ଗୁଜରାଟୀ ଭକ୍ତ ଦେବେ ୧୯୨୦ କେଜି ରୁପା
ପ୍ରତି ଦ୍ବାରରେ ଲାଗିବ ୬୪୦ କେଜି
ପରିଚାଳନା କମିଟି ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି
ପୁରୀ : ଶ୍ରୀମନ୍ଦିର ତିନି ଦ୍ବାରରେ ଲାଗିବ ରୁପା ଚାଦର। ମହାପ୍ରଭୁଙ୍କ ଜନୈକ ଭକ୍ତ ଏ ବାବଦକୁ ୧୯୨୦ କେଜି ଓଜନର ରୁପା ଦାନସୂତ୍ରରେ ଦେବେ। ଆବଶ୍ୟକ ଶାଗୁଆନ କାଠ ବି ଯୋଗାଇ ଦେବେ। ଶ୍ରୀମନ୍ଦିର ପ୍ରଶାସନ କେବଳ ନିର୍ମାଣ ଖର୍ଚ୍ଚ ବହନ କରିବ। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ବିଚାରବିମର୍ଷ ଚଳାଇଛି। ବିଭିନ୍ନ ନିଯୋଗ ସହ ଆଲୋଚନା କରି ମତାମତ ଲୋଡ଼ିଛି। ଏ ସଂପର୍କିତ ପ୍ରସ୍ତାବ ପରିଚାଳନା କମିଟିରେ ଗୃହୀତ ହେବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଭକ୍ତ ଜଣକ ଗୁଜୁରାଟର ବୋଲି ଶୁଣିବାକୁ ମିଳିଛି। ଏହାଭିତରେ କିଛି ଡିଜାଇନ୍ ବି ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଛି। କିନ୍ତୁ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ପ୍ରତ୍ନତତ୍ତ୍ବ ବିଭାଗ ଏ ସଂପର୍କରେ କିଛି ଜାଣିନଥିବା କହିଛି।
ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତଙ୍କ ସୂଚନା ମୁତାବକ, ଗଣେଶ ପୂଜା ପୂର୍ବଦିନ ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ଏକ ବୈଠକ ଡକାଯାଇଥିଲା। ଯେଉଁଥିରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ଛତିଶାନିଯୋଗ ନାୟକ, ପୂଜାପଣ୍ଡା ନିଯୋଗ, ପୁଷ୍ପାଳକ ନିଯୋଗ, ପ୍ରତିହାରୀ ନିଯୋଗ, ସୁଆରବଡ଼ୁ ନିଯୋଗ, ଦେଉଳ କମାଣ୍ଡର, ତଢ଼ଉକରଣ, ଦେଉଳକରଣ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଶ୍ରୀମନ୍ଦିରର କଳାହାଟ ଦ୍ବାର, ବେହେରଣ ଦ୍ବାର ଓ ଜୟବିଜୟ ଦ୍ବାରରେ ରୁପା ଚାଦର ଲଗାଇବା ସଂପର୍କରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ଏହି ତିନିଦ୍ବାରରେ ପିତ୍ତଳର ଚାଦର ଦିଆଯାଇଛି। କେବଳ କଳାହାଟ ଦ୍ବାରରେ ୦.୩ ମିମି ମୋଟେଇର ୩୦ କେଜି ରୁପା ଚାଦର ଲାଗିଛି। ଲାଗିଥିବା ପିତ୍ତଳ ନଷ୍ଟ ହୋଇଯାଇଥିବାରୁ ଦ୍ବାର ଖୋଲିବାରେ ସମସ୍ୟା ସୃଷ୍ଟି ହେଉଛି। ଏହି ଦୃଷ୍ଟିରୁ ତିନିଦ୍ବାରକୁ ସଂପୂର୍ଣ୍ଣ ନୂଆ ନିର୍ମାଣ ପାଇଁ ଆଲୋଚନା ହୋଇଥିଲା। ଆଲୋଚନା ଅନୁଯାୟୀ, ତିନିଦ୍ବାରକୁ ସଂପୂର୍ଣ୍ଣ ପିତ୍ତଳ ଚାଦରରେ ଆଚ୍ଛାଦିତ କରାଯିବ। ଏଥିପାଇଁ ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶରୁ ସ୍ବତନ୍ତ୍ର ବର୍ମା ଟିକ୍ (ସ୍ବତନ୍ତ୍ର ଶାଗୁଆନ କାଠ) ଆସିବ। ୧୫ ଫୁଟିଆ ବର୍ମା ଟିକ୍ ସିଜିନ୍ଡ ହେବା ପରେ ଏଥିରେ କଳାହାଟ ଦ୍ବାର, ବେହେରଣ ଦ୍ବାର ଓ ଜୟ ବିଜୟ ଦ୍ବାର ପାଇଁ କବାଟ ତିଆରି ହେବ। ପାରମ୍ପରିକ ଶୈଳୀରେ କବାଟର ଡିଜାଇନ୍ ପ୍ରସ୍ତୁତ ହେବ। ପରେ ଏଥିରେ ରୁପାର ଚାଦର ଦୁଇଫାଳିଆ ହୋଇ ଲାଗିବ। ଗୋଟିଏ ପାର୍ଶ୍ବର ରୁପାର ମାଟେଇ(ଗେଜ୍) ୧.୬୩ ଏମଏମ ରହିବ। ପ୍ରତିଦ୍ବାରରେ ୬୪୦ କେଜି ଓଜନର ରୁପା ଲାଗିବ।
ଯଦି ପ୍ରସ୍ତାବ ଗୃହୀତ ହୁଏ, ତେବେ ଖୁବଶୀଘ୍ର ବେହେରଣ ଦ୍ବାର ଓ ଜୟବିଜୟ ଦ୍ବାର କାମ ଆରମ୍ଭ ହୋଇଯିବ। କିନ୍ତୁ କଳାହାଟ ଦ୍ବାର କାମ ଆସନ୍ତାବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ହେବ। କାରଣ ମହାପ୍ରଭୁ ରତ୍ନ ସିଂହାସନରେ ବିଜେ ସମୟରେ ଏହି ଦ୍ବାର କାମ ଅସମ୍ଭବ। ତିନିଦ୍ବାରରେ ରୁପା ଲାଗିବା ପାଇଁ ଡିଜାଇନ୍ ତଥା ସ୍କେଚ୍ ମ୍ୟାପ୍ ପ୍ରସ୍ତୁତ ହେବ। ବିଭିନ୍ନ ସୁନା କମ୍ପାନିମାନେ କିଛି ଡିଜାଇନ୍ ବି ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିବା ଶ୍ରୀ ପୂଜାପଣ୍ଡା କହିଛନ୍ତି। କିନ୍ତୁ ଅନ୍ୟଦ୍ବାରରେ ରୁପା ଚାଦର ଲାଗିବା ନେଇ ଯେଉଁ ଆଲୋଚନା ହେଉଛି ତାହା ମିଥ୍ୟା। ଏ ସଂପର୍କରେ ବୈଠକରେ କିଛି ଆଲୋଚନା ହୋଇନି ବୋଲି ଶ୍ରୀ ପୂଜାପଣ୍ଡା କହିଛନ୍ତି। ଏ ସଂପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, କେବଳ ଏ ସଂପର୍କରେ ଆଲୋଚନା ହୋଇଛି। ପ୍ରସ୍ତାବ ଭିତରେ ଏହା ସୀମିତ ରହିଛି, କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇନି। ପ୍ରସ୍ତାବ ଭିତରେ କଳାହାଟ ଦ୍ବାର ସହ ବେହେରଣ ଓ ଜୟବିଜୟ ଦ୍ବାରରେ ରୁପା ଚାଦର ଲାଗିବା ପ୍ରସଙ୍ଗ ରହିଛି ବୋଲି ଶ୍ରୀ ଜେନା କହିଛନ୍ତି।