ଭୁବନେଶ୍ୱର: ସାହିତ୍ୟ ସତ୍ୟ କହେ। ସେଥିପାଇଁ ସତ୍ ସାହିତ୍ୟ ପଢିଲେ ପାଠକଙ୍କୁ ଲାଗେ, ତାଙ୍କ ଜୀବନର ଅଙ୍ଗେ ନିଭା କଥା ଲେଖାଯାଇଅଛି। ବାଣୀବିହାର ପରିସରରେ ଛାତ୍ରଛାତ୍ରୀଙ୍କ ସୃଜନ ଶକ୍ତିର ବିକାଶ ଦିଗରେ କାର୍ଯ୍ୟରତ ତାଳପଦେଶ୍ବରୀ ସାହିତ୍ୟ ଆସରର ଦୁଇ ଦିନିଆ ରଜତ ଜୟନ୍ତୀ ଉତ୍ସବ ଉଦଯାପନ ସମାରୋହର ଶେଷ ଦିନ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଅତିଥିଗଣ ଏହି ମତ ଦେଇଛନ୍ତି।

Advertisment

୧୯୯୬ରେ ଗଠିତ ତାଳପଦେଶ୍ବରୀ ସାହିତ୍ୟ ଆସରର ରଜତ ଜୟନ୍ତୀ ଉଦଯାପନ ସମାରୋହ ଶେଷ ଦିନର କାର୍ଯ୍ୟକ୍ରମରେ ଆଜି ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି, ବିଶିଷ୍ଟ କବି ଡକ୍ଟର ଅପର୍ଣ୍ଣା ମହାନ୍ତି ମୁଖ୍ୟବକ୍ତା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ପରିଷଦ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦୁର୍ଗା ଶଙ୍କର ପଟ୍ଟନାୟକ ସମ୍ମାନନୀୟ ଅତିଥି ରୂପେ ଯୋଗଦେଇଥିଲେ। ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଆସରର ଦୀର୍ଘ ଜୀବନ କାମନା କରିବା ସହିତ ସାହିତ୍ୟର ବିଭିନ୍ନ ବିଭବ ସମ୍ପର୍କରେ ଆଲୋଚନା କରିଥିଲେ।

ଆସରର ପୂର୍ବତନ ସଭାପତି ଶତ୍ରୁଜିତ୍ ଙ୍କ ସଭାପତିତ୍ବରେ ତଥା ବରିଷ୍ଠ ସଦସ୍ୟ ଡକ୍ଟର ସନ୍ଦୀପ ମହାପାତ୍ରଙ୍କ ସଞ୍ଚାଳନରେ  ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ପ୍ରଫେସର ଡକ୍ଟର ବିଷ୍ଣୁପ୍ରିୟା ଓତା ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟତମ ଉପଦେଷ୍ଟା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ଅତିଥି ପରିଚୟ ଦେଇଥିଲେ। ଆସରର ବର୍ତ୍ତମାନର ସଭାପତି ଅମୂଲ୍ୟ କୁମାର ଦାଶ ଆସରର କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ରଜତ ଜୟନ୍ତୀ ଉଦଯାପନ ସମାରୋହ ଅଭ୍ୟର୍ଥନା କମିଟି ସଭାପତି ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଦେଇଥିଲେ।

ଅପରାହ୍ନରେ ସରୋଜ ବଳଙ୍କ ସଂଯୋଜନାରେ ଅନୁଷ୍ଠିତ ମୁକ୍ତ ମଞ୍ଚରେ ବିଶିଷ୍ଟ ଗୀତିକାର ପଞ୍ଚାନନ ନାୟକ ଅତିଥି ରୂପେ ଯୋଗଦେଇଥିଲେ। ପୂର୍ବତନ ସଭାପତି ଡକ୍ଟର ଦିଲୀପ ଦଳେଇ ଧନ୍ୟବାଦ ଦେଇଥିଲେ। ଦୁଇ ଦିନର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବାରୁ ଆସରର ସଦସ୍ୟ ସଦସ୍ୟାଙ୍କୁ ସମ୍ପାଦକ ସୁଧାଂଶୁ ସାହୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।