କଟକ : ଜଣେ ଘର ମାଲିକଙ୍କ ନିକଟରୁ ୫୭ ହଜାର ଟଙ୍କା ଠକେଇ ଘଟଣାରେ କଟକ ସାଇବର୍ ଥାନା ପୁଲିସ ଏକ ବଡ଼ ଲିଙ୍କ୍ ପାଇଛି। ସାଇବର୍ ଅପରାଧୀ ତାଙ୍କୁ ଫୋନ୍ କରିଥିବା ନମ୍ବର ଯାଞ୍ଚ ପରେ ଓଡ଼ିଶାରେ ଚାଲିଥିବା ପ୍ରିଆକ୍ଟିଭ୍ ସିମ୍କାର୍ଡ କେଳେଙ୍କାରୀ ସାମ୍ନାକୁ ଆସିଛି। ପୁରୀ ଜିଲ୍ଲାରୁ ସାଇବର୍ ଅପରାଧୀଙ୍କ ଏଜେଣ୍ଟ ୫ ହଜାର ପ୍ରିଆକ୍ଟିଭ୍ ସିମ୍କାର୍ଡ ରାଜ୍ୟ ବାହାରକୁ ଚାଲାଣ କରିଛନ୍ତି। ଏହି ମାମଲାରେ କଟକ ସାଇବର୍ ଥାନା ପୁଲିସ ୮ ଜଣ ସାଇବର୍ ଏଜେଣ୍ଟଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପୁରୀ ବାସେଳୀସାହିର ବାବୁନା ଦାସ ଓରଫ ବାବୁ(୨୩), କୁଣ୍ଢେଇବେଣ୍ଟସାହିର ରାକେଶ କୁମାର ନାୟକ ଓରଫ କାଳିଆ(୩୨), ପେଣ୍ଠକଟାର ଜ୍ୟୋତିରଞ୍ଜନ ସାହୁ ଓରଫ ପିଣ୍ଟୁ(୨୨), ସଦର ନୂଆସାହିର ମହାବୀର ଦାସ(୩୧), ଆମପଡ଼ାର ଜ୍ଞାନରଞ୍ଜନ ପାତ୍ର ଓରଫ ଜ୍ଞାନ(୨୩), ସତ୍ୟବାଦୀର ବିଶ୍ବଜିତ୍ ଷଡ଼ଙ୍ଗୀ ଓରଫ ବିଶ୍ବ(୨୯), ସୌମ୍ୟରଞ୍ଜନ ଖଣ୍ଡାୟତରାୟ ଓରଫ ଡୁଗୁଲ(୨୨), ନିମାପଡ଼ାରେ ରହୁଥିବା ନୟାଗଡ଼ ରଣପୁରର ବିଶ୍ବଜିତ୍ ପ୍ରଧାନ ଓରଫ ବିଶ୍ବ(୨୩)। ପୁଲିସ ଏହି ଅଭିଯୁକ୍ତଙ୍କ ନିକଟରୁ ନଗଦ ୨ ହଜାର ୬୮୦ ଟଙ୍କା, ୧୬ଟି ମୋବାଇଲ୍ ଫୋନ୍, ବିଭିନ୍ନ ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥାର ୭୯୯ଟି ସିମ୍ କାର୍ଡ ଜବତ କରିଛି। ଜବତ ସିମ୍ରେ କେବଳ ୩୧୧ଟି ପ୍ରିଆକ୍ଟିଭ ସିମ୍ ରହିଥିବା ସୂଚନା ମିଳିଛି।
କଟକର ଜଣେ ଘର ମାଲିକ ୨୦୨୨ ଜୁନ୍ ମାସରେ www.99acres ନାମକ ଏକ ପୋର୍ଟାଲ୍ରେ ଘରଭଡ଼ା ଦେବା ପାଇଁ ବିଜ୍ଞାପନ ଦେଇଥିଲେ। ଭୁବନେଶ୍ବର ଘାଟିକିଆରେ ଥିବା ଘର ଭଡ଼ା ଦେବାକୁ ଏହି ବିଜ୍ଞାପନରେ ଉଲ୍ଲେଖ କରାଯାଇଥିଲା। ଗଲା ୨୦୨୨, ଜୁନ୍ ୧୯ ତାରିଖରେ ସେ ଏକ ହ୍ବାଟ୍ସ୍ଆପ୍ ନମ୍ବରରୁ ମେସେଜ୍ ପାଇଥିଲେ। ମେସେଜ୍ ପଠାଇଥିବା ବ୍ୟକ୍ତି ନିଜକୁ ରଣଦୀପ ସିଂହ ବୋଲି ପରିଚୟ ଦେଇଥିଲେ। ସେ ସିଆଇଏସଏଫ୍(ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ)ର କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା କହିଥିଲେ। ଗୌହାଟୀ ବିମାନ ବନ୍ଦରରେ ସେ କାର୍ଯ୍ୟ କରୁଥିଲା ବେଳେ ଭୁବନେଶ୍ବର ବିମାନ ବନ୍ଦରକୁ ବଦଳି ହୋଇଥିବା ନେଇ ମେସେଜ୍ରେ ଉଲ୍ଲେଖ କରିଥିଲେ। ଭଡ଼ାଘର ବାବଦରେ କଥାବାର୍ତ୍ତା ପରେ ଏ ନେଇ ଚୁକ୍ତି କରିବାକୁ ଆଲୋଚନା ହୋଇଥିଲା। ଅଗ୍ରୀମ ଟଙ୍କା ଦେବାକୁ ଘର ମାଲିକ କହିଥିଲେ। ଏହି ଟଙ୍କା ନେବା ସମୟରେ ଓଲଟି ରଣଦୀପ ଘର ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୭ ହଜାର ଟଙ୍କା ଲୁଟି ନେଇଥିଲେ।
/sambad/media/post_attachments/wp-content/uploads/2023/06/sim-f2.jpg)
ଏ ନେଇ ସେ ୨୦୨୨ ଜୁଲାଇ ୧୩ ତାରିଖ କଟକ ସାଇବର୍ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରିଥିଲା। ଥାନା ଆଇଆଇସି ଚନ୍ଦ୍ରିକା ସ୍ବାଇଁ ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲେ। ଏହାର ତଦନ୍ତ ସମୟରେ ରାଜସ୍ଥାନର ସାଇବର୍ ଅପରାଧୀ ଠାବ ହୋଇଥିଲେ। ସେ ଓଡ଼ିଶାର ମୋବାଇଲ୍ ନମ୍ବର ବ୍ୟବହାର କରିଥିବା ପୁଲିସ ଜାଣିବାକୁ ପାଇଥିଲା। ତଦନ୍ତ ସମୟରେ ସିମ୍କାର୍ଡ କେଳେଙ୍କାରୀ ଲିଙ୍କ୍ ମଧ୍ୟ ସାମନାକୁ ଆସିଥିଲା। ପୁରୀରୁ ଏହି ପ୍ରିଆକ୍ଟିଭେଟେଡ୍ ସିମ୍କାର୍ଡ ପ୍ରସ୍ତୁତ ହୋଇଥିଲା ବେଳେ ଏହା ଆସାମ, ରାଜସ୍ଥାନ ଓ ଦିଲ୍ଲୀକୁ ପଠାଯାଉଥିଲା। ପୁଲିସ ଟିମ୍ ପୁରୀରେ ପହଞ୍ଚି ତନାଘନା ଚଳାଇଥିଲା। ଆସାମ ଓ ଦିଲ୍ଲୀର ଦୁଇଜଣ ବ୍ୟକ୍ତିଙ୍କ ମାଧ୍ୟମରେ ପୁରୀର ଏକ ଗୋଷ୍ଠୀ ରାଜ୍ୟ ବାହାରକୁ ସିମ୍ ପଠାଉଥିବା ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲା।
ପୁରୀରେ ଏହି ଗୋଷ୍ଠୀର ସଦସ୍ୟ ଜ୍ଞାନରଞ୍ଜନ ପାତ୍ର ରାଜ୍ୟ ବାହାରକୁ ସିମ୍ ଚାଲାଣ କରିବା ସହ ଓଟିପି ସେୟାର୍ ଓ ବିଭିନ୍ନ ଅନ୍ଲାଇନ୍ ସଂସ୍ଥାର ଵାଲେଟ୍ ବି ବିକ୍ରି କରୁଥିଲା। ଏହାବାଦ୍ ଜିଓ କମ୍ପାନି କର୍ମଚାରୀ ବାବୁନା, ରାକେଶ, ବିଶ୍ବଜିତ୍ ଷଡ଼ଙ୍ଗୀ, ମହାବୀର, ଜ୍ୟୋତି, ସୌମ୍ୟ ଓ ବିଶ୍ବଜିତ୍ ପ୍ରଧାନ ବିଭିନ୍ନ ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥାର ପ୍ରିଆକ୍ଟିଭ୍ ସିମ୍ ପ୍ରସ୍ତୁତ କରୁଥିଲେ। ଏହି ସିମ୍କାର୍ଡକୁ ସେମାନେ ଜ୍ଞାନରଞ୍ଜନ ପାତ୍ର ଓ ବିଶ୍ବଜିତ୍ ପ୍ରଧାନଙ୍କୁ ଯୋଗାଉଥିଲେ। ଏହି ଦୁଇଜଣ ସିମ୍କାର୍ଡକୁ ଦିଲ୍ଲୀ ଓ ଆସାମରେ ଥିବା ଦୁଇଜଣ ଦଲାଲଙ୍କୁ ଚାଲାଣ କରୁଥିଲେ। ରାଜସ୍ଥାନ, ଉତ୍ତରପ୍ରଦେଶ, ହରିୟାନା, ଦିଲ୍ଲୀକୁ ଗଲା ମେ ସୁଦ୍ଧା ୫ ହଜାର ସିମ୍କାର୍ଡ ବିକ୍ରି ହୋଇଥିବା ଜଣାପଡ଼ିଛି। ଏବେ ଦିଲ୍ଲୀ ଓ ଆସାମର ଦୁଇ ଦଲାଲଙ୍କୁ ସାଇବର୍ ଥାନା ପୁଲିସ ଠାବ କରିବାକୁ ତନାଘନା ଚଳାଇଥିବା ସୂଚନା ମିଳିଛି।
ଡିସିପି ପିନାକ ମିଶ୍ରଙ୍କ ପକ୍ଷରୁ ଡିସିପି ଅଫିସ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦିଆଯାଇଛି। ପ୍ରିଆକ୍ଟିଭ୍ ସିମ୍ କାର୍ଡ ଜବତ ହୋଇଥିବା କମ୍ପାନିର ଅଧିକାରୀଙ୍କୁ ଡାକି ଏ ସମ୍ପର୍କରେ ପଚରାଉଚରା କରାଯିବ ବୋଲି ଡିସିପି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସାଇବର୍ ଥାନା ଆଇଆଇସି ଚନ୍ଦ୍ରିକା ସ୍ବାଇଁ ଉପସ୍ଥିତ ଥିଲେ।
କେମିତି ହେଉଥିଲା ପ୍ରିଆକ୍ଟିଭ୍ ସିମ୍?
ମୋବାଇଲ୍ ଦୋକାନୀ ସିମ୍ କିଣିବା ପାଇଁ ଦୋକାନକୁ ଆସୁଥିବା ଗ୍ରାହକଙ୍କ ଏକାଧିକ ଫଟୋ ଉଠାଇବା ସହ ବାୟୋମେଟ୍ରିକ୍ ନେଇଯାଉଥିଲେ। ପରେ ଏହାରି ବଳରେ ସେ ପ୍ରିଆକ୍ଟିଭ୍ ସିମ୍କାର୍ଡ ପ୍ରସ୍ତୁତ କରୁଥିଲେ। ଉକ୍ତ ଗ୍ୟାଙ୍ଗ ଗ୍ରାମାଞ୍ଚଳରେ ନିରକ୍ଷର ଲୋକଙ୍କୁ ବି ଟାର୍ଗେଟ୍ କରୁଥିଲେ। ସେମାନଙ୍କୁ ଗିଫ୍ଟ ଦେଇ ଫଟୋ ଓ ବାୟୋମାଟ୍ରିକ୍ ସଂଗ୍ରହ କରୁଥିଲେ। ଏହାରି ବଳରେ ବି ପ୍ରିଆକ୍ଟିଭ୍ ସିମ୍କାର୍ଡ ପ୍ରସ୍ତୁତ କରାଯାଉଥିଲା। ଏଭଳି ଦୁଇଟି ଉପାୟରେ ସିମ୍କାର୍ଡ ପ୍ରସ୍ତୁତ କରୁଥିବା ୮ଜଣ ସାଇବର୍ ଅପରାଧୀଙ୍କୁ ଗିରଫ କରାଯାଇଛି। ଗେମ୍ ଆପ୍ ଓ ଅନ୍ଲାଇନ୍ ଜୁଆ ଆପ୍ ମାଧ୍ୟମରେ ଏହି ୮ଜଣ ରାଜସ୍ଥାନ, ଆସାମ, ଉତ୍ତରପ୍ରଦେଶର ସାଇବର୍ ଅପରାଧୀଙ୍କ ଯୋଗାଯୋଗରେ ଆସିଥିଲେ। ପରେ ସେମାନଙ୍କ ମଧ୍ୟରେ ସିମ୍ କାରବାର ଆରମ୍ଭ ହୋଇଥିଲା।
ମୋବାଇଲ ହଜିଲେ ତୁରନ୍ତ ବ୍ଲକ କରନ୍ତୁ
ଭୁବନେଶ୍ବର,୧୦/୬(ଇମିସ): ମୋବାଇଲ ଫୋନ ହଜିଲେ କ’ଣ କରିବେ? କି ପଦକ୍ଷେପ ନେବେ? ସାଇବର ଅପରାଧୀଙ୍କ ହାତରେ ମୋବାଇଲ ଲାଗିଲେ ମଧ୍ୟ କେମିତି ସୁରକ୍ଷିତ ରହିପାରିବେ? ସେ ନେଇ ସାଧାରଣରେ ସଚେତନତା ଜାରି କରିଛି ଓଡ଼ିଶା ପୁଲିସ। ମୋବାଇଲ ଫୋନ୍ ହଜିଲେ କିମ୍ବା ଚୋରି ହୋଇଗଲେ ନିଜକୁ ଭାରାକ୍ରାନ୍ତ ନ କରି ପ୍ରଥମ ପଦକ୍ଷେପ ସ୍ବରୂପ ceir.sancharsaathi.gov.in/Home/index.jsp ଲିଙ୍କରେ କ୍ଲିକ୍ କରି ମୋବାଇଲ ଫୋନକୁ ବ୍ଲକ୍ କରିବା ପାଇଁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ପଦକ୍ଷେପ ଯୋଗୁ ବଡ଼ ସାଇବର ଠକେଇରୁ ରକ୍ଷା ମିଳି ପାରିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/sim-f.jpg)