ବାରିପଦା: ବର୍ଷା ଋତୁ ଯୋଗୁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଜୁଲାଇ ୧ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ଏନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପରବର୍ତ୍ତୀ ବିଜ୍ଞପ୍ତି ଯାଏଁ ଏହା ବଳବତ୍ତର ରହିବ। ତେବେ ପର୍ଯ୍ୟଟକମାନେ ଜାମୁଆଣି, ଗୁଡ଼ୁଗୁଡ଼ିଆ, କୁମାରୀ, ବରେହିପାଣି ଓ ରାମତୀର୍ଥ ଇକୋ ଟୁରିଜିମ୍ ପ୍ରକଳ୍ପ ବୁଲିପାରିବେ।
ସୂଚନାଯୋଗ୍ୟ; ପ୍ରତିବର୍ଷ ବର୍ଷା ଋତୁରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳରେ ପ୍ରବେଶ ନିଷେଧ କରାଯାଇଥାଏ। କାରଣ ବର୍ଷାରେ ଅଭୟାରଣ୍ୟର ଆଭ୍ୟନ୍ତରୀଣ କଚ୍ଚା ରାସ୍ତାଗୁଡ଼ିକ ଧୋଇଯାଇ ବିପଦସଙ୍କୁଳ ହୋଇପଡ଼େ। ବର୍ଷା ପରେ ଆବଶ୍ୟକ ଭିତ୍ତିଭୂମି ମରାମତି କରାଯିବା ସହ ଶିମିଳିପାଳ ପୁଣି ଖୋଲିଥାଏ।
୨୦୨୪-୨୫ରେ ଆସିଛନ୍ତି ୩୮ ହଜାର ପର୍ଯ୍ୟଟକ
ଆଦାୟ ହୋଇଛି ୪.୨୭ କୋଟି ଟଙ୍କା ରାଜସ୍ବ
ଉଲ୍ଲେଖ ଥାଉକି; ୨୦୨୪-୨୫ ବର୍ଷରେ ମୋଟ ୩୮ ହଜାର ୪୮୩ ପର୍ଯ୍ୟଟକ ଶିମିଳିପାଳ ବୁଲିବାକୁ ଆସିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୨୬ ହଜାର ୮୩ ଜଣ, ବାହାର ରାଜ୍ୟର ୧୨ ହଜାର ୩୮୮ ଜଣ ଏବଂ ୧୨ ଜଣ ବିଦେଶୀ ଅଛନ୍ତି। ସେହିପରି ଉକ୍ତ ସମୟ ମଧ୍ୟରେ ଶିମିଳିପାଳର ବରେହିପାଣି, ଗୁଡ଼ୁଗୁଡ଼ିଆ, କୁମାରୀ, ଜାମୁଆଣି ଓ ରାମତୀର୍ଥ ଇକୋ ଟୁରିଜିମ୍ ପ୍ରକଳ୍ପରୁ ମୋଟ ୨ କୋଟି ୭୫ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ଜଙ୍ଗଲ ସଫାରି ମାଧ୍ୟମରେ ୧ କୋଟି ୨୨ ଲକ୍ଷ ଏବଂ ପ୍ରବେଶ ଶୁଳ୍କ ବାବଦରେ ୨୯ ଲକ୍ଷ ୪୮ ହଜାର ଟଙ୍କା ରାଜସ୍ୱ ଆଦାୟ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/30/gdgdvcvcv-2025-06-30-01-44-55.jpg)