ଏବେ ଘାରିଲାଣି ‘ସିମ୍‌-ସ୍ୱାପ୍‌’ ଠକେଇ ଭୟ

ଜିଲ୍ଲା ଏସ୍‌ପିଙ୍କୁ କ୍ରାଇମ୍‌ବ୍ରାଞ୍ଚର ଚିଠି

ଭୁବନେଶ୍ୱର : ଆପଣଙ୍କୁ ଗୋଟିଏ ଫୋନ୍‌ କଲ୍‌ ଆସିପାରେ। ଏଥିରେ ଫୋନ୍‌ କରିଥିବା ବ୍ୟକ୍ତିବିଶେଷ କିଛି ତଥ୍ୟ ମାଗିବେ। ତଥ୍ୟ ଦେବାର କିଛି ସମୟ ମଧ୍ୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହୋଇ ଯିବାର ସମ୍ଭାବନା ରହିଛି।

ଇ-ଠକେଇର ଏ ହେଉଛି ଏକ ତରିକା ‘ସିମ୍‌-ସ୍ୱାପ୍‌’। ଏହି ‘ସିମ୍‌-ସ୍ୱାପ’ ମାଧ୍ୟମରେ ସାଇବର ଅପରାଧୀମାନେ ରାଜ୍ୟ ବାହାରେ ବସି ବିଭିନ୍ନ ଆକାଉଣ୍ଟରୁ ଟଙ୍କା ଖାଲି କରି ଦେଉଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମେଟ୍ରୋ ସହରଗୁଡିକରେ ଏବେ ଏଭଳି ଅଭିଯୋଗ ବଢ଼ି ବଢ଼ି ଚାଲିଛି।

ଏହି ଠକେଇ ନଜରକୁ ଆସିବା ପରେ ଏବେ ଓଡ଼ିଶା ପୁଲିସ ସର୍ତକ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲ୍ଲା ଏସ୍‌ପି ଓ କମିସନରେଟ ପୁଲିସକୁ ଚିଠି କରାଯାଇଛି। କୁହାଯାଇଛି, ଜନସାଧାରଣଙ୍କୁ ଏନେଇ ସର୍ତକ କରିବା ସହିତ ସଚେତନ କର। ସେହିପରି ଉପଭୋକ୍ତା କମ୍ପାନିମାନେ ମଧ୍ୟ ଗ୍ରାହକମାନଙ୍କୁ ଏ ନେଇ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସଚେତନା ଆରମ୍ଭ କରି ଦେଇଛନ୍ତି।

କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଏହି ସାଇବର ଅପରାଧୀମାନେ ନିଜକୁ ବିଭିନ୍ନ ମୋବାଇଲ୍‌ ନେଟଓ୍ଵର୍କ କମ୍ପାନିର କଷ୍ଟମର କେୟାର କର୍ମଚାରୀ ପରିଚୟ ଦେଇ ଫୋନ୍‌ କରୁଛନ୍ତି। କଥାବାର୍ତା ଆଳରେ ସେମାନେ କହୁଛନ୍ତି, କି ଆପଣଙ୍କ ନେଟଓ୍ଵର୍କର ଅବଧି ଶେଷ ହୋଇ ଯାଇଛି। ସିମ୍‌ ବ୍ଲକ୍‌ ହୋଇ ଯିବ। ଏଥିରୁ ରକ୍ଷା ପାଇବାକୁ ହେଲେ ଆଧାରକାର୍ଡ ନମ୍ବର ଦେବାକୁ ପଡ଼ିବ। କେବଳ ଏହି ତରିକା କାହିଁକି ସେମାନେ ଆପଣଙ୍କୁ ମୋବାଇଲ୍‌ ନେଟ୍‌ଓ୍ଵର୍କରୁ ୩ଜିରୁ ୪ଜି କରିବାର ଲୋଭ ଦେଖାଇ ଆଧାରକାର୍ଡ ନମ୍ବର ମାଗି ପାରନ୍ତି।

ଥରେ ଆଧାରକାର୍ଡ ନମ୍ବର ଦେବା ପରେ ସାଇବର ଅପରାଧୀ ଜଣକ ଏକ ଓଟିପି ନମ୍ବର ପଠାଉଛନ୍ତି। ଏହି ଓଟିପି ନମ୍ବର ଖୋଲିବାମାତ୍ରେ ଆପଣଙ୍କ ସିମ୍‌-ସ୍ୱାପିଂ ହୋଇ ଯିବ। ବ୍ୟବହାର କରୁଥିବା ମୋବାଇଲ ନେଟଓ୍ଵର୍କର ସର୍ଭର ମାଧ୍ୟମରେ ସମସ୍ତ ତଥ୍ୟକୁ ସାଇବର ଅପରାଧୀ ହ୍ୟାକ୍‌ କରି ନେବେ। ଏହା ପରେ ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ର କେତେକ ଆପ୍‌ ଡାଉନ୍‌ଲୋଡ୍‌ କରି ମୋବାଇଲ ବ୍ୟାଙ୍କିଙ୍ଗ୍‌ ଆରମ୍ଭ କରିଦେଉଛନ୍ତି ଏହି ସାଇବର ଅପରାଧୀ। ଯଦି ମୋବାଇଲରେ ମୋବାଇଲ୍‌ ବ୍ୟାଙ୍କିଙ୍ଗ୍‌ ସେବା ଚାଲୁ ଥାଏ, କିଛି ସମୟ ମଧ୍ୟରେ ଆକାଉଣ୍ଟ ଖାଲି ହୋଇଯାଉଥିବା କ୍ରାଇମବ୍ରାଞ୍ଚର ସଂପୃକ୍ତ ଅଧିକାରୀ କହିଛନ୍ତି। ।

ଗତ ୫ ମାସରେ ମଧ୍ୟ ଦିଲ୍ଲୀ, ମୁମ୍ବାଇ, କୋଲକାତା ଆଦିରେ ଏଭଳି ଅଭିଯୋଗ ଆଧାରରେ ୩୦ ହଜାରରୁ ଅଧିକ ମାମଲା ରୁଜୁ ହୋଇ ସାରିଲାଣି।

ଏ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ଏହି ପ୍ରକାରର ଫୋନ୍‌ ଭ୍ରାନ୍ତ, ଅମୂଳକ ଓ ଚୋରଙ୍କ ଲକ୍ଷଣ। ଝାଡ଼ଖଣ୍ଡ ଓ ବିହାରର କେତେକ ସାଇବର ଅପରାଧୀ ଏଭଳି ଲୁଟପାଟ ଚଳାଇଛନ୍ତି। ଏଭଳି ଫୋନ୍‌କୁ ସହଜରେ ଗ୍ରହଣ କରିବା ଉଚିତ୍‌ ନୁହେଁ। କେହି ଏଭଳି ଫୋନ୍‌ କଲ୍‌ କଲେ ତୁରନ୍ତ ସେହି ନମ୍ବର ସମ୍ପର୍କରେ ସ୍ଥାନୀୟ ଥାନାରେ ଜଣାଇବା ଦରକାର। ଏପରିକି ଏ ନେଇ ମୋବାଇଲ୍‌ ନେଟଓ୍ଵର୍କ କମ୍ପାନି ସହିତ ଯୋଗାଯୋଗ କରିବାକୁ ଏଡିଜି ଶ୍ରୀ ଉପାଧ୍ୟାୟ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର