ସିମି ଉଗ୍ରବାଦୀ ମା’ ନଜ୍‌ମା ଜାମିନ୍‌ରେ ମୁକୁଳିଲେ

ରାଉରକେଲା : ଷ୍ଟୁଡେ଼ଣ୍ଟସ୍‌ ଇସ୍ଲାମିକ୍‌ ମୁଭ୍‌ମେଣ୍ଟ ଅଫ୍‌ ଇଣ୍ତିଆ (ସିିମି)ର ୪ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ସହ ଗିରଫ ହୋଇ ଦୀର୍ଘ ଅଢେ଼ଇ ବର୍ଷରୁ ଅଧିକ ସମୟ ହେଲା ରାଉରକେଲା ସ୍ବତନ୍ତ୍ର କାରାଗାରରେ ବିଚାରାଧୀନ ବନ୍ଦୀ ଜୀବନ କାଟୁଥିବା ନଜ୍‌ମା ବି’ (୬୦) ଜାମିନରେ ମୁକୁଳିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ରାଉରକେଲା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସଂଧ୍ୟା ୭ଟାରେ ଜେଲ୍‌ରୁ ବାହାରିବା ପରେ ୩ ଜଣ ସମ୍ପର୍କୀୟଙ୍କ ସହ ସେ ମଧ୍ୟପ୍ରଦେଶ ରାଜ୍ୟ ଖଣ୍ଡୁଆସ୍ଥିତ ଘରକୁ ଯାଇଛନ୍ତି। 

୨୦୧୬ ଫେବ୍ରୁଆରି ୧୫/୧୬ ତାରିଖ ମଧୢରାତ୍ରିରେ ରାଉରକେଲା ପୁଲିସ୍‌ର ସ୍ବତନ୍ତ୍ର ଅପରେସନ୍‌ ଗ୍ରୁପ୍‌ (ଏସ୍‌ଓଜି) ଓ ତେଲେଙ୍ଗାନା ପୁଲିସ୍‌ ଟିମ୍‌ ସ୍ଥାନୀୟ ନାଲାରୋଡ୍‌ର କ୍ୟୁରେସି ମୋହଲ୍ଲାସ୍ଥିତ ଏକ ଭଡ଼ା ଘରେ ଅତିର୍କିତ ଚଢ଼ାଉ କରି ସିମି ଉଗ୍ରବାଦୀ ମହମ୍ମଦ ସଲିକ୍‌, ଅମ୍‌ଜାଦ୍‌ ଖାଁ, ଜାକିର‌୍‌ ହୁସେନ୍‌, ସେଖ୍‌ ମେହେବୁବ୍‌ ଓ ମେହେବୁବ୍‌ର ମା’ ନଜ୍‌ମାଙ୍କୁ କାବୁ କରିଥିଲେ। ସେବେଠାରୁ ସେ ଜେଲ୍‌ରେ ବନ୍ଦୀ ଥିଲେ।

ଜୁଲାଇ ୨ ତାରିଖ ଦିନ ସୁପ୍ରମ କୋର୍ଟ ନଜ୍‌ମାଙ୍କ ଜାମିନ ମଞ୍ଜୁର କରିଥିଲା। ମାତ୍ର, ରାଉରକେଲା ଅଞ୍ଚଳରୁ କେହି ଜାମିନ୍‌ଦାର୍‌ ନ ମିଳିବାରୁ ସେ ବାହାରି ପାରିନଥିଲେ। ତାଙ୍କ ଓକିଲ ପୁଣି ସୁପ୍ରି‌ମ କୋର୍ଟରେ ଆବେଦନ କରି ସାଧାରଣ ଜାମିନଦାର ଦେଇ ଜାମିନ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ତଳ କୋର୍ଟ ତାଙ୍କର ପ୍ରଥମ ଆଦେଶ ପରିବର୍ତ୍ତନ କରି ପାରିବ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେବା ପରେ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରବୀନ୍ଦ୍ର କୁମାର ଦାଶ ପୁଣି ଜାମିନର ଶୁଣାଣି କରି ୫୦ ହଜାର ଟଙ୍କାର ଦୁଇଟି ଜାମିନଦାର ମାଧ୍ୟମରେ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ଦୁଇ ଜଣ ଜମି ପଟ୍ଟାଧାରୀ ତାଙ୍କୁ ଜାମିନରେ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର