କ୍ଲାପ୍ବୋର୍ଡର ଶବ୍ଦ ଶୁଭୁନଥିଲା। ମୁହଁରେ ରଙ୍ଗ ବୋଳା ହେଉନଥିଲା କି ନାୟକ, ଖଳନାୟକର ଦମ୍ଦାର୍ ସଂଳାପ ଶୁଣାଯାଉନଥିଲା। ଶନି, ରବିବାର ହଲ୍ ସମ୍ମୁଖରେ ଗହଳି ନଥିଲା କି ଟିକେଟର କଳାବଜାରୀ ହୋଇନଥିଲା। ୯ ମାସରୁ ଊର୍ଦ୍ଧ୍ବ ସମୟ ଧରି ସିନେମା ହଲ୍ରେ ତାଲା ଝୁଲିଲା। କେବେ ହୋଇନଥିବା ଏମିତି ଅନେକ ଘଟଣାର ମୂକସାକ୍ଷୀ ଆମକୁ ବନେଇଲା ୨୦୨୦। ୧୦୦ କୋଟିରୁ ଊର୍ଧ୍ବ ଟଙ୍କାର ସିନେ ବ୍ୟବସାୟ ଠପ୍ ହୋଇଗଲା ଚଳିତ ବର୍ଷ। ଏତିକିରେ ସରିଲାନି ୨୦୨୦ର ପ୍ରକୋପ। ଓଡ଼ିଆ ସିନେ ଜଗତକୁ ସମ୍ପୂର୍ଣ୍ଣ ମୁରବି ଶୂନ୍ୟ କରିଦେଲା। ଗୋଟିଏ ପରେ ଗୋଟିଏ ହସ୍ତୀଙ୍କୁ ଆମ ପାଖରୁ ଛଡ଼ାଇ ନେଲା। ତାରକା ଦମ୍ପତିଙ୍କ ସମ୍ପର୍କର ଗୁମରକୁ ଦାଣ୍ଡରେ ପକାଇଲା, ପୁଣି ଛୋଟ ଛୋଟ କଳାକାରଙ୍କୁ ଉପାସ ରଖିଲା। କିନ୍ତୁ ଏ ଦୁଃସମୟରେ ବି କଳିଙ୍ଗ ଷ୍ଟୁଡିଓ ଅଣ୍ଟା ସଳଖିଲା। କିଛି ତାରକା ବିବାହ ବନ୍ଧନରେ ବାନ୍ଧିହେଲେ। ଆଉ କିଛି ନିଜ ବଦାନ୍ୟତା ଗୁଣରେ ରିଲ୍ ହିରୋରୁ ରିୟଲ୍ ହିରୋ ପାଲଟିଲେ। ଏମିତି ଅନେକ ଭଲ ମନ୍ଦ ଭିତରେ ୨୦୨୦ର ଓଡ଼ିଆ ସିନେ ଜଗତକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।
ଉପସ୍ଥାପନା: ସସ୍ମିତା, ସୁରଜ, ମଧୁ
ଅଳଙ୍କରଣ: ରବି
କରୋନା କୋପରେ ଓଡ଼ିଆ ସିନେ ଜଗତ ବିପୁଳ କ୍ଷତି ସହିଛି। ମାର୍ଚ୍ଚ ମାସରୁ ସରକାରଙ୍କ ତାଲାବନ୍ଦ ନିଷ୍ପତ୍ତି ଯୋଗୁଁ ୧୦ ମାସ କାଳ ସ୍ଥାଣୁ ପାଲଟିଛି। ପର୍ଯ୍ୟଟନ ଶିଳ୍ପଠୁ ଆରମ୍ଭ କରି କ୍ରୀଡ଼ା ବିଭାଗ ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ଊଣା ଅଧିକେ କୋହଳ କରାଯାଇଥିବା ବେଳେ ସିନେ ଶିଳ୍ପର ଭାଗ୍ୟ ଖୋଲିନାହିଁ। ସିନେ ଚାମ୍ବର ଅଫ୍ କମର୍ସର ଆକଳନ ମୁତାବକ ଚଳିତ ବର୍ଷ ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରାୟ ୧୦୦ କୋଟିର କ୍ଷତି ସହିଛି। ସିନେ ପ୍ରେକ୍ଷାଳୟଠୁ ଆରମ୍ଭ କରି ଛୋଟ ଛୋଟ ଟେକ୍ନିସିଆନ୍ମାନଙ୍କ ଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି। ୧୯୯୯ ମହାବାତ୍ୟାର ତାଣ୍ଡବ ପାଇଁ ପ୍ରାୟ ୩୦୦ ହଲ୍ ମଧ୍ୟରୁ ୧୦୦ରୁ ଅଧିକ ହଲ୍ରେ ସବୁଦିନ ପାଇଁ ତାଲା ପଡ଼ିଥିଲା। ତେବେ କରୋନାରେ କଟକର ଅନ୍ୟତମ ପୁରୁଣା ସିନେ ପ୍ରେକ୍ଷାଳୟ ‘ଜୟଶ୍ରୀ’ ସବୁଦିନ ପାଇଁ ବନ୍ଦ ହୋଇଗଲା। ସେହିଭଳି ପ୍ରତିବର୍ଷ ପ୍ରାୟ ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁଥିବା ବେଳେ ପାର୍ବଣ ଋତୁରେ କେବଳ ୧୦ରୁ ଅଧିକ ଚଳଚ୍ଚିତ୍ର ବଡ଼ ପରଦାକୁ ଆସେ। ମାତ୍ର ଚଳିତ ବର୍ଷ କେବଳ ୫ଟି ଚଳଚ୍ଚିତ୍ର ରୁପେଲି ପରଦାକୁ ଆସିପାରିଥିଲା। ଫଳରେ ପାର୍ବଣ ଋତୁର ସର୍ବାଧିକ ୧୦ କୋଟିରୁ ଅଧିକ ଆୟ କରୁଥିବା ଓଲିଉଡ୍ ଜଗତ ଏଥର ଫିକା ପଡ଼ିଯାଇଥିଲା। ବର୍ଷ ପ୍ରାରମ୍ଭରୁ ଅର୍ଦ୍ଧେନ୍ଦୁଙ୍କ ‘ମୁଁ ପରଦେଶୀ ଚଢ଼େଇ’ ମୁକ୍ତିଲାଭ କରିଥିଲା। ଅନ୍ୟ ଚଳଚ୍ଚିତ୍ର ମଧ୍ୟରେ ଶଲା ବୁଢ଼ାର ବଦ୍ଲା, କୁଇନ୍, ବାବୁ ଭାଇଜାନ୍ ରିଲିଜ୍ ହୋଇଥିଲା। ସେହିଭଳି ୧୦ରୁ ଅଧିକ ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଯାଇଥିଲେ ସୁଦ୍ଧା କରୋନା କଟକଣା ଯୋଗୁଁୁ ଏଯାଏ ମୁକ୍ତିଲାଭ କରିପାରିନାହିଁ।
ଅପରପକ୍ଷରେ ପ୍ରଥମଥର ପାଇଁ ସର୍ବାଧିକ ୧୦ରୁ ଅଧିକ ଚଳଚ୍ଚିତ୍ର ପ୍ରେକ୍ଷାଳୟ ପରିବର୍ତ୍ତେ ଟିଭିରେ ମୁକ୍ତିଲାଭ କରିଥିଲା। ଲକିର ଲଭ ଷ୍ଟୋରି, ପ୍ରେମ ନା ପାଗଳପଣ, ଦୁର୍ଗତିନାଶିନୀ, ଡହରା ଟୋକା, ଗୋଲ୍ମାଲ୍, ଅନୁଦିଦି ନଟ୍ଆଉଟ୍, ମୁଁ ତୁମେ ଲକ୍ଡାଉନ୍, ମୂଷା ମୋର ରଜନିକାନ୍ତ, ଫେରିଆ, ଅଙ୍ଗୁର ନମିଳିଲେ ଖଟା, ମମି ପାପା ବାହାଘର, ପାପ ଟେଲି ପରଦାକୁ ଆସିଥିଲା। ସେହିଭଳି ତରଙ୍ଗର ଓଟିଟି ପ୍ଲାଟ୍ଫର୍ମ ତରଙ୍ଗ ପ୍ଲସ୍ରେ ‘ଚୁମ୍ବକ’ ୱେବ୍ ସିରିଜ୍ ମୁକ୍ତିଲାଭ କରିଥିଲା।
