଇଲାର ୬୫% ଏହି ତାପଜ ବିଦ୍ୟୁତ୍ କେନ୍ଦ୍ରରେ ହିଁ ବ୍ୟବହାର ହେଉଛି। ୨୦୧୧ରେ ଦେଶରେ କୋଇଲାର ବ୍ୟବହାର ୫୨୩.୫ ଟନ୍ ଥିବା ବେଳେ ୨୦୧୯ ବେଳକୁ ଏହା ୯୬୮.୩୬ ଟନ୍ରେ ପହଞ୍ଚିଛି। କେବଳ ତାପଜ ବିଦ୍ୟୁତ୍ କେନ୍ଦ୍ରର ଚିତ୍ରକୁ ଦେଖିଲେ ୨୦୧୧ରେ ୩୫୯.୮ ଟନ୍ କୋଇଲା ବ୍ୟବହାର ହେଉଥିବା ବେଳେ ୨୦୧୯ ବେଳକୁ ୬୨୧.୬୪ ଟନ୍ ବ୍ୟବହାର ହୋଇଛି। ତାପଜ ବିଦ୍ୟୁତ୍ କେନ୍ଦ୍ରର ୧୦ କିମି ପରିଧି ମଧ୍ୟରେ ତେଜସ୍କ୍ରିୟତାର ପ୍ରଭାବ ଥାଏ ସର୍ବାଧିକ। ଓଡ଼ିଶାରେ ଆଲୁମିନିୟମ, ଇସ୍ପାତ ଓ ଷ୍ଟିଲ୍ ଶିଳ୍ପର ବୃଦ୍ଧି ଯୋଗୁ ଏଥିରେ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ସଂଖ୍ୟା ବି ବୃଦ୍ଧି ପାଉଛି। ଫଳରେ ଓଡ଼ିଶାରେ ରେଡିୟମ୍ ବିକିରଣ ୫୧୬.୯ରୁ ୯୯୭.୬ ଜିବିକ୍ୟୁ ମଧ୍ୟରେ ରହିଛି। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ହେଉଥିବା ବିକିରଣ ତୁଳନାରେ ଏହା ବହୁ ଅଧିକ।
ତେଜସ୍କ୍ରିୟ ଧାତୁମିଶ୍ରିତ ପାଉଁଶଦ୍ୱାରା ଇଟା ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ବ୍ୟବହାର ଫଳରେ ଶରୀର ଆବଶ୍ୟକତାରୁ ଅଧିକ ଗାମା ଡୋଜ୍ ଗ୍ରହଣ କରୁଛି। ଫଳରେ ଦେଶବାସୀଙ୍କ ହାରହାରି ଆୟୁଷ ୩.୫ ବର୍ଷ ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସେହିପରି ତାପଜ ବିଦ୍ୟୁତ କେନ୍ଦ୍ର ଥିବା ଜିଲ୍ଲାରେ ଶିଶୁ ମୃତ୍ୟୁହାର ଅନ୍ୟ ଜିଲ୍ଲା ଅପେକ୍ଷା ୧୪% ଅଧିକ ହୋଇଥାଏ। ତେଣୁ ‘ସାଇଣ୍ଟିଫିକ୍ ଆମେରିକାନ୍’ର ୧୩ ଡିସେମ୍ବର ୨୦୦୭ରେ ପ୍ରକାଶିତ ରିପୋର୍ଟରେ ତାପଜ ବିଦ୍ୟୁତ୍ କେନ୍ଦ୍ରକୁ ଏକ ‘ନିରବ ଘାତକ’ ବୋଲି ଉଲ୍ଲେଖ କରାଯାଇଥିଲା।