ବାରିପଦା : ବିଶ୍ବପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥା ସର୍ବଭାରତୀୟସ୍ତରରେ ଦ୍ବିତୀୟ। ପ୍ରକୃତିର ଏହି ଅପୂର୍ବ ଗନ୍ତାଘର ମଧ୍ୟରେ ଥିବା ପ୍ରାଣୀସମ୍ପଦ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ, ଦୁର୍ଲଭ ଜୈବ ବିବିଧତାର ସୁରକ୍ଷା ସଂକ୍ରାନ୍ତରେ ଆଧୁନିକ ଜ୍ଞାନକୌଶଳ ଉପଯୋଗ କରି ଭାରତ ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ) ଏହି ସୁରକ୍ଷା ସୂଚକାଙ୍କ ଜାରି କରିଛି। ତାଲିକାର ପ୍ରଥମ ସ୍ଥାନରେ ଉତ୍ତରପ୍ରଦେଶର ଦୁଧୱା ଅଭୟାରଣ୍ୟ ରହିଥିବା ବେଳେ ଶିମିଳିପାଳ ଦ୍ବିତୀୟ ଓ ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ୧୧ ନମ୍ବର ସ୍ଥାନରେ ରହିଛି।
ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନ୍ଟିସିଏ) ପକ୍ଷରୁ ଏମ୍-ସ୍ଟ୍ରାଇଭ୍ ଆପ୍ ଜରିଆରେ ଭାରତର ୩୭ଟି ବ୍ୟାଘ୍ର ଅଭୟାରଣ୍ୟରେ ପାଟ୍ରୋଲିଂ ବ୍ୟବସ୍ଥାର ନିରୀକ୍ଷଣ କରାଯାଇଥିଲା। ଏଥିରୁ ମିଳିଥିବା ତଥ୍ୟ ଆଧାରରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏସ୍ଟିଆର) ଦେଶର ଦ୍ବିତୀୟ ସ୍ଥାନରେ ରହିଥିବା ବାରିପଦା ଆରସିସିଏଫ୍ ଏମ୍ ଯୋଗ ଜୟାନନ୍ଦ ପ୍ରକାଶ କରିଛନ୍ତି। ଏହି ଆପ୍ ଜରିଆରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅଭୟାରଣ୍ୟର କେତେ କିଲୋମିଟର ଯାଏ ପାଟ୍ରୋଲିଂ ହୋଇଥାଏ, ତାହା ମାପ ହୋଇଥାଏ। ଉକ୍ତ ସମୟସୀମା ମଧ୍ୟରେ ଶିମିଳିପାଳରେ ୫୦ ହଜାର କିମି ପାଟ୍ରୋଲିଂ ହୋଇଥିବା ଏନ୍ଟିସିଏ ଏବଂ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ (ଡବ୍ଲ୍ୟୁଆଇଆଇ) ପକ୍ଷରୁ କୁହାଯାଇଛି। ଏହି ସୂଚକାଙ୍କରେ ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ୧୧ ନମ୍ବର ସ୍ଥାନରେ ରହିଛି। ଶିମିଳିପାଳର ସୁରକ୍ଷା ପାଇଁ କାର୍ଯ୍ୟରତ ୪ ଶହ ପ୍ରୋଟେକ୍ସନ୍ ଆସିଷ୍ଟାଣ୍ଟ ଓ ପାଖାପାଖି ୨ ଶହ ଫରେଷ୍ଟ ଗାର୍ଡଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଆରସିସିଏଫ୍ ଯୋଗ ଜୟାନନ୍ଦ। ପ୍ରତିକୂଳ ପାଗ ଓ କଠିନ ପରିସ୍ଥିତି ସତ୍ତ୍ବେ ଦିନରାତି ଏମାନେ ଶିମିଳିପାଳର ପ୍ରତି ବିଟ୍ରେ ପାଟ୍ରୋଲିଂ କରିଥାଆନ୍ତି।
ଜଙ୍ଗଲ ସୁରକ୍ଷା ଲାଗି ଶିମିଳିପାଳକୁ ବିଭିନ୍ନ ଗ୍ରୀଡ୍ରେ ବିଭକ୍ତ କରାଯାଇଛି। ଦୁଇ ତିନିଜଣ ପିଏଙ୍କ ସହିତ ଜଣେ ଲେଖା ଫରେଷ୍ଟ ଗାର୍ଡଙ୍କୁ ନେଇ ଏକ ଟିମ୍ କରାଯାଇଛି। ଏହି ଆପ୍ ଜରିଆରେ ପ୍ରତି ମାସରେ ପାଟ୍ରୋଲିଂ ବ୍ୟବସ୍ଥାର ତଦାରଖ କରାଯାଇ ଏନ୍ଟିସିଏକୁ ପଠାଯାଇଥାଏ। ସାରାଦେଶର ବିଭିନ୍ନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିଥିବା ତଥ୍ୟକୁ ଆଧାର କରି କେଉଁଠି ପାଟ୍ରୋଲିଂ ବ୍ୟବସ୍ଥା ଦୃଢ଼, ତାହା ସ୍ଥିର ହୋଇଥାଏ। ଶିମିଳିପାଳର ସୁରକ୍ଷା ନେଇ ବିଭାଗ ତତ୍ପର ଥିବା ଏହା ସୂଚାଉଛି। ଆଗାମୀ ଦିନରେ ଶିମିଳିପାଳ ଏହି ସୂଚକାଙ୍କରେ ଦେଶରେ ଏକ ନମ୍ବର ସ୍ଥାନରେ ରହିବ ବୋଲି ଶ୍ରୀ ଜୟାନନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।