ଭୁବନେଶ୍ବର: ସୁନା ଦର ଲୋକମାନଙ୍କ ଦିନ ହଜାଇଥିଲା। କିନ୍ତୁ ସୁନାକୁ ବଳିଯାଇଛି ରୁପା। ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ରୁପା କେବେ ଏଭଳି ମହଙ୍ଗା ହେବ ବୋଲି କେହି କେବେ ସ୍ବପ୍ନରେ ଭାବିନଥିଲେ। କିନ୍ତୁ ସତରେ ସେଭଳି ସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବରରେ ପ୍ରଥମ ଥର ପାଇଁ ରୁପାର କିଲୋପିଛା ଦାମ୍ ୨ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଛି। ବଜାର ତଥ୍ୟ ଅନୁଯାୟୀ ଏକ କେଜି ରୁପା ଦାମ୍ ମଙ୍ଗଳବାର ୯୦୦୦ ଟଙ୍କା ବୃଦ୍ଧି ପାଇ ୨,୦୬,୦୦୦ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ରୁପା ଦରକୁ ଏଭଳି ସ୍ତରରେ କେବେ ବି ଦେଖିବାକୁ ମିଳିନଥିଲା। ଗତକାଲି ଏହାର ମୂଲ୍ୟ ଗୋଟିଏ ଦିନରେ ୭୦୦୦ ହଜାର ଟଙ୍କା ବଢ଼ିବା ପରେ ଆଜି ଆଉ ୯୦୦୦ ଟଙ୍କା ବଢ଼ିଛି। ଫଳରେ ଦୁଇଦିନରେ ରୁପା ୧୬ ହଜାର ଟଙ୍କା ମହଙ୍ଗା ହୋଇଛି। ଚଳିତ ମାସ ୬ ତାରିଖ ପରଠାରୁ ରୁପା ଦାମ୍ରେ ୪୧ ହଜାର ଟଙ୍କାର ବୃଦ୍ଧି ହୋଇଛି।
କେବଳ ରୁପା ନୁହେଁ, ଆଜି ସୁନା ଦରରେ ବି ବଡ଼ଧରଣର ବୃଦ୍ଧି ଘଟିଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୭୦୦ ଟଙ୍କା ବୃଦ୍ଧି ପାଇ ୧,୧୭,୬୫୦ ଟଙ୍କା ହୋଇଛି। ସେହିପରି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୯୫୦ ଟଙ୍କା ବୃଦ୍ଧି ପାଇ ୧,୨୮,୩୫୦ ଟଙ୍କା ହୋଇଛି। ଗତ ୯ ଦିନ ମଧ୍ୟରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ୍ ୮୬୦୦ ଟଙ୍କା ବଢ଼ିଛି। ସେହି ସମୟରେ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ୯,୩୯୦ ଟଙ୍କାର ବୃଦ୍ଧି ଘଟିଛି। ସୁନା ଓ ରୁପା ଦରରେ ହେଉଥିବା ବୃଦ୍ଧିର ଭିନ୍ନ ଭିନ୍ନ କାରଣ ରହିଛି। ବିଶେଷଜ୍ଞମାନଙ୍କ ମତରେ ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୪୦୦୦ ଡଲାରରୁ ଅଧିକ ହୋଇଯାଇଥିବାରୁ ଭାରତରେ ସୁନା ଆମଦାନି ମହଙ୍ଗା ହୋଇଛି। ଅନ୍ୟ ପକ୍ଷରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବା ସ୍ଥିତିକୁ ଆହୁରି ଜଟିଳ କରିଛି। ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଲାଗି ରହିଥିବାବେଳେ ନିବେଶକମାନେ ସୁନାରେ ବିପୁଳ ନିବେଶ କରୁଥିବାରୁ ତାହାର ଚାହିଦା ବଢ଼ିଛି, ଯାହା ଦରବୃଦ୍ଧି ନିଆଁରେ ଘିଅ ଭଳି କାମ କରୁଛି।
ରୁପା ମହଙ୍ଗା ହେବାର ପ୍ରମୁଖ କାରଣ ହେଉଛି ବଜାରରେ ଅଧିକ ରୁପା ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଢ଼ା ଶୁଳ୍କ ଘୋଷଣା କରିବା ପରେ ଲଣ୍ଡନ ମେଟାଲ୍ ଏକ୍ସଚେଞ୍ଜରୁ ବିପୁଳ ପରିମାଣର ରୁପା ଆମେରିକା ପଠାଇ ଦିଆଯାଇଥିଲା। ସେଥିପାଇଁ ଏବେ ଯେତିକି ରୁପାର ଚାହିଦା ରହିଛି ତାହା ଯୋଗାଇ ହେଉନାହିଁ। ରୁପାକୁ ଗହଣା, ବାସନକୁସନ, ଉପହାର ସାମଗ୍ରୀ ବ୍ୟତୀତ ବିପୁଳ ପରିମାଣରେ ଶିଳ୍ପ କାରଖାନାଗୁଡ଼ିକରେ ବ୍ୟବହାର କରାଯାଉଛି। ଚଢ଼ା ଦରରେ ବି ବର୍ତ୍ତମାନ ରୁପାର ଚାହିଦା ରହିଛି। ଭାରତରେ ଧନୀ ବ୍ୟକ୍ତି ଓ ବଡ଼ ବଡ଼ ସଂସ୍ଥାଗୁଡ଼ିକ ରୁପାରେ ନିବେଶ କରୁଛନ୍ତି। ସେଥିପାଇଁ ଗତ ମେ’ ମାସରୁ ବିପୁଳ ପରିମାଣର ରୁପା ଆମଦାନି କରାଯାଉଛି। କିନ୍ତୁ ଅକ୍ଟୋବରରେ ରୁପାର ଯୋଗାଣ ବାଧାପ୍ରାପ୍ତ ହୋଇଛି। ଆମଦାନି ହୋଇଆସୁଥିବା ରୁପାଗୁଡ଼ିକୁ ଶୁଳ୍କମୁକ୍ତ ଅଞ୍ଚଳରେ ସଂରକ୍ଷିତ ରଖାଯାଏ। ସେହି ସବୁ ଅଞ୍ଚଳର ଭଲ୍ଟଗୁଡ଼ିକ ଏବେ ଖାଲି ପଡ଼ିଛି। ସେହି ଭଲ୍ଟଗୁଡ଼ିକୁ ପୁଣି ଥରେ ଭର୍ତ୍ତି କରିବା ଲାଗି ଅତିକମ୍ରେ ଗୋଟିଏ ମାସ ସମୟ ଲାଗିବ ବୋଲି ଆକଳନ କରାଯାଇଛି। ତେବେ ଗହଣା ବଜାରକୁ ରୁପା ଯୋଗାଣରେ ଦେଖାଦେଇଥିବା ବିଭ୍ରାଟ ପ୍ରଭାବିତ କରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। କାରଣ ପାର୍ବଣ ଋତୁରେ ଅଧିକ ଗହଣା ବିକ୍ରି ହେଉଥିବାରୁ ବହୁ ପୂର୍ବରୁ ଗହଣା ବ୍ୟବସାୟୀମାନେ ନିଜ ଆବଶ୍ୟକତା ଅନୁଯାୟୀ ଷ୍ଟକ୍ ରଖିଛନ୍ତି। ପୁରୁଣା ଦରରେ ଗହଣା ଓ ଅନ୍ୟାନ୍ୟ ଜିନିଷ ଷ୍ଟକ୍ ରଖିଥିବା ବ୍ୟବସାୟୀମାନେ ଗ୍ରାହକମାନଙ୍କୁ ଆକର୍ଷଣୀୟ ଅଫର୍ ଜରିଆରେ ଆକର୍ଷିତ କରିବାକୁ ଉଦ୍ୟମ କରୁଛନ୍ତି। ସୁନା କ୍ଷେତ୍ରରେ ମଧ୍ୟ ସମାନ ରଣନୀତି ଲାଗୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/13/gold-silver-2025-10-13-03-25-13.jpg)