ନାସା ନକ୍ସାରେ ଶିମିଳିପାଳ: ଏବେ ବି ଜଳୁଛି ଜଙ୍ଗଲ, ପଦକ୍ଷେପ ପରେ ମଧ୍ୟ ନିୟନ୍ତ୍ରଣ ହେଉନି ନିଆଁ

ଭୁବନେଶ୍ବର: ଶିମିଳିପାଳ ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରୟାସ । ବନ ବିଭାଗ, ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଶିମିଳିପାଳରେ ନିଆଁ ଲିଭା ଚାଲିଛି । ରାତିର ଅନ୍ଧାରରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏକାଧିକ ଦମକଳ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ପାଣି ପକାଉଛନ୍ତି ଆଉ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି।

ଅନ୍ୟପଟେ ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରୁ ପ୍ରତିଦିନ ନୂଆ ନୂଆ ସ୍ଥାନକୁ ନିଆଁ ବ୍ୟାପୁଛି ଏବଂ ଜଙ୍ଗଲ ଜଳୁଥିବାର ଚିତ୍ର ସାମ୍ନାକୁ ଆସୁଛି । ତେଣୁ ଏହାର ମୁକାବିଲା କରିବା ପାଇଁ ବନ ବିଭାଗ ଆହୁରି ୧୦୦ ଜଣ ଫାୟାର ୱାଚରଙ୍କୁ ନିୟୋଜିତ କରିଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ତେବେ ଏହାରି ଭିତରେ ନାସାର ସାଟେଲାଇଟ୍ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଶିମିଳିପାଳ ଜଳୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ସେପଟେ କଂଗ୍ରେସର ଏକ ଟିମ ଶିମିଳିପାଳ ପରିଦର୍ଶନ କରି କହିଛି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ମିଛ ବୋଲି କହିଛନ୍ତି। ଶିମିଳିପାଳର ଏକ ବଡ଼ ଅଞ୍ଚଳରେ ନିଆଁ ଲାଗିଛି ଏବଂ ପ୍ରାରମ୍ଭିକସ୍ତରରେ ବନ ବିଭାଗ ପକ୍ଷରୁ ଉଚିତ ପଦକ୍ଷେପ ନିଆଯାଇ ନ ଥିବାରୁ ଏପରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲା ବୋଲି କଂଗ୍ରେସ ପ୍ରତିନିଧି ଦଳ ମତବ୍ୟକ୍ତ କରିଛନ୍ତି।  ଅନ୍ୟ ପକ୍ଷରେ ଶାସକ ବିଜେଡି କହିଛି, ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଶିମିଳିପାଳ ହେଉଛି ସେହି ଅଭୟାରଣ୍ୟ, ଯେଉଁଠି ୧୩ଟି ନଦୀ, ୪ ପ୍ରକାରର ଜଙ୍ଗଲ, ଏକ ହଜାର ୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୯ ପ୍ରଜାତିର ସରୀସୃପ ଏବଂ ୨୩୧ ପ୍ରଜାତିର ପକ୍ଷୀ ବସବାସ କରନ୍ତି । ଆଉ ଯଦି ଏହି ନିଆଁ ଶିମିଳିପାଳ ଅଭୟାରଣ୍ୟର କୋର୍ ଅଞ୍ଚଳକୁ ବ୍ୟାପକ ଭାବେ ମାଡ଼ି ଯାଏ, ତେବେ ଜଳୁଥିବା ଏହି ନିଆଁ କେତେ ବଡ଼ ସଂକଟ ଆଣିପାରେ।

ସମ୍ବନ୍ଧିତ ଖବର