ଭୁବନେଶ୍ବର: ରୁପା ପାଲଟିଛି ହଟ୍ କେକ୍। ଲୋକମାନେ ଏ ଦୋକାନରୁ ସେ ଦୋକାନ ବୁଲି ଖୋଜୁଛନ୍ତି। ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି। ପାଖରେ ଟଙ୍କା ଅଛି, କିନ୍ତୁ ମନ ଚାହୁଥିବା ରୁପା ମିଳୁନାହିଁ। ବଜାରରେ ରୁପାର ଘୋର ଅଭାବ ଦେଖାଦେଇଛି। ଗତ ୧୦ ମାସରେ ରୁପା ଦାମ ଦ୍ବିଗୁଣିତ ହୋଇ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହୋଇଯିବା ପରେ ହଠାତ୍ ଏହାର ଚାହିଦା ବଢ଼ିଯାଇଛି। ଷ୍ଟୋର୍ରେ ଯେତିକି ରୁପା ଥିଲା ତାହା କୌଣସି ପ୍ରକାରରେ ଚାହିଦା ମେଣ୍ଟାଉଥିଲା। କିନ୍ତୁ ଗତ ସପ୍ତାହଠାରୁ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ଗ୍ରାହକମାନେ ଚାହୁଥିବା ବଡ଼ ରୁପା ବାର୍ ଆଉ ବଜାରରେ ନାହିଁ। ରୁପା ବାର୍ କିଣିବା ଲାଗି ପ୍ରତିଦିନ ଲୋକମାନେ ସୋ’ରୁମ୍କୁ ଦୌଡ଼ୁଛନ୍ତି। କିନ୍ତୁ ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼ୁଛି।
ଲାଲଚନ୍ଦ ଜୁଏଲର୍ସ ରଘୁନାଥପୁର ଷ୍ଟୋର୍ର ମୁଖ୍ୟ ଅନିସ ହଂସ କହିଛନ୍ତି ଯେ ଗତ କିଛି ଦିନ ଭିତରେ ରୁପା ବାର୍ ଓ କଏନ୍ର ଚାହିଦା ହଠାତ୍ ବଢ଼ିଯାଇଛି। ଗ୍ରାହକମାନେ ୨୫୦ ଗ୍ରାମ, ଅଧ କେଜି ଓ କେଜିକିଆ ରୁପା ବାର୍ କିଣିବାକୁ ଆସୁଛନ୍ତି। ସ୍ଥିତି ବର୍ତ୍ତମାନ ଏଭଳି ହୋଇଛି ଯେ ସୁନା ତୁଳନାରେ ରୁପାର ଚାହିଦା ଅଧିକ ରହିଛି। ବିଶେଷ କରି ନିବେଶ କରିବାକୁ ଚାହୁଥିବା ଗ୍ରାହକମାନେ ବଡ଼ ବଡ଼ ରୁପା ବାର୍ ମାଗୁଛନ୍ତି। ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ନିବେଶ ତୁଳନାରେ ରୁପା ଅଧିକ ରିଟର୍ଣ୍ଣ ଦେଉଥିବାରୁ ଗ୍ରାହକମାନେ ରୁପା କିଣିବାକୁ ଚାହୁଥିବା ସେ କହିଛନ୍ତି।
ବଜାରରେ ଘୋର ଅଭାବ
ଗ୍ରାହକ ମାଗୁଛନ୍ତି ଅଧ କେଜି, କେଜିକିଆ ବାର୍
ଅଧିକାଂଶ ନିରାଶ ହୋଇ ଫେରୁଛନ୍ତି
ଜୟଆଲୁକ୍କାସର ରୁପାଲି ଛକ ଷ୍ଟୋର୍ ମୁଖ୍ୟ ସୁଭାଷ ଏମ୍ କହିଛନ୍ତି ଯେ ଗତ ଦୁଇ ସପ୍ତାହ ହେଲାଣି ରୁପା ଚାହିଦା ହଠାତ୍ ବଢ଼ିଯାଇଛି। ଗ୍ରାହକମାନେ କେଜିକିଆ ବାର୍ ମାଗୁଛନ୍ତି। ତାହାର ଦାମ ୨ ଲକ୍ଷ ଟଙ୍କାରୁ ଅଧିକ ରହିଛି। ଏହା ବ୍ୟତୀତ ଉପହାର ଦେବାକୁ ଚାହୁଥିବା ବିଭିନ୍ନ ସଂସ୍ଥା ୧୦ ଗ୍ରାମ, ୨୦ ଗ୍ରାମର ରୁପା ବହୁ ସଂଖ୍ୟାରେ କିଣିବାକୁ ଚାହୁଛନ୍ତି। ରୁପାର ଯୋଗାଣ ପ୍ରଭାବିତ ହୋଇଥିବା ସେ ସ୍ବୀକାର କରିଛନ୍ତି। ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି ଯେ ବଜାରରେ ରୁପା ବାର୍ ଓ କଏନ୍ର ଘୋର ଅଭାବ ରହିଛି। ଚାନ୍ଦି ଭଣ୍ଡାରରେ କିନ୍ତୁ ଷ୍ଟକ୍ ଉପଲବ୍ଧ ଥିବା ସେ ଜଣାଇଛନ୍ତି। ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସର ରୁପାଲି ଛକ ଷ୍ଟୋର୍ର ମାର୍କେଟିଂ ପ୍ରବନ୍ଧକ ସିଦ୍ଧେଶ୍ବର ରଥ ମଧ୍ୟ ବଜାରରେ ରୁପା କଏନ ଓ ବାର୍ର ଅଭାବ ଥିବା ସ୍ବୀକାର କରିଛନ୍ତି। ତେବେ ଏବେ ବି ଷ୍ଟୋର୍ରେ ତାହା ମିଳୁଥିବା ସେ କହିଛନ୍ତି।
ଓଡ଼ିଶାରେ ବିକ୍ରି ହେଉଥିବା ରୁପା ମୁଖ୍ୟତଃ ମୁମ୍ବାଇ, କୋଲକାତା, ଦିଲ୍ଲୀ ଭଳି ସ୍ଥାନରୁ ଆସୁଛି। ପ୍ରତିବର୍ଷ ଧନତେରସ୍ ଓ ଦୀପାବଳି ସମୟରେ ଅଧିକ ସୁନା ଓ ରୁପା ବିକ୍ରି ହୋଇଥାଏ। ସୁନାର ଭାଗ ଅଧିକ ଥିବା ବେଳେ ରୁପା ଚାହିଦା କମ୍ ଥାଏ। ଗହଣା ବ୍ୟବସାୟୀମାନେ ସେହି ଅନୁସାରେ ନିଜ ପାଖରେ ଆଗୁଆ ଷ୍ଟକ୍ ରଖିଥାନ୍ତି। କିନ୍ତୁ ଚଳିତ ବର୍ଷ ହଠାତ୍ ରୁପା ଚାହିଦା ଏତେ ବଢ଼ିଯିବ ବୋଲି ସେମାନେ କଳ୍ପନା କରିନଥିଲେ। ବିଶେଷ କରି ଅଧକେଜିଆ ଓ କେଜିକିଆ ରୁପା ବାର୍କୁ ଲୋକମାନେ ଏତେ ଖୋଜିବେ ବୋଲି ସେମାନେ ଆକଳନ କରିପାରିନଥିଲେ। ସେଥିପାଇଁ ରୁପା ଷ୍ଟକ୍ ଦ୍ରୁତ ଗତିରେ ଶେଷ ହୋଇଯାଇଛି। ଯୋଗାଣ ପ୍ରଭାବିତ ହୋଇଥିବାରୁ ନୂଆ ଷ୍ଟକ୍ ଆସିବାର ସମ୍ଭାବନା ମଧ୍ୟ ସଙ୍କୁଚିତ ହୋଇଛି।
ଚଳିତ ବର୍ଷ ଅକ୍ଷୟ ତୃତୀୟ ସମୟରେ ରୁପାର କେଜି ପିଛା ଦାମ୍ ୧ଲକ୍ଷ ଟଙ୍କା ପାଖାପାଖି ଥିଲା। ବୁଧବାର ଏହାର ଦାମ୍ ଆଉ ୧୦୦୦ ଟଙ୍କା ବୃଦ୍ଧି ପାଇ ୨,୦୭,୦୦୦ ଟଙ୍କା ହୋଇଛି। ଯୋଗାଣକାରୀମାନଙ୍କ ପାଖରେ ରୁପା ଅଛି। କିନ୍ତୁ ତାହା ବଜାରକୁ ଆସିବ ନା ନାହିଁ, ସେ ନେଇ ସନ୍ଦେହ ରହିଛି। ରୁପାର ଅଭାବ କେବଳ ଓଡ଼ିଶାର ସମସ୍ୟା ନୁହେଁ। ସାରା ବିଶ୍ବରେ ଏବେ ତାହାର ଅଭାବ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଗତ ଏପ୍ରିଲ୍ରେ ଶୁଳ୍କ ଲଗାଇବା ପରେ ରୁପା ଯୋଗାଣ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଥିଲା। ସେଥିପାଇଁ ଲଣ୍ଡନ ମେଟାଲ୍ ଏକ୍ସଚେଞ୍ଜରୁ ବହୁ ପରିମାଣର ରୁପା ଆମେରିକା ପଠାଇ ଦିଆଯାଇଥିଲା। ରୁପା ଅଭାବର ଏହା ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହା ବ୍ୟତୀତ ସୋଲାର୍ ପ୍ୟାନେଲ୍, ଇଲେକ୍ଟ୍ରିକ୍ ଯାନ (ଇଭି) ଆଦି ଶିଳ୍ପରେ ବହୁ ମାତ୍ରାରେ ରୁପା ବ୍ୟବହାର କରାଯାଉଥିବାରୁ ଚାହିଦା ଅଧିକ ବଢ଼ିଛି।