ଶ୍ରୀମନ୍ଦିରକୁ ଗଲା ରୁପା ଚାଦର

ତିନି ଦ୍ବାର କାମ ଶେଷ, ରୁପା କାମ ବାକି
ଆସନ୍ତାବର୍ଷ ଲାଗିବ କଳାହାଟ ଦ୍ବାର
ଫୁଲ ସହ ରହିଛି ଅନ୍ୟାନ୍ୟ ନିଖୁଣ କାରୁକାର୍ଯ୍ୟ

ପୁରୀ : ନୀଳାଦ୍ରି ବିଜେ ପୂର୍ବରୁ ଶ୍ରୀମନ୍ଦିରର ଚାରି ପ୍ରମୁଖ ଦ୍ବାର ଲଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଥିଲେ ବି ସମୟ ଅଭାବରୁ ଏହା ସମ୍ଭବ ହୋଇନାହିଁ। ଚାରିଦ୍ବାରରୁ ତିନି ଦ୍ବାର କାମ ଶେଷ ହୋଇଥିବାବେଳେ କେବଳ ରୁପା ଚାଦର ଲାଗିବା ବାକି ରହିଛି। ଆଜି ଏଥିପାଇଁ ମୁମ୍ବାଇରୁ ଆସି ନୀଳାଦ୍ରି ଭକ୍ତ ନିବାସ ଷ୍ଟଙ୍ଗ୍‌ ରୁମ୍‌ରେ ରହିଥିବା ରୁପା ଚାଦରକୁ କଡ଼ା ସୁରକ୍ଷା ବଳୟରେ ଶ୍ରୀମନ୍ଦିରକୁ ନିଆଯାଇଛି। ଅନ୍ୟପଟେ ବାକି ରହିଥିବା କଳାହାଟ ଦ୍ବାର କାମ ପାଇଁ ହାତରେ ସମୟ ନଥିବାରୁ ଆସନ୍ତାବର୍ଷକୁ ଏହା ଲଗାଇବାକୁ ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ।

ଶ୍ରୀମନ୍ଦିରର କଳାହାଟ ଦ୍ବାର, ବେହେରଣ ଦ୍ବାର, ଜୟବିଜୟ ଦ୍ବାର, ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର, ସାତପାହାଚ ଦ୍ବାର, ଆଦି ନୃସିଂହ ମନ୍ଦିର, ମା’ ବିମଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିର ଦ୍ବାର ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୁରୁଣା ଦ୍ବାରକୁ ବଦଳାଇ ରୁପାରେ ଆଚ୍ଛାଦିତ ନୂଆ ଦ୍ବାର ଲଗାଇବାକୁ ଯୋଜନା କରାଯାଇଛି। ସ୍ବତନ୍ତ୍ର ବର୍ମା ଟିକ୍‌(ଶାଗୁଆନ)ରେ ନୂଆ ଦ୍ବାର ତିଆରି କରାଯାଉଛି। ଏଥିପାଇଁ ମୁମ୍ବାଇର ଜଣେ ଦାତା ପ୍ରାୟ ୨୩୫୦ କେଜି ରୁପା ସହ ଆବଶ୍ୟକ କାଠ ଯୋଗାଇ ଦେଇଛନ୍ତି। ଇତିମଧ୍ୟରେ ଦ୍ବାର ଲଗାଇବା କାମ ବି ଆରମ୍ଭ ହୋଇଛି। ଷ୍ଟିଲ୍‌ ଫ୍ରେମ୍‌ ଦେଇ ଦ୍ବାର ସଂଯୋଗ ପରେ ଏଥିରେ ରୁପା ଚାଦର ଲଗାଇବାକୁ ଯୋଜନା କରାଯାଇଛି। ପ୍ରଥମେ ବେହରଣ ଦ୍ବାର ଲଗାଇବା ଶେଷ ପରେ ଏବେ ଜୟ-ବିଜୟ ଦ୍ବାର ଓ ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର ବି ସଂଯୋଗ କାମ ‌ଶେଷ ହୋଇଛି। ଗ୍ରାଉଟିଂ କାମ ବି ଶେଷ ହୋଇଛି। ଗ୍ରାଉଟିଂ କାମ ଶେଷ ପରେ ଆଜି ଅପରାହ୍ଣରେ ରୁପା ଚାଦର ଶ୍ରୀମନ୍ଦିରକୁ ନିଆଯାଇଛି। ଏହି ରୁପା ଚାଦର ଷ୍ଟିଲ୍‌ ଫ୍ରେମ୍‌ ମଝିରେ କବାଟ ସହ ସଂଯୋଗ କରାଯିବ। ଗୋଟିଏ ଦ୍ବାରରେ ଏକାଧିକ ରୁପା ଚାଦର ଲଗାଯିବ। ପ୍ରାୟ ୨ ବର୍ଗଫୁଟର ଚାରିକୋଣିଆ ଏହି ରୁପା ଚାଦର ନବନିର୍ମିତ ଦ୍ବାରର ଦୁଇପାର୍ଶ୍ବରେ ଲଗାଯିବ। ଯେଉଁଥିରେ ପଦ୍ମ ଫୁଲ ସହ ଅନ୍ୟାନ୍ୟ ଫୁଲର ନିଖୁଣ କାରୁକାର୍ଯ୍ୟ କରାଯାଇଥିବା ଦେଖିବାକୁ ମିଳିଛି। ପ୍ରାଥମିକ ପର୍ଯ୍ୟାୟରେ ଜୟ-ବିଜୟ ଦ୍ବାର ଓ ଭୋଗମଣ୍ଡପ ଦ୍ବାର ପାଇଁ ରୁପା ଚାଦର ଶ୍ରୀମନ୍ଦିରକୁ ନିଆଯାଇଛି। ବେହେରଣ ଦ୍ବାର ପାଇଁ ରୁପା ଚାଦର ଆସି ନଥିବାରୁ ଏହା ପରବର୍ତ୍ତୀ ସମୟରେ କରାଯିବ। ଏହା ପୂର୍ବରୁ ଜୟବିଜୟ ଦ୍ବାର ଓ ଭୋଗମଣ୍ଡପ ଦ୍ବାରରେ ରୁପା ଚାଦର ଲଗାଯିବ। କିନ୍ତୁ ଦୈନନ୍ଦିନ ନୀତିକାନ୍ତିରେ ବିଭ୍ରାଟ ଆଶଙ୍କା ରହିଥିବାରୁ ଆସନ୍ତାବର୍ଷ ରଥଯାତ୍ରାରେ କଳାହାଟ ଦ୍ବାର ଲଗାଇବାକୁ ଯୋଜନା ରହିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର କହିଛନ୍ତି। କିନ୍ତୁ ବାକି ଦ୍ବାର କାମ ରଥଯାତ୍ରା ପରେ ପରେ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର