ସିଙ୍ଗଡା: ଶିମିଳିପାଳ ଅଭୟାରଣ୍ୟର ଥଣ୍ଡା ଜଳବାୟୁରେ ବଢ଼ୁଛି ‘ଅର୍ଚ୍ଚିଡ୍’। ଏହା ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ବି’ଗୁଣିତ କରୁଛି। ଯେଉଁଥିରେ ଆକର୍ଷିତ ହୋଇ ଦେଶବିଦେଶରୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ। ହେଲେ, ଏହି ବିରଳ ଅର୍ଚ୍ଚିଡ୍ ଫୁଲ ଏବେ ବିପଦରେ। ଔଷଧୀୟ ଗୁଣ ଭରପୂର ରହିଥିବା ଏହି ଲତା ଲୋପ ପାଇବାକୁ ବସିଛି। ଏହାର ସଂରକ୍ଷଣ ପାଇଁ ବିଭିନ୍ନ ମହଲରେ ଦାବି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ; ଏହି ଘଞ୍ଚ ଅଭୟାରଣ୍ୟରେ ୧୦୭୬ ପ୍ରକାର ବୃକ୍ଷଲତା ଦେଖିବାକୁ ମିଳିଥାଏ। ଗତକିଛି ବର୍ଷ ହେଲା ଅଭୟାରଣ୍ୟର ମୁଖ୍ୟ ଆକର୍ଷଣ ପାଲଟିଛି ଅର୍ଚ୍ଚିଡ୍ ଲତା। ଏଠାରେ ୯୬ ପ୍ରକାର ଅର୍ଚ୍ଚିଡ୍ ଲତା ମିଳୁଛି। ଶିମିଳିପାଳ ଅଭୟାରଣ୍ୟରେ ଜଳବାୟୁ ଥଣ୍ଡା ହୋଇଥିବାରୁ ପ୍ରଚୁର ପରିମାଣରେ ଅର୍ଚ୍ଚିଡ୍ ଫୁଲ ଫୁଟେ। ଏହାର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ଗୁଡୁଗୁଡ଼ିଆଠାରେ ୧୯୭୮ ମସିହାରେ ଅର୍ଚ୍ଚିଡ୍ ସଂରକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଥିଲା। ତେବେ, ଏହି ଲତାରେ ବିଭିନ୍ନ ଔଷଧ ତିଆରି ହେଉଥିବାରୁ ଗାଁ ବୈଦ୍ୟ ଅବାଧରେ କାଟି ନେଉଥିବା ଅଭିଯୋଗ ହେଉଛି।
ଔଷଧୀୟ ଗୁଣ ଥିବାରୁ ମନଇଚ୍ଛା କାଟି ନେଉଛନ୍ତି
ଆୟୁର୍ବେଦିକ ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତ କହିଛନ୍ତି, ଏହି ଲତାର ଫୁଲ, ପତ୍ର ଓ ଚେରରେ ବହୁ ଔଷଧୀୟ ଗୁଣ ରହିଛି। ଏହା ଦ୍ବାରା କର୍କଟ, କ୍ଷତ, ଟିବି, ଥଣ୍ଡା କାଶ, ପାରାଲିସିସ୍ ଭଳି ରୋଗର ଔଷଧ ତିଆରି ହେଉଛି। ଏହି ଲତା ବିଭିନ୍ନ ଗଛରେ ମାଡ଼ିଥାଏ। ବିଶେଷକରି ମହୁଲ, ଡିମିରି, ଶାଳ, କୋଚିଳା ଗଛର ସାହାରାରେ ବୃଦ୍ଧି ପାଇଥାଏ। ତେଣୁ ଔଷଧୀୟ ଉପଯୋଗିତା ଅଲଗା ଅଲଗା ହୋଇଥାଏ ବୋଲି ଡାକ୍ତର ମହାନ୍ତ କହିଛନ୍ତି। ସେପଟେ ଶିମିଳିପାଳ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ କହିବା ଅନୁସାରେ, ଏହି ଲତାର ଔଷଧୀୟ ଉପାଦେୟତା ପ୍ରଚୁର ପରିମାଣରେ ରହିଛି। ଟିବି, ପାରାଲିସିସ୍, ପେଟ ରୋଗ, ଅମ୍ଲ, ଏଗ୍ଜିମା, ଫାଇଲେରିଆ, କାମଳ ପ୍ରଭୃତି ରୋଗର ଉପଚାର ଏହି ଲତାରୁ ହୋଇଥାଏ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/09/hfZqLMsVR4lnaol63Z6G.jpg)