/sambad/media/post_attachments/wp-content/uploads/2020/12/fh489sh4sf98hfh98fh7s87fsh98h.jpg)
କରୋନା କୋପରେ କବଳିତ ଓଡ଼ିଆ ଚଳଚ୍ଚିତ୍ର ଜଗତ ଅଣ୍ଟା ଭାଙ୍ଗି ପଡ଼ିଥିବା ବେଳେ ଏହାକୁ ମୁରବୀ ଶୂନ୍ୟ କରି ଚାଲିଯାଇଛନ୍ତି ଓଲିଉଡ୍ର ମୁରବୀମାନେ। ଏପ୍ରିଲ ମାସରେ ଆମ ଗହଣରୁ ବିଦାୟ ନେଇଥିଲେ ବିଶିଷ୍ଟ ଚିତ୍ରନାଟ୍ୟ ଲେଖକ ତଥା ସଂଳାପକାର ‘ଶ୍ରୀ ଜୟଦେବ ସମ୍ମାନ’ ବିଜେତା ବିଜୟ ମିଶ୍ର। ଏହାପରେ ଜୁଲାଇରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବାପା ତଥା ଦିଗ୍ଗଜ ବିଜୟ ମହାନ୍ତି। ଏହାପରେ ବୁଡ଼ିଯାଉଥିବା ଓଲିଉଡ୍ର ଅନ୍ୟ ଜଣେ ମୁରବୀ ପ୍ରଖ୍ୟାତ ନିର୍ଦ୍ଦେଶକ ତଥା ଅଭିନେତା ଅଜିତ ଦାସ ଗତ ସେପ୍ଟେମ୍ବରରେ ଆମକୁ ଛାଡ଼ି ଚାଲିଯାଇଥିଲେ। ପ୍ରଥମେ ସେ କରୋନା ସଂକ୍ରମିତ ହୋଇ ହସ୍ପିଟାଲ୍ରେ ଭର୍ତି ହୋଇଥିଲେ। ଏହାପରେ କିଛି ଆନୁସଙ୍ଗିକ ରୋଗ କାରଣରୁ ସେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ପରେ ପରେ ଆଲ୍ବମ୍ କ୍ବିନ୍ ଦୀପା ସାହୁ ବି କର୍କଟ ରୋଗରେ ପୀଡ଼ିତ ହୋଇ ପ୍ରାଣ ତ୍ୟାଗ କରିଥିଲେ।
ନଦୀକୁ ଖସି ପଡ଼ିଲେ ଅମ୍ଳାନଙ୍କ ପତ୍ନୀ
ନଭେମ୍ବର ୧୬ ତାରିଖ ଅପରାହ୍ନ ପ୍ରାୟ ଦୁଇଟା। କଟକ ମଧୁସୂଦନ ପୋଲ ଉପରୁ ଓଲିଉଡ୍ ଅଭିନେତା ଅମ୍ଳାନଙ୍କ ପତ୍ନୀ ମହାନଦୀଙ୍କୁ ଡେଇଁପଡ଼ିଥିଲେ। ସ୍ଥାନୀୟ ଲୋକ ଏନେଇ ପୁଲିସକୁ ଖବର ଦେବା ପରେ ପୁଲିସ ଆସି ତାଙ୍କୁ ଉଦ୍ଧାର କରିଥିଲା। ଏହାପରେ ସିଡିଏ ଫେଜ-୨ ଥାନାରେ ପହଞ୍ଚି ପତ୍ନୀଙ୍କୁ ଆଣିଥିଲେ ଅଭିନେତା ଅମ୍ଳାନ। ପୁଲିସ ଓ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସିଡିଏ ମଧୁସୂଦନ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଥିଲେ ଅମ୍ଳାନଙ୍କ ପତ୍ନୀ। ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏହା ପର ଦିନ ଅମ୍ଳାନ୍ଙ୍କ ପତ୍ନୀ ଏକ ଭିଡିଓ ଜାରି କରି ଏହାକୁ ଏକ ଦୁର୍ଘଟଣା ବୋଲି କହିଥିଲେ। ପୂଜା ସାମଗ୍ରୀ ନଦୀକୁ ପକାଇବାକୁ ଯାଇଥିବା ବେଳେ ହଠାତ୍ ମୁଣ୍ଡ ବୁଲେଇ ହୋଇଯିବାକୁ ସେ ପୋଲ ଉପରୁ ନଦୀକୁ ଖସି ପଡ଼ିଥିଲେ ବୋଲି କହିଥିଲେ।
ଦେବଦୂତ ସାଜିଲେ ସବ୍ୟସାଚୀ
ମହାମାରୀ କରୋନାରେ ରିଲ୍ ହିରୋରୁ ରିୟଲ୍ ହିରୋର ଆଖ୍ୟା ପାଇଥିବା ଅଭିନେତା ସବ୍ୟସାଚୀ ମିଶ୍ର ସମାଜସେବା କ୍ଷେତ୍ରରେ ନୂତନ ମାର୍ଗଦର୍ଶକ ସାଜିଥିଲେ। କେତେବେଳେ ବିଦେଶରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ତ’ କେତେବେଳେ ଗରିବର ଘର ବସେଇବା ପାଇଁ ଆର୍ଥିକ ସହଯୋଗ କରୁଥିବା ଚିତ୍ର ଦେଖିବାକୁ ମିଳୁଥିଲା। କରୋନା ସମୟରେ ଶହ ଶହ ଲୋକଙ୍କୁ ସହାୟତା କରି ଦରଦି ମଣିଷଟିଏ ପାଇଁ ସେ ଭଗବାନଙ୍କ ଦୂତ ହୋଇ ଛିଡ଼ା ହୋଇଥିଲେ। ଫଳରେ କରୋନା ଲଢ଼େଇ କ୍ଷେତ୍ରରେ ୟୁନିସେଫ୍ ଇଣ୍ଡିଆ ତାଙ୍କୁ ଟ୍ବିଟରରେ ଆଇଡଲ୍ ବା ଆଦର୍ଶ ବୋଲି ଅଭିହିତ କରିଥିଲେ। ଏପରିକି ଦୁବାଇରେ ଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ ଦେହକୁ ଗଞ୍ଜାମକୁ ମାତ୍ର ୩ ଦିନରେ ଆଣି ପହଞ୍ଚାଇଥିଲେ। ସାମାଜିକ ଗଣମାଧ୍ୟମରେ ଲୋକେ ତାଙ୍କୁ ଓଡ଼ିଶାର ସୋନୁ ସୁଦ୍ ବୋଲି ବିବେଚନା କରିଥିଲେ। ଖୋଦ୍ ସୋନୁ ମଧ୍ୟ ସବ୍ୟସାଚୀଙ୍କ ଏପରି କାର୍ଯ୍ୟ ଦେଖି ତାଙ୍କୁ ପ୍ରଶଂସା କରିଥିଲେ। ଫୋନ୍ରେ ତାଙ୍କ ସହ କଥା ହୋଇ ଏପରି କାର୍ଯ୍ୟଧାରା ଜାରି ରଖିବାକୁ ସବ୍ୟସାଚୀଙ୍କୁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/ffjdsj4dj4dg98j7dg97d9gj7gd98j798gjgjddgjdgj.jpg)