ଶ୍ରୀମନ୍ଦିରର ୮ ଦ୍ୱାରରେ ଲାଗିବ ରୁପା ଚାଦର

୨୪୧୩ କେଜି ରୁପା ବ୍ୟବହାର ହେବ
ବଜାର ମୂଲ୍ୟ ପ୍ରାୟ ୧୫ କୋଟି ୩୨ ଲକ୍ଷ ଟଙ୍କା
ମୁମ୍ବାଇ ଭକ୍ତଙ୍କ ଦ୍ୱାରା ଦାନ

ପୁରୀ : ଶ୍ରୀମନ୍ଦିର ଆଠ ଦ୍ୱାରରେ ଲାଗିବ ରୁପା ଚାଦର। ପ୍ରଥମେ ୩ଟି ଦ୍ବାର କଥା କୁହାଯାଉ ଥିବା ବେଳେ ଏବେ ଆଉ ୫ଟି ଦ୍ବାର ଏଥିରେ ସାମିଲ ହୋଇଛି। ପୁରୁଣା ହୋଇଯାଇଥିବା ଏହି ଆଠଟି ଦ୍ବାରକୁ ବିଦେଶରୁ ମଗାଯାଉଥିବା ବର୍ମା ଟିକ୍‌ରେ ସଂପୂର୍ଣ୍ଣ ନୂଆ ଗଢ଼ାଯିବ। ପରେ ଏହା ଉପରେ ସ୍ବତନ୍ତ୍ର ଶୈଳୀରେ ସୌନ୍ଦର୍ଯ୍ୟପୂର୍ଣ୍ଣ କାରୁକାର୍ଯ୍ୟ ପୂର୍ବକ ୨୪୧୩ କେଜିର ରୁପା ଚାଦର ବ୍ୟବହାର କରାଯାଇ ପୁରୁଣା ଦ୍ବାର ବଦଳରେ ନୂଆ ଦ୍ବାର ଲଗାଯିବ। ମୁମ୍ବାଇର ଜନୈକ ଭକ୍ତ ଏହି ରୁପା ଦାନସୂତ୍ରରେ ଦେଉଛନ୍ତି। ଦାନରେ ମିଳିଥିବା ଏହି ରୁପାର ମୂଲ୍ୟ ପ୍ରାୟ ୧୫ କୋଟି ୩୨ ଲକ୍ଷ ଟଙ୍କା। ଆଠଟି ଦ୍ବାରର କାଠ କାମ ଶେଷ ହେବା ପର୍ଯ୍ୟନ୍ତ ୨୪୧୩ କେଜି ରୁପା ଷ୍ଟ୍ରଙ୍ଗ୍‌ ରୁମ୍‌ରେ ରଖାଯିବ। ଏ ନେଇ ଆସନ୍ତା ୨୭ ତାରିଖରେ ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ବିଭିନ୍ନ ନିଯୋଗର ବରିଷ୍ଠ ସଦସ୍ୟ, ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ରୁପା ଚାଦରର ଡିଜାଇନ୍‌ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବ ଓ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଶ୍ରୀମନ୍ଦିର ପ୍ରଶାସନର ଚିଠି ମୁତାବକ, ମନ୍ଦିର ବେଢ଼ା ଭିତରେ ଥିବା କଳାହାଟ ଦ୍ବାର, ଜୟ-ବିଜୟ ଦ୍ବାର, ବେହେରଣ ଦ୍ବାର, ସାତପାହାଚ ଦ୍ବାର, ପଶ୍ଚିମ ଭୋଗମଣ୍ଡପ ଦ୍ବାର, ନୃସିଂହ ମନ୍ଦିର ଗର୍ଭଗୃହ ଦ୍ବାର, ବିମଳା ମନ୍ଦିର ଗର୍ଭଗୃହ ଦ୍ବାର ଓ ମହାଲକ୍ଷ୍ମୀ ମନ୍ଦିର ଗର୍ଭଗୃହ ଦ୍ବାରକୁ ନୂଆ ଶୈଳୀରେ ନିର୍ମାଣ କରାଯିବ। ଏହା ଶାଗୁଆନ କାଠରେ ନିର୍ମାଣ ହେବ। ଯେଉଁଥିରେ ୨୪୧୩ କେଜି ରୁପା ଚାଦର ଦିଆଯିବ। ଦ୍ବାର ପାଇଁ ଆବଶ୍ୟକ କାଠ (ବର୍ମା ଟିକ୍‌) ମାଲେସିଆରୁ ମଗାଯାଉଛି। ବର୍ତ୍ତମାନ ସୁଦ୍ଧା ଏହା ଶ୍ରୀକ୍ଷେତ୍ରରେ ପହଞ୍ଚିନଥିଲେ ବି ଖୁବ୍‌ଶୀଘ୍ର ଏହା ପହଞ୍ଚିବ ବୋଲି ଜଣାପଡ଼ିଛି। ସେପଟେ ନିର୍ମାଣ କାର୍ଯ୍ୟ ପାଇଁ ଦିନେ ଦୁଇଦିନ ଭିତରେ ମୁମ୍ବାଇର ୧୦ ଜଣିଆ କାରିଗର ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିବେ। ଯେଉଁଥିରେ ଜଣେ ମୁଖ୍ୟ କାରିଗର ଓ ଅନ୍ୟ ୯ଜଣ ସହଯୋଗୀ କାରିଗର ରହିଛନ୍ତି। ଏହି କାରିଗରମାନେ ନୀଳାଦ୍ରି ଭକ୍ତ ନିବାସରେ ରହି ନିର୍ମାଣ କାର୍ଯ୍ୟ ସଂପାଦନ କରିବେ।

କାରିଗରମାନଙ୍କ ପାଇଁ ନୀଳାଦ୍ରି ଭକ୍ତ ନିବାସରେ ରୁମ୍‌ ବୁକିଂ କାର୍ଯ୍ୟ ବି ଶେଷ ହୋଇଛି। କାମର ତତ୍ତ୍ବାବଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୭ ଜଣିଆ କମିଟି ଗଠନ କରାଯାଇଛି। ସଂପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ସିସିଟିଭି ନଜରରେ ହେବ। ସେପଟେ ଆଠଟି ଦ୍ବାରର କାଠ କାମ ଶେଷ ନ ହେବା ଯାଏ ରୁପାକୁ ସୁରକ୍ଷିତ ଷ୍ଟ୍ରଙ୍ଗ୍‌ ରୁମ୍‌ରେ ରଖାଯିବ। ଏହାଉପରେ ୧୭ ଜଣିଆ କମିଟିର ପ୍ରଥମ ବୈଠକ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ। ଶ୍ରୀମନ୍ଦର ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୈଠକରେ ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ୫ ପରିଚାଳନା କମିଟି ସଦସ୍ୟ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ଚନ୍ଦ୍ର ପୂଜାପଣ୍ଡା, ମାଧବ ମହାପାତ୍ର, ଦଇତାପତି ନିଯୋଗ ସଭାପତି ଦୁର୍ଗାଦାସ ମହାପାତ୍ର, ପୂଜାପଣ୍ଡା ନିଯୋଗ ସଭାପତି ହରେକୃଷ୍ଣ ପୂଜାପଣ୍ଡା ସାମନ୍ତ, ଏଏସ୍‌ଆଇର ଭୁବନେଶ୍ବର ମଣ୍ଡଳର ଅଧୀକ୍ଷକ, ଶ୍ରୀମନ୍ଦିର ନୀତି ପ୍ରଶାସକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଶ୍ରୀମନ୍ଦିର ଅଧୀକ୍ଷଣ ଯନ୍ତ୍ରୀ, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ. ବିନ୍ଧେଶ୍ବର ପାତ୍ର ପ୍ରମୁଖ ଉପସ୍ଥିତ ରହିବେ। ମୁଖ୍ୟ କାରିଗର ବି ଉପସ୍ଥିତ ରହିବେ। ବୈଠକରେ ଆଠ ଦ୍ବାରରେ ରୁପା ଚାଦର କିଭଳି ଓ କେଉଁ ଡିଜାଇନ୍‌ରେ ଲାଗିବ ସେ ଉପରେ ମତାମତ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ କଳାହାଟ ଦ୍ବାର, ବେହରଣ ଦ୍ବାର, ଜୟ-ବିଜୟ ଦ୍ବାର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ଏହି ତିନି ଦ୍ବାରରେ ୧୯ ଶହ କେଜିରୁ ଅଧିକ ରୁପା ଲାଗିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର