୧୯୮୫ ମସିହାରୁ ଜଳସେଚନ (ଏବେ ଜଳସମ୍ପଦ) ବିଭାଗର ସର୍ବୋଚ୍ଚ ଯନ୍ତ୍ରୀପଦରୁ ଅବସର ଗ୍ରହଣ କରିସାରିଲେଣି। ଏବେ ତାଙ୍କୁ ୯୫ବର୍ଷ ବୟସ। ଚାକିରି ଜୀବନ ଏବଂ ଅବସର ଜୀବନର ଏକ ସୁଦୀର୍ଘ ପଥ ଅତିକ୍ରମ କରିସାରିଥିଲେ ମଧ୍ୟ ଏବେ ବି ସେ ସୁସ୍ଥ ରହିଛନ୍ତି। ଏହି ସୁସ୍ଥତା ପଛରେ ବଡ଼ କାରଣ ହେଉଛି ଶୃଙ୍ଖଳିତ ଜୀବନ। ତାଙ୍କର ସେହି ଶୃଙ୍ଖଳିତ ଜୀବନ ସମ୍ପର୍କରେ ‘ସମ୍ବାଦ’କୁ ଯାହା କହନ୍ତି ଗୋପୀନାଥ ଦାସ...

Advertisment

publive-image

ଅନୁଗୁଳ : ଅନୁଗୁଳ ସହର ଅମଲାପଡ଼ା ବାସିନ୍ଦା ଗୋପୀନାଥ ଦାସ। ତାଙ୍କର ଆଉ ଏକ ପରିଚୟ ହେଉଛି ବିଶିଷ୍ଟ ଅଭିନେତା ଅଶୋକ ଦାସଙ୍କ ବାପା। ରାଜ୍ୟ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପଦରୁ ଅବସର ଗ୍ରହଣ କରିଥିବା ଶ୍ରୀ ଦାସ ୯୫ବର୍ଷ ବୟସରେ ପଦାର୍ପଣ କରିସାରିଲେଣି। ଏହି ପରିଣତ ବୟସରେ ମଧ୍ୟ ସେ ସୁସ୍ଥ ଜୀବନଯାପନ କରୁଛନ୍ତି। ତାଙ୍କ ସ୍ମରଣଶକ୍ତି ମଧ୍ୟ ତୀକ୍ଷ୍ମ ରହିଛି।

ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଦାସଙ୍କର ସୁସ୍ଥ ତଥା ଦୀର୍ଘାୟୁ ଜୀବନ ପଛରେ ବଡ଼କାରଣ ହେଉଛି ଏକ ଶୃଙ୍ଖଳିତ ଜୀବନ। ପ୍ରାୟ ଯୁବାବସ୍ଥାରୁ ଏହାକୁ ସେ ଅଗ୍ରାଧିକାର ଦେଇ ଆସୁଥିଲେ। ଏହାସହିତ, କେତେକ ଘଟଣା ମଧ୍ୟ ଯୋଡ଼ିହୋଇ ରହିଛି। ସେମିତି ଗୋଟିଏ ଘଟଣା ସମ୍ପର୍କରେ ଶ୍ରୀ ଦାସ କୁହନ୍ତି, ସେତେବେଳେ ଯୁବ ବୟସରେ ତାଙ୍କର ସରକାରୀ ଚାକିରି। ଥରୁଟିଏ ତାଙ୍କ ଦେହ ଅସୁସ୍ଥ ହୋଇଗଲା। ଥଣ୍ଡା ଆଦୌ ଛାଡ଼ିଲା ନାହିଁ। ସେତେବେଳେ ଜଣେ ଯୁବ ଇଞ୍ଜିନିୟର୍‌ ତାଙ୍କୁ ଦୈନିକ ମାତ୍ର ଠିପିଏ ମଦ ପିଇବାକୁ ପରାମର୍ଶ ଦେଲେ। ଏହାକଲେ କୁଆଡ଼େ ଥଣ୍ଡା ପୂରାପୂରି ଛାଡ଼ିଯିବ ବୋଲି କହିଲେ। ବନ୍ଧୁ ଦେଇଥିବା ସେହି ଛୋଟିଆ ମଦ ଶିଶି ବୋତଲକୁ ନେଇ ସେ ଘରକୁ ଫେରିଲେ। ହେଲେ, ଭାବିଲେ ଠିପିଏ, ଠିପିଏ ପିଉପିଉ ଯଦି ଅଭ୍ୟାସ ହୋଇଯାଏ? ଥରେ ଆରମ୍ଭ କଲେ ଯଦି ନ ଛାଡ଼ିପାରେ? ଏ ପ୍ରଶ୍ନ ତାଙ୍କ ମନକୁ ଆନ୍ଦୋଳିତ କଲା। ସେବେ‌ଠୁ ମଦକୁ ମୋତେ ଭାରି ଡର। କେବଳ ମଦ କାହିଁକି, ସିଗାରେଟ୍‌କୁ ବି ସେ ଘୃଣା କରୁଥିବା କୁହନ୍ତି। ତମାଖୁମୁକ୍ତ ଜୀବନ ହିଁ ତାଙ୍କ ସୁସ୍ଥତାର ଅନ୍ୟତମ କାରଣ। ଏବଂ, ଅନ୍ୟ କାରଣଗୁଡ଼ିକ ମଧ୍ୟରେ ରହିଛି ସରଳ ଓ ସଚ୍ଚୋଟ ଜୀବନ।

