ବ୍ରହ୍ମପୁର: ବ୍ରହ୍ମପୁରରୁ ଆନ୍ଧ୍ରକୁ ରୁପା ଚାଲାଣ ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି ଚାଲାଣକାରୀ। ଓଡ଼ିଶା ପୁଲିସ ଆଖିରେ ଧୂଳି ଦେଇ ଖସି ପଳାଇଥିବା ଚାଲାଣକାରୀ ଇଚ୍ଛାପୁରରେ ଆନ୍ଧ୍ର ପୁଲିସ ହାବୁଡରେ ପଡ଼ିଛନ୍ତି। ପୁଲିସ ୩ଜଣ ଚାଲାଣକାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୬୧କେଜି ରୁପା ଇଟା ଜବତ କରିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଇଚ୍ଛାପୁର ଟାଉନ୍ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁରମ୍ ଚେକ୍ପୋଷ୍ଟ୍ରେ ଗାଡ଼ି ଯାଞ୍ଚ ଚାଲିଥିଲା। ଏହି ସମୟରେ ଓଡ଼ିଶା ପଟୁ ଯାଇଥିବା ଏକ କାର୍(ଏପି ୧୬ଇକେ ୦୮୧୮)କୁ ପୁଲିସ ଅଟକାଇ ଥିଲା। ଗାଡ଼ି ଯାଞ୍ଚ ପରେ ଡିକିରୁ ରୁପା ଇଟା ଜବତ ହୋଇଥିଲା। ଗାଡ଼ିରେ ବସିଥିବା ୩ଜଣ ଯୁବକ ସେହି ରୁପା ଇଟାର କୌଣସି କାଗଜପତ୍ର କି ବିଲ୍ ଦେଖାଇ ପାରି ନଥିଲେ। ଫଳରେ ବେଆଇନ ଭାବେ ତାହା ଚାଲାଣ କରାଯାଉଥିବା ନେଇ ଆନ୍ଧ୍ର ପୁଲିସକୁ ସନ୍ଦେହ ହୋଇଥିଲା। ଅଧିକ ଜେରା ପରେ ସେହି ୩ଜଣ ଯୁବକ ବ୍ରହ୍ମପୁରରୁ ଆସିଥିବା ପୁଲିସ ଆଗରେ ସ୍ବୀକାର କରିଥିଲେ। ସେହି ଯୁବକମାନେ କୌଣସି କାଗଜପତ୍ର ଦେଖାଇ ପାରି ନଥିବାରୁ ପୁଲିସ ରୁପା ଇଟା ଓ କାର୍ ଜବତ କରିଛି। ଏ ସଂକ୍ରାନ୍ତରେ ମଛଲିପଟମ୍ର ପି. ସୁରୀ ବାବୁ, ଇଜାଦ୍ ଗୋବିନ୍ଦା ଏବଂ କାର୍ ଡ୍ରାଇଭର୍ ବି. ନରସିଂହମୁଲୁକୁ ଗିରଫ କରିଥିବା ସୂଚନା ମିଳିଛି। ଏ ଦିଗରେ ଆନ୍ଧ୍ର ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି। ଜବତ ରୁପାର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଚାଲାଣକାରୀ ବ୍ରହ୍ମପୁରର କେଉଁ ବ୍ୟବସାୟୀଙ୍କ ଠାରୁ ଏହି ରୁପା ଇଟା ନେଇ ଆନ୍ଧ୍ର ଯାଉଥିଲେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/ତୀ78କତ8ୀକ7ତୀ97କତୀ98ତ7ୀ.jpg)