ବାରିପଦା,(ରାଜକିଶୋର ଦାଶ): ଚଳିତ ବର୍ଷ ଫେବ୍ରୁଆରି ଶେଷ ଭାଗରୁ ଆରମ୍ଭ ହୋଇଥିବା ବନାଗ୍ନି ମାର୍ଚ୍ଚ ମାସରେ ଭୀଷଣ ରୂପ ଧାରଣ କରିଥିଲା। ଆଘାତ ପାଇଥିଲା ଓ କ୍ଷତବିକ୍ଷତ ହୋଇଥିଲା ଅପୂର୍ବ ଜୈବ ବିଭିଧତାରେ ପୂର୍ଣ୍ଣ ଶିମିଳିପାଳ।
ଦୁଇ ମାସ ବ୍ୟବଧାନରେ ଭୀଷଣ ବାତ୍ୟାରେ ଆସିଥିବା ସାମୁଦ୍ରିକ ବାତ୍ୟା ‘ୟାସ୍’ର ଜବରଦସ୍ତ ପ୍ରଭାବ ପଡ଼ିଛି ଶିମିଳିପାଳ ଉପରେ। ରେକର୍ଡ ବର୍ଷା ହୋଇଛି ଓ ପ୍ରବଳ ପବନ ମାଡ଼ରେ ଅନେକ ଗଛ ଭାଙ୍ଗିରୁଜି ଯାଇଛି।
/sambad/media/post_attachments/wp-content/uploads/2021/05/ssss.png)
ଉଭୟ ପ୍ରସଙ୍ଗ ଏବେ ପରିବେଶବିତ୍ମାନଙ୍କୁ ଚିନ୍ତାରେ ପକାଇଛି। ଶିମିଳିପାଳର ପ୍ରାକୃତିକ ପରିସଂସ୍ଥାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ବିଶିଷ୍ଟ ପରିବେଶବିତ ତଥା ଶିମିଳିପାଳ ବନାଗ୍ନିକୁ ନେଇ ଗଠିତ ଟାସ୍କଫୋର୍ସର ସଦସ୍ୟ ଡ଼ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ଶିମିଳିପାଳ ଉପରେ ଦିନକୁ ଦିନ ନିର୍ଭରଶୀଳତା ବଢ଼ିବାରେ ଲାଗିଛି। ବନ୍ୟପ୍ରାଣୀ ହ୍ରାସ ପାଉଛନ୍ତି, ବିଭିନ୍ନ ଦୁର୍ଲ୍ଲଭ ଉଦ୍ଭିଦ ଓ ବୃକ୍ଷରାଜି ମଧ୍ୟ ଲୋପ ପାଇଯାଉଛନ୍ତି। ଗତ ନିଆଁରେ ଶିମିଳିପାଳକୁ କ୍ଷତି ପହଁଚିଛି। ଏପରି ଅବସ୍ଥା ସୃଷ୍ଟି ହେଲେ ଏହି ଜଙ୍ଗଲ ଉଭୟ ଦ୍ରବ୍ୟ ଓ ସେବା ଯୋଗାଇଦେବାରେ ବିଫଳ ହେବ। ତେଣୁ ଏହାକୁ ଅଧିକ ଚାପଗ୍ରସ୍ତ ନକରି ପ୍ରାକୃତିକ ପରିବେଷ୍ଟନିକୁ ସୁରକ୍ଷା ଦେବାର ସମୟ ଆସିଛି।
ବନ୍ୟପ୍ରାଣୀ ଓ ପରିବେଶ ବିଶେଷଜ୍ଞ ଡ଼ ସୃଷ୍ଟିଧର ରାଉତ କହିଛନ୍ତି, ଜଙ୍ଗଲ ରକ୍ଷା ହେଲେ ଆମେ ସମସ୍ତେ ରକ୍ଷା ହୋଇପାରିବା। ଏହା ସମଗ୍ର ଓଡ଼ିଶାର ଧମନୀ ରୂପେ କାର୍ଯ୍ୟ କରୁଛି। ବର୍ତ୍ତମାନ ଦେଖାଯାଉଛି ଯେ ଶିମିଳିପାଳରେ କ୍ରମଶଃ ଘଞ୍ଚ ଜଙ୍ଗଲ କମିବାରେ ଲାଗିଛି। ଶିମିଳିପାଳ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମଧ୍ୟ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ଫଳରେ ପ୍ରଦୂଷଣ ବୃଦ୍ଧି ପାଉଛି। ଯାହା ପ୍ରାକୃତିକ ଅସନ୍ତୁଳନତା ସୃଷ୍ଟି କରୁଛି। ତେଣୁ ଏପରି ପରିସ୍ଥିତିକୁ ମୁକାବିଲା କରିବାକୁ ହେଲେ ବଫର ଏରିଆରେ ମଧ୍ୟ ଘଞ୍ଚ ଜଙ୍ଗଲ ଯେପରି ନଷ୍ଟ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ। ଶିମିଳିପାଳ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମଧ୍ୟ ଘଞ୍ଚ ଜଙ୍ଗଲ ବଳୟ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଅନ୍ୟଥା ବର୍ଷା ହେଲେ ପ୍ରଚଣ୍ଡ ବର୍ଷା ହେବା ସହିତ ଗରମ ହେଲେ ଅସହ୍ୟ ତାତି ହେବ ବୋଲି ଡ. ରାଉତ ମତ ରଖିଛନ୍ତି।
/sambad/media/post_attachments/wp-content/uploads/2021/05/Similipal01.jpg)
ଜିଲ୍ଲାପାଳ ବିନିଥ ଭରଦ୍ବାଜଙ୍କର କହିବା କଥା ହେଉଛି, ଶିମିଳିପାଳ ମୟୂରଭଞ୍ଜ ସହିତ ପୂରା ପୂର୍ବାଞ୍ଚଳ ପାଇଁ ଗୌରବ। ଏହାର ସୁରକ୍ଷାକୁ ପ୍ରଶାସନ ପ୍ରାଥମିକତା ଦେଉଛି। ଏହା ଘଞ୍ଚ ଜଙ୍ଗଲ ଏବଂ ଉଚ୍ଚ ଦ୍ରାଘିମାରେ ଅବସ୍ଥିତ ହେଇଥିବାରୁ ଏଠାରେ ବର୍ଷା ର ପରିମାଣ ଅଧିକ ଥାଏ। ଏଠାରୁ ବୁଢ଼ାବଳଙ୍ଗ ଭଳି ନଦୀ ଉତ୍ପତ୍ତି ଲାଭ କରିଛି। ତେଣୁ ଏହା ଉପରେ ଅଧିକ ବର୍ଷା ହେଲେ ସ୍ୱାଭାବିକ ଭାବେ ମୟୂରଭଂଜରେ ବନ୍ୟା ପରିସ୍ଥିତି ସୃଷ୍ଟି ଭୟ ରହୁଛି। ଏହାକୁ ମୁକାବିଲା ନିମନ୍ତେ ନଦୀଜଳ ପ୍ରବାହ ବ୍ୟବସ୍ଥାରେ ସୁରକ୍ଷା ବ୍ୟବସ୍ଥା କରିବାକୁ ଯୋଜନା କରାଯାଉଛି। ଉପଯୁକ୍ତ ସ୍ଥାନରେ ନଦୀବନ୍ଧ ନିର୍ମାଣ ବନ୍ୟା ଦାଉରୁ ଜିଲ୍ଲାକୁ ରକ୍ଷା କରିପାରିବ। ଏନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା କହିଛନ୍ତି ଜିଲ୍ଲାପାଳ।
ଉଲ୍ଲେଖଯୋଗ୍ୟ, ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ(ଏଫଏସଆଇ)ର ସାଟେଲାଇଟ ତଥ୍ୟ ଅନୁସାରେ ଫେବୃଆରି ୧୧ରୁ ମାର୍ଚ୍ଚ ୧୫ ମଧ୍ୟରେ ଶିମିଳିପାଳ ସଂରକ୍ଷିତ ଜୈବମଣ୍ଡଳର ୪ଟି ବନଖଣ୍ଡରେ ପ୍ରାୟ ୩୧୩୨ଟି ଫାୟାର ପଏଣ୍ଟ ଚିହ୍ନଟ କରାଯାଇଥିଲା। ଗୋଟିଏ ଗୋଟିଏ ଦିନରେ ଶିମିଳିପାଳରେ ୧୫୦ରୁ ଉର୍ଧ୍ବ ଫାୟାର ପଏଣ୍ଟ ଚିହ୍ନଟ ହୋଇଥିଲା। ଏହି ଜଙ୍ଗଲ ନିଆଁର ପ୍ରଭାବ ଜିଲ୍ଲାରେ ଅନୁଭୂତ ହୋଇଥିଲା। ଠିକ୍ ସେହିପରି ବାତ୍ୟା ‘ୟାସ’ ପ୍ରଭାବରେ ଗତ ୨୫ ତାରିଖରୁ ୨୭ ତାରିଖ ୭୨ ଘଣ୍ଟା ମଧ୍ୟରେ ଶିମିଳିପାଳ ମଧ୍ୟରେ ଚିହ୍ନଟ ହୋଇଥିବା ୧୮ଟି ବର୍ଷାଜଳ ଚିହ୍ନଟ ଷ୍ଟେସନରେ ମୋଟ ୪୫୬,୭୨୫.୧୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହାକି ମେ’ ମାସରେ ଏକ ରେକର୍ଡ ବୋଲି ବିବେଚନା କରାଯାଉଛି। ଶିମିଳିପାଳ ଚତୁଃପାର୍ଶ୍ବରେ ଥିବା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ଉପରେ ଅଦିନିଆ ବର୍ଷା, ପ୍ରଚଣ୍ଡ ଗ୍ରୀଷ୍ମର ତାତିର ପ୍ରଭାବ ପଡୁଛି। ୨୦୧୩ ଫାଇଲିନ୍ ବାତ୍ୟା ସମୟରେ ଯେପରି ଢ଼ଙ୍ଗରେ ବାରିପଦା ବନ୍ୟା ଜଳରେ ବୁଡି ଯାଇଥିଲା, ତାହା ଏଯାଏ ଜିଲ୍ଲାବାସୀଙ୍କ ମନରୁ ଲିଭିନି। ସେହିପରି ଗତବର୍ଷ ‘ଅମ୍ଫାନ’ ବାତ୍ୟା ପରେ ମଧ୍ୟ ବାରିପଦା ସହରକୁ ବନ୍ୟା ଜଳ ପ୍ରବେଶ କରିଥିଲା। ‘ୟାସ୍’ ବାତ୍ୟା ପରେ ହୋଇଥିବା ବର୍ଷା ପ୍ରଭାବରେ ଆକସ୍ମିକ ବନ୍ୟା ଆଶଙ୍କାରେ ପ୍ରଶାସନ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରିଥିଲା ଓ ବିପର୍ଯ୍ୟୟ ସମୟରେ ଜିଲ୍ଲାବାସୀ ନାହିଁନଥିବା ଦୁର୍ଦଶାର ଶିକାର ହୋଇଥିଲେ।
ଭୀଷଣ ପ୍ରାକୃତିକ ଅସନ୍ତୁଳନ କାରଣରୁ ଏଭଳି ପରିସ୍ଥିତି ଉପୁଜୁଥିବା ବିଶେଷଜ୍ଞମାେନ ମତ ରଖୁଛନ୍ତି। ଶିମିଳିପାଳର ସୁରକ୍ଷା ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଏସଟିଆର) ଦାୟିତ୍ୱ ନେଇଛି। ମାତ୍ର ଶିମିଳିପାଳ ସହିତ ପାର୍ଶ୍ବବତୀ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କ ଭାଗିଧାରୀତାର ଅଭାବ ଜଳ ଜଳ। ଜଙ୍ଗଲ ପରିମାଣ ବଢୁଥିବା ବିଭାଗୀୟ ଅଧିକାରୀମାନେ ଦାବି କରୁଥିଲେ ମଧ୍ୟ ଜଙ୍ଗଲ କ୍ଷୟ ଯେ ଏକ ନିଷ୍ଠୁର ସତ୍ୟ ଏକଥା ସମସ୍ତେ ହେଜିଲେଣି। ପରିସଂସ୍ଥା ନଷ୍ଟ କାରଣରୁ ବନ୍ୟପ୍ରାଣୀ ମଧ୍ୟ ଜନବସତି ମୁହାଁ ହେଉଛନ୍ତି ଓ ହାତୀ ମଣିଷ ଲଢ଼େଇ ଘଟଣା ବଢ଼ୁଛି।