ବିଶ୍ୱରେ ‘ସାତକୋଶିଆ’ ଅର୍ଜିବ ନାଁ

‘ବାୟୋସ୍ଫିୟର ରିଜର୍ଭ’ ପାଇଁ ପ୍ରସ୍ତାବ ମାଗିଲା କେନ୍ଦ୍ର

ଶିମିଳିପାଳ ପରେ ଓଡ଼ିଶାର ହେବ ଦ୍ୱିତୀୟ ଗୌରବ

ଅନୁଗୁଳ: ମଧ୍ୟପ୍ରଦେଶରୁ ମହାବଳ ବାଘ ଯୋଡ଼ା ଆଣି ଦେଶରେ ଇତିହାସ ରଚିଥିବା ସାତକୋଶିଆ ଅଭୟାରଣ୍ୟ ଏବେ ବିଶ୍ୱ ମାନଚିତ୍ରରେ ନୂଆ ନାଁ ଅର୍ଜିବାକୁ କସରତ ଆରମ୍ଭ କରିଛି। ପୃଥିବୀର ଯେଉଁ ହାତଗଣତି କେତୋଟି ମୂଲ୍ୟବାନ ଅଭୟାରଣ୍ୟକୁ ‘ସଂରକ୍ଷିତ ଜୈବ ମଣ୍ଡଳ’(ବାୟୋସ୍ଫିୟର ରିଜର୍ଭ)ର ମାନ୍ୟତା ମିଳିଛି, ସେଥିରେ ସାତକୋଶିଆର ନାଁ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ପ୍ରସ୍ତାବ ମାଗିଛନ୍ତି। ପ୍ରସ୍ତାବ କ୍ରମେ ସାତକୋଶିଆ ଅଭୟାରଣ୍ୟ କର୍ତୃପକ୍ଷ ପ୍ରସ୍ତୁତି କାମ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ବାୟୋସ୍ଫିୟର ରିଜର୍ଭ ୟୁନେସ୍କୋ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମୂଲ୍ୟବାନ ଜଙ୍ଗଲ। ଯାହାର ମାନଦଣ୍ଡ ସ୍ୱତନ୍ତ୍ର। ଯେଉଁ ଜଙ୍ଗଲରେ ସ୍ୱତନ୍ତ୍ର ପ୍ରକାର ଉଦ୍ଭିଦ, ପ୍ରାଣୀଙ୍କ ଆବାସ ଥାଏ, ପରିବେଶ ପାଇଁ ଜଙ୍ଗଲ ଗୁରୁତ୍ୱ ବେଶ୍‌ ଅଧିକ ଥାଏ ସେଭଳି ଜଙ୍ଗଲକୁ ୟୁନେସ୍କୋ ଓ୍ଵାର୍ଲଡ ନେଟ୍‌ଓ୍ଵାର୍କ ଅଫ୍‌ ବାୟୋସ୍ଫିୟର ରିଜର୍ଭରେ ସାମିଲ କରେ। ବିଶ୍ୱର ଏହି ଯୋଜନାକୁ ଭାରତ ୧୯୮୬ମସିହାରୁ କାର୍ଯ୍ୟକାରୀ କରି ଆସୁଛି। ଇତିମଧ୍ୟରେ ଦେଶର ୧୮ଟି ଜଙ୍ଗଲ ସଂରକ୍ଷିତ ଜୈବମଣ୍ଡଳ ମାନ୍ୟତା ହାସଲ କରି ସାରିଲାଣି। ଚଳିତବର୍ଷ ସିକିମ୍‌ର କାଞ୍ଚନଜଙ୍ଘା ରାଷ୍ଟ୍ରୀୟ ଉଦ୍ୟାନ ଏହି ସୂଚୀରେ ସାମିଲ ହୋଇଥିବା ବେଳେ ଏବେ ଓଡ଼ିଶାର ସାତକୋଶିଆ ଅଭୟାରଣ୍ୟକୁ ଏହି ଗୌରବ ଦେବା ପାଇଁ କେନ୍ଦ୍ରସଚିବ ଗତ ଜୁଲାଇ ୨୮ତାରିଖରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ମାଗିଛନ୍ତି। ସାତକୋଶିଆ ଜଙ୍ଗଲର ଗୁଣ, ପରିମାପ, ଚାଷ ଜମି, ବନବାସୀଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ରଖିବାକୁ କୁହାଯାଇଛି। ଏହି କ୍ରମରେ ତଥ୍ୟ ଯୋଗାଡ଼ରେ ସାତକୋଶିଆ କର୍ତୃପକ୍ଷ କାମ ଆରମ୍ଭ କରି ଦେଇଛନ୍ତି। ନିକଟରେ ସାତକୋଶିଆ ଜଙ୍ଗଲରେ ମଧ୍ୟପ୍ରଦେଶ ମହାବଳ ବାଘ ଛଡ଼ାଯିବା ପରେ ସାତକୋଶିଆବାସୀଙ୍କ ମଧ୍ୟରେ ଜନ ଆକ୍ରୋଶ ତୀବ୍ର ହୋଇଛି। ବନ ବିଭାଗର କାର୍ଯ୍ୟକଳାପ ପରିସ୍ଥିତିକୁ ଏମିତି ମୋଡ଼ ଦେଇଛି ଯେ, ପ୍ରକୃତି ଓ ମଣିଷ ଏବେ ପରସ୍ପର ପ୍ରତିକୂଳ ହୋଇ ପଡ଼ିଛନ୍ତି। କିନ୍ତୁ ସାତକୋଶିଆ ଯଦି ସଂରକ୍ଷିତ ଜୈବ ମଣ୍ଡଳ(ବାୟୋସ୍ଫିୟର ରିଜର୍ଭ)ର ମାନ୍ୟତା ହାସଲ କରେ, ତେବେ ମଣିଷ ଏବଂ ପ୍ରକୃତି ପରସ୍ପର ବିପରୀତମୁଖୀ ନୁହେଁ, ବରଂ ଅନୁକୂଳ ହୋଇ କିପରି ଚାଲିବେ ସେଥିପାଇଁ ବିଭିନ୍ନ ଜଙ୍ଗଲ ଗବେଷଣା, ସଂରକ୍ଷଣ ଯୋଜନା ପ୍ରସ୍ତୁତ କରାଯିବ ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ୨୦୦୦ମସିହାରେ କର୍ଣ୍ଣାଟକର ନୀଳଗିରିକୁ ଦେଶର ପ୍ରଥମ ସଂରକ୍ଷିତ ଜୈବମଣ୍ଡଳ ମାନ୍ୟତା ମିଳିଥିବା ବେଳେ ୨୦୦୯ରେ ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ତାଲିକାରେ ସାମିଲ ହୋଇଥିଲା। ସାତକୋଶିଆ ଏହି ତାଲିକାରେ ସାମିଲ ହେଲେ ଓଡ଼ିଶାର ଏହା ଦ୍ୱିତୀୟ ଗୌରବ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର