ପୁରୀ : ଶ୍ରୀମନ୍ଦିର ସିଂହଦ୍ବାର ରୁପା ଛାଉଣୀ କାମ ଆଜିଠାରୁ ଆରମ୍ଭ ହୋଇଛି। ସିଂହଦ୍ବାରରେ ଲାଗିଥିବା ନବନିର୍ମିତ କବାଟରେ ମୁମ୍ବାଇରୁ ଆସିଥିବା କାରିଗରମାନେ ବିଭିନ୍ନ ଡିଜାଇନ୍ରେ ପ୍ରସ୍ତୁତ ରୁପା ଲଗାଇବା କାମ ଆରମ୍ଭ କରିଛନ୍ତି। ଆଜି ରାତିରେ ବି ଏହି କାମ ଜାରି ରହିଛି। ଆସନ୍ତାକାଲି ରାତି ସୁଦ୍ଧା ସଂପୂର୍ଣ୍ଣ ରୁପା ଛାଉଣୀ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ନୀଳାଦ୍ରି ବିଜେ ପୂର୍ବରୁ ଏହି ଦ୍ବାର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମା’ ଲକ୍ଷ୍ମୀ ସାଆନ୍ତାଣୀ ରୁପାର ନୂଆ ସିଂହଦ୍ବାର ଦେଇ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଭବ୍ୟ ସ୍ବାଗତ କରିବେ। ସେପଟେ ବାହୁଡ଼ାଯାତ୍ରା ପୂର୍ବରୁ ସିଂହଦ୍ବାର ରଙ୍ଗ କାମ ଆରମ୍ଭ ହୋଇଛି।
ରଙ୍ଗ କାରିଗରମାନେ ଆଜି ରାତିରେ ସିଂହଦ୍ବାର ପଥର ସବୁକୁ ବାଲି କାଗଜରେ ଘସି ମଇଳା ଛଡ଼ାଇବା ପରେ ଏହା ଉପରେ ରଙ୍ଗ କାମ ଜାରି ରଖିଛନ୍ତି।
ଶ୍ରୀମନ୍ଦିର ସିଂହଦ୍ବାର ସଂପୂର୍ଣ୍ଣ ଭାବେ ନୂ୍ଆ ତିଆରି କରାଯାଇଛି। ପୁରୁଣା ଦ୍ବାରକୁ ହଟାଇ ଶାଗୁଆନ କାଠରେ ନବନିର୍ମିତ ଦ୍ବାର ଲଗାଯାଇଛି। ମୁମ୍ବାଇରୁ ଆସିଥିବା ୧୩ଜଣ କାରିଗର ବର୍ମା ଶାଗୁଆନ କାଠରେ ଏହି ଦ୍ବାର ନିର୍ମାଣ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ନୂଆ ଦ୍ବାର ଲାଗିବା ପରେ ଆଜିଠାରୁ ଏହା ଉପରେ ରୁପା ଲାଗିବା କାମ ଆରମ୍ଭ ହୋଇଛି। ମୁମ୍ବାଇରୁ ଆସିଥିବା ରୁପା ଝଳେଇ କାରିଗରମାନେ ସ୍ବତନ୍ତ୍ର ଶୈଳୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ରୁପା ନୂଆ କବାଟର ବିଭିନ୍ନ ଅଂଶରେ କଣ୍ଟା ବାଡ଼େଇ ସଂଯୋଗ କରୁଛନ୍ତି। ଏବେ ଦ୍ବାରର ଚାରିପାର୍ଶ୍ବ ଓ ମଝି ସ୍ଥାନରେ ଏହି ରୁପା ଲାଗୁଛି। ପରବର୍ତ୍ତୀ ସମୟରେ ରୁପାର ବର୍ଗାକାର ପ୍ଲେଟ୍ ସବୁ ଏହା ଉପରେ ସଂଯୋଗ କରାଯିବ। ଏଥିପାଇଁ ସ୍ବତନ୍ତ୍ର ଫ୍ରେମ ଓ କାରୁକାର୍ଯ୍ୟପୂର୍ଣ୍ଣ ବର୍ଗାକାର ରୁପା ପ୍ଲେଟ୍ ସବୁ ପ୍ରସ୍ତୁତ ହୋଇଛି।