୨୨ ବର୍ଷରେ ଆଇଏଏସ ହେଲେ ଓଡ଼ିଆ ଝିଅ

ସାକ୍ଷାତକାର: ବୋୖଦ୍ଧାୟନ ଆଚାର୍ଯ୍ୟ

ଭୁବନେଶ୍ୱର: ସଫଳତା ପାଇବା ପାଇଁ ଅନୁଭୂତି ବା ବୟସର ମାପକାଠି ଆବଶ୍ୟକ ପଡେନାହିଁ | ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଡ଼ିଆ ଝିଅ ସିମି କରଣ | ସର୍ବଭାରତୀୟ ୟୁପିଏସସି ପରୀକ୍ଷାରେ ୩୧ ତମ ରାଙ୍କ ପାଇବା ସହ ସର୍ବକନିଷ୍ଠ ଆଇଏଏସ ଭାବେ ସିମି ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି | ବାଲେଶ୍ୱରର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗାଁର ସିମିଙ୍କ ବାପା ଛତିଶଗଡ଼ ଭିଲାଇ ଷ୍ଟିଲପ୍ଲାଣ୍ଟରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବାବେଳେ ମା ଶିକ୍ଷୟତ୍ରୀ ଅଛନ୍ତି | ସେ ନିଜର ସ୍କୁଲ ଶିକ୍ଷା ଡିପିଏସ ଭିଲାଇରୁ ପଢ଼ିଥିବାବେଳେ ଆଇଆଇଟି(ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି) ମୁମ୍ବାଇରୁ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ୨୦୧୯ ରେ ଶିକ୍ଷା ସମାପ୍ତ କରିଥିଲେ | ୨୦୧୯ରେ ସେ ଆଇଏଏସ ପରୀକ୍ଷା ଦେଇଥିବାବେଳେ ପ୍ରଥମ ପ୍ରଚେଷ୍ଟାରେ ହିଁ ସଫଳତା ହାସଲ କରିଛନ୍ତି |

ପରିବାର ସଦସ୍ୟଙ୍କ ସହ ସିମି

ଭାଇଭାରେ ପଚରାଯାଇଥିଲା ନିୟମଗିରି ଓ ପୋସ୍କୋ ପ୍ରସଙ୍ଗ
ଭାଇଭାରେ ସିମିଙ୍କୁ ପଚରାଯାଇଥିଲା ଯେ କୌଣସି କମ୍ପାନୀ ସେଠାକୁ ଖଣି ଖନନ କରିବାକୁ ଗଲେ ସେଠାରେ କାହିଁକି କମ୍ପାନୀମାନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି ଏବଂ କେଉଁ ସବୁ କଥାକୁ ଗୁରୁତ୍ୱ ଦେବା ଉଚିତ | ଏହାର ଉତ୍ତରରେ ସିମି କହିଥିଲେ ଯେ କୌଣସି କମ୍ପାନୀ ଆସୁଛନ୍ତି ସେମାନେ ସେଠାରେ ରହୁଥିବା ଲୋକ ବା ଆଦିବାସୀଙ୍କୁ ନିଜର ଅଂଶୀଦାର ବା ପାର୍ଟନର ଭାବେ ସାମିଲ କରିବା ଉଚିତ | ଯେତେବେଳେ କୌଣସି ପରିବର୍ତ୍ତନ କରୁଛେ ସେତେବେଳେ ସ୍ଥାନୀୟ ଲୋକମାନେ କିଭଳି ଲାଭ ପାଇବେ ସେ ଉପରେ ନଜର ଦେବାର ଆବଶ୍ୟକତା ରହିଛି |

ସେହିପରି ଭବିଷ୍ୟତରେ ସିମି ମହିଳା ସଶକ୍ତିକରଣ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି | ମୁଖ୍ୟତଃ ଏହି ଦୁଇଟି ଦିଗ ଉପରେ ଅଧିକ କାର୍ଯ୍ୟ କଲେ ଦେଶର ବହୁତ ଉନ୍ନତି ହୋଇପାରିବ ବୋଲି ସିମି କହିଛନ୍ତି | ସେହିପରି ଦେଶରେ ଝିଅମାନଙ୍କୁ କମ ବୟସରେ ବିବାହକୁ ନେଇ ସିମି କହିଛନ୍ତି ଯେ ଯେଉଁ ଝିଅମାନେ ଭଲ ପଢୁଛନ୍ତି ଓ ଆଗକୁ ପଢ଼ିବାର ଇଚ୍ଛା ରଖୁଛନ୍ତି ସେମାନଙ୍କୁ ସ୍ୱତନ୍ତ୍ର ସ୍କଲାରସିପ ଦେଇ ପ୍ରୋତ୍ସାହନ ଦେବା ଉଚିତ | ସେହିପରି ପାଠପଢିବା ବେଳେ କେତେ ଘଣ୍ଟା ପଢୁଛନ୍ତି ତାହା ଯେତିକି ଗୁରୁତ୍ୱ ରଖେନାହିଁ ବେଶୀ ଗୁରୁତ୍ୱ ରଖେ କେଉଁ ମାନର ବା କେଉଁ ଗୁଣବତ୍ତାର ପାଠପଢୁଛନ୍ତି | ଯଦି ଆପଣ ଦିନକୁ ୫ ଘଣ୍ଟାର ଗୁଣାତ୍ମକ ପାଠ ପଢୁଛନ୍ତି ତାହା ୧୦ରୁ ୧୨ ଘଣ୍ଟାର ପାଠ ପଢ଼ାଠାରୁ ବି ଅଧିକ ହେବ |

ସମ୍ବନ୍ଧିତ ଖବର