ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: କଂଗ୍ରେସର ସବୁ ସଦସ୍ୟ ବିଧାନସଭାରୁ ନିଲମ୍ବିତ ହେଲେ। ଦିନେ ନୁହେଁ, ଏକାଥରେ ସାତ ଦିନ। ପ୍ରଥମେ ୧୨ ଜଣ ଓ ପରେ ଆଉ ୨ ଜଣ। ନିଲମ୍ବନ ପଛର କାରଣ ଯୁକ୍ତିଯୁକ୍ତ କି ନାହିଁ, ତାହା ଭିନ୍ନ ପ୍ରସଙ୍ଗ। କିନ୍ତୁ ବିଧାନସଭାରେ ଏହି ଅଧ୍ୟାୟ ଏକ ଇତିହାସ ହୋଇ ରହିଲା। ବିଧାନସଭାର ମୁଖ୍ୟ କାମ ଆଇନ ତିଆରି କରିବା। ତେଣୁ ଯେ କୌଣସି ବିଧେୟକ ଆସିଲେ ତାହା ଉପରେ ବୌଦ୍ଧିକ ବିତର୍କର ଆବଶ୍ୟକତା ରହିଛି। ଅଧିବେଶନର ଶେଷ ଦିନରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ଉପରେ ରାତିତମାମ ଆଲୋଚନା ହେଲା। ଶାସକ ଓ ବିରୋଧୀଙ୍କ ବିତର୍କ ଭିତରେ ବିଲ୍ ପାସ୍ ହେଲା। ଗାଣତନ୍ତ୍ରିକ ପରମ୍ପରାରେ ଏହା ଏକ ଉତ୍କୃଷ୍ଟ ଉଦାହରଣ ହୋଇ ରହିଲା।
ବିଧାନସଭାର ପବିତ୍ର ଗୃହରେ ଶାସକ ଦଳ ବିଜେପି ଓ ବିରୋଧୀ ଦଳ କଂଗ୍ରେସ ସଦସ୍ୟଙ୍କ ଭିତରେ ମାର୍ପିଟ୍, ଧସ୍ତାଧସ୍ତି ହେଲା। ସାରା ରାଜ୍ୟ ଦେଖିଲା ଜନପ୍ରତିନିଧିମାନଙ୍କର ନିକୃଷ୍ଟ କାର୍ଯ୍ୟ। କେଉଁ ଦଳର ସଦସ୍ୟଙ୍କ ଭୁଲ୍ ଯୋଗୁ ଏହା ହେଲା, ତାହା ଭିନ୍ନ କଥା। କିନ୍ତୁ ବିଧାୟକମାନେ ଯେ ସୀମା ଲଂଘି ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କଲେ, ତାହା ନିଶ୍ଚିତ। ଏହାକୁ ସବୁ ମହଲରେ ନିନ୍ଦା କରାଯାଇଛି।
ଏମିତି ଅନେକ ଘଟଣା ଓ ଅଘଟଣର ମୂକସାକ୍ଷୀ ହୋଇଥିଲା ବିଧାନସଭାର ସଦ୍ୟ ସମାପ୍ତ ବଜେଟ୍ ଅଧିବେଶନ। ଏଥିରେ ଦୁଇଟି ପର୍ଯ୍ୟାୟରେ ମୋଟ୍ ୨୮ଟି କାର୍ଯ୍ୟଦିବସ ଥିଲା। ତିନିଟି କାର୍ଯ୍ୟଦିବସ ବାକି ଥିଲା ବେଳେ ୨୫ ଦିନରେ ଅଧିବେଶନ ସରିଗଲା। ପୂର୍ବ ବିଜେଡି ସରକାର ପରି ଏବର ସରକାର ବି ସମାନ କାରଣ ଦର୍ଶାଇଲେ ଯେ ଆଉ କିଛି ସରକାରୀ କାର୍ଯ୍ୟ ନଥିବାରୁ ଗୃହକୁ ମୁଲତବୀ ରଖାଯାଉ।
