ରକ୍ତରେ ଭିଜିଲା ଶୁଲିଆ

ପୀଠରେ ଗଡ଼ିଲା କୁକୁଡ଼ା, ଛେଳି, ପୋଢ଼ ମୁଣ୍ଡ

ବଲାଙ୍ଗୀର: ଆଦିବାସୀଙ୍କ ପ୍ରଥା ଓ ପରମ୍ପରା। କେଉଁ ଆବାହମାନ କାଳରୁ ଚାଲି ଆସିଥିବା ଆଦିବାସୀଙ୍କ ବଳି ପ୍ରଥା ଆଜି ବି ଜାରି ରହିଛି। କିଛି ବର୍ଷ ହେଲା ବଳିକୁ ନେଇ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଟଣା ଓଟରା ବି ହେଇଥିଲା। କିନ୍ତୁ ଏଥର ପଥ ପରିଷ୍କାର। କେହି ଅଟକାଇବାକୁ ନଥିଲା। ଆଇନର ରକ୍ଷକମାନେ ଆଇନ ଅନୁସାରେ ଶୃଙ୍ଖଳା କାମ କରୁଥିଲେ। ପ୍ରଶାସନିକ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରୁଥିଲେ। ଆଉ ହଜାର ହଜାର ମାନସିକଧାରୀ କୁକୁଡ଼ା, ଛେଳି, ମେଣ୍ଢା, ପୋଢ ନେଇ ବଳି ଦେବା ପାଇଁ ଭିଡ ଜମାଇଥିଲେ। ମଙ୍ଗଳବାର ସକାଳୁ ରାତି ଯାଏ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁଡ଼ାର ଶୁଲିଆ ପୀଠ ବଡଖଳା ଓ ସାନଖଳାରେ ଚାଲିଥିଲା ଶହ ଶହ ପଶୁ ପକ୍ଷୀଙ୍କ ବଳି।
ସୋମବାର ରାତିରେ ହୋଇଥିଲା ନିଶି ପୂଜା। ମଙ୍ଗଳବାର ସକାଳେ ପାରମ୍ପରିକ ନୀତିରେ ଶୁଲିଆ ପୀଠରେ ପୂଜାର୍ଚ୍ଚନା କରାଯିବା ପରେ ଖଇରଗୁଡ଼ାର ବଡଖଳା ଓ ସାନଖଳାରେ ପଡିଥିଲା ବଳି। ନଡିଆ ଭୋଗରାଗ ହେଉଥିବା ବେଳେ ପୀଠରେ କୁକୁଡ଼ା ବଳି ଦିଆଯାଉଥିଲା। ପୀଠ କଡ଼ରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଛେଳି, ମେଣ୍ଢା, ପୋଢ ବି ବଳି ଦିଆଯାଇଥିଲା। ଦେହେରୀ ଭକ୍ତଙ୍କ ଦୁଃଖ ଶୁଣିବା ସହ ସେମାନଙ୍କ କାନରେ ଫୁଙ୍କୁ ଥିଲେ। ଆର୍ଶିବଚନ ଦେଉଥିଲେ। ଦିନ ୧୦ଟା ପରେ ଲୋକାରଣ୍ୟ ହୋଇଥିଲା ସମଗ୍ର ଅଞ୍ଚଳ। ଆଦିବାସୀ ସଂଘର କର୍ମକର୍ତ୍ତାମାନେ ପାରମ୍ପରିକ ଆଦିବାସୀ ବୀରବାଦ୍ୟ ତାଳେ ତାଳେ ଯାଇ ପହଞ୍ଚିଥିଲେ ପୀଠରେ। ସେହିପରି ବଲାଙ୍ଗୀର ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେର ଓ ଅନ୍ୟମାନେ ମଧ୍ୟ ଶୁଲିଆ ପୀଠକୁ ଯାଇଥିଲେ। ଏଭଳି ଭାବେ ଦିନ ତମାମ ଭିଡ଼ ଦେଖିବାକୁ ମିଳିଥିଲା ଶୁଲିଆ ପୀଠରେ। ଆଜି ଶୁଲିଆ ଯାତ୍ରାରେ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ରହିଥିଲେ। ସେହିପରି ୪ ପ୍ଲାଟୁନ ପୁଲିସ ମୁତୟନ ହୋଇଥିଲେ ଶୁଲିଆ ପୀଠରେ।

ସମ୍ବନ୍ଧିତ ଖବର