ଶ୍ରୀ ଦାସଙ୍କ ଜନ୍ମ ୧୯୨୮ମସିହା ନଭେମ୍ବର ୨ତାରିଖରେ ବଅଁରପାଳ ବ୍ଲକ୍‌ ତଳମୂଳ ଗଡ଼ମୌଜାରେ। ରେଭେନ୍‌ସାରୁ ସ୍କଲାର୍‌ସିପ୍‌ ପାଇ ବାଙ୍ଗାଲୋର୍‌ ଇଞ୍ଜିନିୟରିଂ କଲେଜରେ ପାଠପଢ଼ିଥିଲେ। ସେତେବେଳେ ମହାନଦୀରେ ହୀରାକୁଦ ନଦୀବନ୍ଧର ଭିତ୍ତିଭୂମି ପଡ଼ୁଥାଏ। ପ୍ରଥମ ସେହିଠାରେ ହିଁ ସୁପରଭାଇଜର୍‌ ଚାକିରି ଆରମ୍ଭ କରିଥିଲେ ଶ୍ରୀ ଦାସ। ଏହାପରେ ହୀରାକୁଦ କେନାଲ୍ ଡିଭିଜନ୍‌ର ଆସିଷ୍ଟାଣ୍ଟ୍ ଇଞ୍ଜିନିୟର। କୋରାପୁଟ୍‌ କାଲିମେଳା ଡ୍ୟାମ୍‌, ରେଙ୍ଗାଳି ଡ୍ୟାମ୍‌, ଚିପିଲିମା, ସମଲ ବ୍ୟାରେଜ୍‌ରେ ପୂରା ଚାକିରି ଜୀବନ କଟିଯାଇଥିଲା। ୧୯୮୫ ମସିହାରେ ସେ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭାବେ ଅବସର ଗ୍ରହଣ କଲେ।

ତାଙ୍କ ପୁଅ ତଥା ଖ୍ୟାତନାମା ଅଭିନେତା ଅଶୋକ ଦାସ କୁହନ୍ତି, ବାପା ତାଙ୍କ ଜୀବନରେ ବିଭିନ୍ନ ଡ୍ୟାମ୍‌, ବ୍ୟାରେଜ୍‌ ପ୍ରକଳ୍ପରେ ପ୍ରାୟ ଚାରିହଜାର କୋଟି ଟଙ୍କାର କାମ କରାଇଛନ୍ତି। କିନ୍ତୁ, ଟଙ୍କା ଆଗରେ ନିଜର ସଚ୍ଚୋଟତାକୁ କେବେ ବଳି ପକାଇନାହାନ୍ତି। ସାଧାରଣ ଜୀବନଯାପନ ସହିତ ସର୍ବଶ୍ରେଷ୍ଠ କର୍ମକୁ ଗଲା ୯୫ବର୍ଷର ଜୀବନରେ ସେ ଗୁରୁତ୍ବ ଦେଇ ଆସିଛନ୍ତି। ଯେଉଁଥିପାଇଁ ଆଜି ବି ‌ସେ ସୁସ୍ଥ ରହିଥିବା ଅଶୋକ ‘ସମ୍ବାଦ’କୁ କହିଛନ୍ତି।

- ବିକାଶ ଚନ୍ଦ୍ର ସାହୁ