ତାହା ଗୃହୀତ ହୋଇଥିଲା। ଗତ ଡିସେମ୍ବର ମାସର ଶୀତ ଅଧିବେଶନରେ ବି ଏହି କାରଣ ଦର୍ଶାଇ ଆଗୁଆ ଅଧିବେଶନ ସାରି ଦିଆଯାଇଥିଲା। ଉଭୟ ବିଜେଡି ଓ ବିଜେପି ସରକାରରେ ଆଗୁଆ ଅଧିବେଶନ ସାରିବା ଏକ ପରମ୍ପରାରେ ପରିଣତ କରିଦିଆଗଲା କହିଲେ ଭୁଲ୍ ହେବ ନାହିଁ।
ଗୋଟିଏ ଦଳର ସବୁ ସଦସ୍ୟ ନିଲମ୍ବନ ହେବା ଇତିହାସ
ରାତିତମାମ ବିତର୍କ ଭଲ ଉଦାହରଣ ଦେଖାଇଲା
ବିଜେପି-କଂଗ୍ରେସ ଧସ୍ତାଧସ୍ତି ଏକ ଅସୁସ୍ଥ ପରମ୍ପରା
ନାରୀ ନିର୍ଯାତନାକୁ ରୋକିବା ପାଇଁ ଗୃହ କମିଟି ଗଠନ ଦାବିରେ କଂଗ୍ରେସ ବିଧାୟକଙ୍କ ପ୍ରତିବାଦର ତରିକା ଏହି ଅଧିବେଶନରେ ସବୁଠାରୁ ଚର୍ଚ୍ଚିତ ଥିଲା। କେଉଁଦିନ କଳା ପୋଷାକ ପିନ୍ଧି ଆସୁଥିଲେ ତ କେଉଁଦିନ ହ୍ବିସିଲ୍ ମାରୁଥିଲେ। ପୁଣି ଲଗାତାର ଭାବେ ଗୃହରେ ଘଣ୍ଟ, ଘଣ୍ଟି, ଗିନି, ତୂରୀ ବଜାଇ ହୁଲସ୍ତୁଲ କରୁଥିଲେ। ବିଜେପି ବିଧାୟକଙ୍କ ସହ ଧସ୍ତାଧସ୍ତି ଘଟଣାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ସାତ ଦିନ ନିଲମ୍ବନ କରାଯାଇଥିଲା। ଏହା ପରେ କଂଗ୍ରେସ ବିଧାୟକମାନଙ୍କ ପ୍ରତିବାଦର ସ୍ବର ଆହୁରି ତୀବ୍ର ହେଲା। ଶେଷରେ ବାଚସ୍ପତି ଦୁଇଟି ପର୍ଯ୍ୟାୟରେ ୧୪ ଜଣ ବିଧାୟକଙ୍କୁ ସାତ ଦିନ ପାଇଁ ନିଲମ୍ବନ କଲେ। ଏପରିକି ନିଲମ୍ବିତ ବିଧାୟକଙ୍କୁ ରାତିରେ ବିଧାନସଭାର ସୁରକ୍ଷାକର୍ମୀ ଜୋରଜବରଦସ୍ତ ଟେକି ନେଇ ବାହାରେ ଛାଡ଼ିଦେଲେ ବୋଲି ଅଭିଯୋଗ ହେଲା। ଅବଶ୍ୟ ବାଚସ୍ପତି ଏହାକୁ ଅସ୍ବୀକାର କରିଥିଲେ। ପରେ କଂଗ୍ରେସ ସଦସ୍ୟଙ୍କ ଅନୁପସ୍ଥିତିରେ ଗୃହ କାର୍ଯ୍ୟ ଚାଲିଲା। ସେମାନଙ୍କର ସାତ ଦିନ ନିଲମ୍ବନ ଅବଧି ସରିବା ପୂର୍ବରୁ ଅଧିବେଶନ ସରିଗଲା। ବିଧାନସଭାକୁ ସ୍ବାଭାବିକ ଚଳାଇବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କର ବଡ଼ ଭୂମିକା ରହିଛି। କିନ୍ତୁ ଏହି ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଭୂମିକା ତାଙ୍କୁ ବିବାଦୀୟ କରିଦେଇଛି। ଯେଉଁଦିନ କଂଗ୍ରେସ-ବିଜେପି ସଦସ୍ୟ ଧସ୍ତାଧସ୍ତି ହେଲେ ସେହିଦିନ ମନ୍ତ୍ରୀ ଶାସକ ଦଳର ବିଧାୟକଙ୍କୁ ହାତ ଠାରି ଗୃହ ମଧ୍ୟ ଭାଗକୁ ଡାକୁଥିବାର ଭିଡିଓ ଭାଇରାଲ୍ ହେଲା। ଏଥି ପାଇଁ ମନ୍ତ୍ରୀ ସମାଲୋଚିତ ହେଲେ। ଏପରିକି ସେ ଅଶ୍ଳୀଳ ଭାଷା ବ୍ୟବହାର କରିଥିବାର ଅଭିଯୋଗ କଂଗ୍ରେସ ବିଧାୟକମାନେ କରିଛନ୍ତି। ଅବଶ୍ୟ ମନ୍ତ୍ରୀ ଏ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖିନାହାନ୍ତି।
କଂଗ୍ରେସର ପ୍ରତିବାଦ ସ୍ବର ତୀବ୍ର ଥିଲେ ମଧ୍ୟ ବିଜେଡିର ପ୍ରତିବାଦ ତରିକା ଆହୁରି ରୋଚକ ଥିଲା। କେଉଁଦିନ ଲଣ୍ଠନ ଧରି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଥିଲେ ତ କେଉଁଦିନ ଗଙ୍ଗାଜଳ ସିଞ୍ଚିଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କ ଚିରାଚରିତ ଢଙ୍ଗରେ ବହୁ ଦିନ ଗୃହରେ ଅନୁପସ୍ଥିତ ଥିଲେ। ତାଙ୍କ ଅନୁପସ୍ଥିତିରେ ବି କିଛି କିଛି ପ୍ରସଙ୍ଗରେ ବିଜେଡି ବିଧାୟକମାନେ ମିଳିତ ଭାବେ ଭଲ ପ୍ରଦର୍ଶନ କରିଥିଲେ। ସେମାନଙ୍କ ବିତର୍କ ବେଶ୍ ଶାଣିତ ଥିଲା। ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁଙ୍କ ପରି ବରିଷ୍ଠ ସଦସ୍ୟମାନେ ବିଭିନ୍ନ ବିତର୍କରେ ପ୍ରଭାବୀ ଢଙ୍ଗରେ ଯୁକ୍ତି ଉପସ୍ଥାପନ କରିଥିଲେ। ବିଶେଷ କରି ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ଉପରେ ବିଜେଡିର ବିଧାୟକମାନଙ୍କ ଯୁକ୍ତି ବେଶ୍ ବଳିଷ୍ଠ ଥିଲା। ଶାସକ ଦଳକୁ ଲମ୍ବା ସମୟ ପାଇଁ ଆଲୋଚନା କରିବାକୁ ସେମାନେ ଏକପ୍ରକାର ବାଧ୍ୟ କରିଥିଲେ। ବିଧାୟକ ଅରୁଣ ସାହୁ ଏହି ବିଲ୍ ଆଲୋଚନା ବେଳେ ୩ ଘଣ୍ଟା ୧୦ ମିନିଟ୍ କହି ଚଳିତ ବିଧାନସଭାରେ ଏକ ରେକର୍ଡ କରିଥିଲେ।